Delhi University Student Union Results: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନ, ୪ରୁ ୩ ପଦ ଜିତିଲା ଏବିଭିପି
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନ ୨୦୨୬ର ଫଳାଫଳ ଘୋଷଣା ହୋଇଛି। ୨୦ ରାଉଣ୍ଡ ଭୋଟ୍ ଗଣତି ପରେ ଏବିଭିପି ୪ଟି କେନ୍ଦ୍ରୀୟ ପଦ ମଧ୍ୟରୁ ୩ଟି ଦଖଲ କରିଛି। ଅଧ୍ୟକ୍ଷ, ସଚିବ ଓ ଯୁଗ୍ମ ସଚିବ ପଦ ଏବିଭିପି ହାତକୁ ଯାଇଥିବା ବେଳେ ଉପାଧ୍ୟକ୍ଷ ପଦରେ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୋକିନ ବିଜୟୀ ହୋଇଛନ୍ତି।
ଅଧ୍ୟକ୍ଷ ପଦରେ ଏବିଭିପିର ୟଶ ଡବାସ ୨୪ ହଜାର ୫୭୬ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଏନ୍ଏସ୍ୟୁଆଇର ବିଜୟ ଶଙ୍କର ମୀଣାଙ୍କୁ ୨୨ ହଜାର ୫୨୩ ଭୋଟ୍ ମିଳିଛି। ସେହିପରି ସଚିବ ପଦରେ ରିୟା ଛାୱଡ଼ି ୨୧ ହଜାର ୬୫୦ ଭୋଟ୍ ଏବଂ ଯୁଗ୍ମ ସଚିବ ପଦରେ ଲକ୍ଷ୍ୟ ରାଜ ସିଂହ ୧୬ ହଜାର ୬୧୫ ଭୋଟ୍ ପାଇଛନ୍ତି।
ସବୁଠାରୁ ଚର୍ଚ୍ଚାରେ ରହିଛି ଉପାଧ୍ୟକ୍ଷ ପଦର ଫଳାଫଳ। ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୋକିନ ୩୦ ହଜାର ୬୧୫ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଏବିଭିପିର ଇଶୁ ମୌର୍ଯ୍ୟ ୧୬ ହଜାର ୯୧୦ ଭୋଟ୍ ପାଇଥିବା ବେଳେ ଏନ୍ଏସ୍ୟୁଆଇର ବୀର ଛତ୍ରଥଙ୍କୁ ୪ ହଜାର ୩୧୩ ଭୋଟ୍ ମିଳିଛି। ଶୋକିନ ପୂର୍ବରୁ ଏନ୍ଏସ୍ୟୁଆଇ ସହ ଜଡ଼ିତ ଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଫଳାଫଳ ଘୋଷଣା ପୂର୍ବରୁ ବିଜୟୀ ପ୍ରାର୍ଥୀ ଓ ସମର୍ଥକମାନଙ୍କୁ ବିଜୟ ଶୋଭାଯାତ୍ରା ନକରିବାକୁ ଅଧିକାରୀମାନେ କହିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଶ୍ୱବିଦ୍ୟାଳୟ ପରିସର, ରାସ୍ତା ଓ ହଷ୍ଟେଲ୍ ଅଞ୍ଚଳରେ ବିଜୟ ରାଲି ଉପରେ କଟକଣା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।