#Draft: Add Your Title
ଉତ୍ତର ଆଫ୍ରିକା
ଉତ୍ତର ଆଫ୍ରିକାର ସାହାରା ମରୁଭୂମିର ଯାଯାବର ଜନଜାତି ‘ତୁଆରେଗ୍’ ସେମାନଙ୍କ ରୂପା ଗହଣା ପାଇଁ ବିଶ୍ୱପ୍ରସିଦ୍ଧ । ସେମାନଙ୍କର ସ୍ୱତନ୍ତ୍ର ‘ତୁଆରେଗ୍ କ୍ରସ୍’ ପେଣ୍ଡାଣ୍ଟ ବିଭିନ୍ନ ଆଞ୍ଚଳିକ ଶୈଳୀରେ ମିଳିଥାଏ । ଯାହା ଭିନ୍ନ ଭିନ୍ନ ଅଞ୍ଚଳର ପ୍ରତିନିଧିତ୍ୱ କରେ । ଏହି କ୍ରସ୍ଗୁଡ଼ିକ ଆତ୍ମରକ୍ଷାକାରୀ କବଚ ଏବଂ ନିଜ ସ୍ୱତନ୍ତ୍ର ପରିଚୟର ପ୍ରତୀକ ଭାବେ ବ୍ୟବହୃତ ହୋଇଥାଏ। ତୁଆରେଗ୍ କାରିଗରମାନେ ରୂପାକୁ ନେଇ ଜଟିଳ ଓ ସୂକ୍ଷ୍ମ କାରୁକାର୍ଯ୍ୟ କରିଥାନ୍ତି, ଯେଉଁଥିରେ ପ୍ରାୟତଃ ଜ୍ୟାମିତିକ ନକ୍ସା ଦେଖିବାକୁ ମିଳେ । ଏହି ସୁନ୍ଦର ହସ୍ତକଳା ସେମାନଙ୍କ ଯାଯାବର ଜୀବନଶୈଳୀକୁ ପ୍ରତିଫଳିତ କରେ, ଯାହା ସହଜରେ ବୋହିନେବା ଯୋଗ୍ୟ, ସ୍ଥାୟୀ ଏବଂ ଗଭୀର ବ୍ୟକ୍ତିଗତ ଅନୁଭୂତି ସହ ଜଡ଼ିତ । ଏହା ସେମାନଙ୍କ ନିଆରା ଜୀବନଶୈଳୀର ସଙ୍କେତ ଭାବେ ବିବେଚନା କରାଯାଇଥାଏ ।
ପଶ୍ଚିମ ଆଫ୍ରିକା
ପଶ୍ଚିମ ଆଫ୍ରିକାରେ ସୁନାର ଏକ ସ୍ୱତନ୍ତ୍ର ରାଜକୀୟ ମହତ୍ତ୍ୱ ରହିଛି । ଘାନାର 'ଆଶାନ୍ତି' ସମ୍ପ୍ରଦାୟର ଲୋକମାନେ 'ଗୋଲ୍ଡ ୱେଟ୍ସ' ବା ସୁନା ଓଜନିଆ ମାପକ ବିକଶିତ କରିଥିଲେ । ଯାହା ବ୍ୟବସାୟ-ବାଣିଜ୍ୟରେ ସୁନା ଗୁଣ୍ଡ ମାପିବା ପାଇଁ ବ୍ୟବହୃତ ହେଉଥିବା ପିତ୍ତଳର କ୍ଷୁଦ୍ର ଭାସ୍କର୍ଯ୍ୟ ଥିଲା । ଏହି ମାପକଗୁଡ଼ିକରେ ପ୍ରାୟତଃ ଲୋକବାଣୀ, ପ୍ରବାଦ କିମ୍ବା ସାଂସ୍କୃତିକ କାହାଣୀଗୁଡ଼ିକ ଚିତ୍ରିତ ହେଉଥିଲା । ପଶ୍ଚିମ ଆଫ୍ରିକାର ଅନେକ ରାଜତନ୍ତ୍ରରେ ରାଜକୀୟ ପୋଷାକ ଓ ଆଭୂଷଣ ମଧ୍ୟରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସୁନା ଗହଣା ଅନ୍ତର୍ଭୁକ୍ତ । ସେଠାକାର ମୁଖିଆ ଏବଂ ରାଜାମାନେ ନିଜର କ୍ଷମତା, କର୍ତ୍ତୃତ୍ୱ ଦେଖାଇବା ପାଇଁ ଏବଂ ପୂର୍ବପୁରୁଷଙ୍କ ଦିବ୍ୟ ଶକ୍ତି ସହ ଯୋଡ଼ିହୋଇ ରହିବା ପାଇଁ ଏହି ସୁନା ଗହଣା ପରିଧାନ କରିଥାନ୍ତି ।
ୟୁରୋପ
ଆୟରଲାଣ୍ଡ, ସ୍କଟଲାଣ୍ଡ
ଏଠିକାର ସେଲ୍ଟିକ୍ ଗହଣା ସେମାନଙ୍କର ନଟୱାର୍କ ପାର୍ଟନ ପାଇଁ ପ୍ରସିଦ୍ଧ, ଯାହାର କୌଣସି ଆରମ୍ଭ କିମ୍ବା ଶେଷ ନଥାଏ । ଏହିସବୁ ନକ୍ସା ମୁଦି, ବ୍ରୋଚ୍ ଏବଂ ପେଣ୍ଡାଣ୍ଟଗୁଡ଼ିକରେ ଦେଖିବାକୁ ମିଳିଥାଏ । ଆୟରଲାଣ୍ଡର ପ୍ରସିଦ୍ଧ 'କ୍ଲାଡାଗ୍ ରୋଲ୍' କିମ୍ବା 'କ୍ଲାଡାଗ୍ ମୁଦି'ରେ ଦୁଇଟି ହାତ ଗୋଟିଏ ମୁକୁଟ ପିନ୍ଧା ହୃଦୟକୁ ଧରିଥିବାର ଦୃଶ୍ୟ ରହିଥାଏ । ଏହା ପ୍ରେମ, ନିଷ୍ଠା ଏବଂ ବନ୍ଧୁତାର ପ୍ରତୀକ । ଏହାକୁ କିପରି ପିନ୍ଧାଯାଉଛି, ତାହା ବ୍ୟକ୍ତିଙ୍କ ବୈବାହିକ କିମ୍ବା ସମ୍ପର୍କର ସ୍ଥିତିକୁ ସୂଚାଏ । ଡାହାଣ ହାତରେ ହୃଦୟଟି ବାହାର ପଟକୁ ମୁହଁ କରିଥିଲେ ସେ ଅବିବାହିତ ଅଟନ୍ତି ଏବଂ ବାମ ହାତରେ ହୃଦୟଟି ଭିତର ପଟକୁ (ନିଜ ଆଡ଼କୁ) ମୁହଁ କରିଥିଲେ ସେ ବିବାହିତ ଅଟନ୍ତିବୋଲି ସୂଚାଇଥାଏ । ଏଭଳି ପାରମ୍ପରିକ ଗହଣା ବିଶ୍ବରେ ବିରଳ ।
ସ୍କାଣ୍ଡାଭିଆନ
ଭାଇକିଙ୍ଗ୍ ସମୟର ଗହଣାଗୁଡ଼ିକ ବ୍ୟବହାରିକତା ସହ ପ୍ରତୀକାତ୍ମକତାର ସୁନ୍ଦର ସମନ୍ୱୟ ଥିଲା । ଭଗବାନ 'ଥର୍ଙ୍କ ହାତୁଡ଼ି' ପେଣ୍ଡାଣ୍ଟ ଆତ୍ମରକ୍ଷା ପ୍ରଦାନ କରୁଥିଲା ଏବଂ ଭଗବାନ ଥର୍ଙ୍କ ଶକ୍ତିକୁ ଆବାହନ କରୁଥିଲା । ବାହୁବଳୟ ବା ଆର୍ମ ରିଂ ଧନସମ୍ପତ୍ତିର ପରିଚୟ ଦେଉଥିଲା ଏବଂ ମୁଦ୍ରା ଭାବେ ମଧ୍ୟ ବ୍ୟବହୃତ ହେଉଥିଲା । ସେହିପରି ବ୍ରୋଚ୍ ଗୁଡ଼ିକ ଘୋଡ଼ାଇ ହେଉଥିବା ଚାଦର କିମ୍ବା ପୋଷାକକୁ ବାନ୍ଧି ରଖିବା ସହ ସାମାଜିକ ପ୍ରତିଷ୍ଠାକୁ ଦର୍ଶାଉଥିଲା । ନୋର୍ସ ପୌରାଣିକ କାହାଣୀ ଭାଇକିଙ୍ଗ୍ ଗହଣାକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ପଶୁପକ୍ଷୀ, ରୁନ୍ ସାଙ୍କେତିକ ଲିପି ଏବଂ ଦେବତାମାନଙ୍କ ଚିତ୍ର ପ୍ରାୟତଃ ଏଥିରେ ଦେଖିବାକୁ ମିଳୁଥିଲା, ଯାହାର ପ୍ରତ୍ୟେକଟି ଭାଇକିଙ୍ଗ୍ ବିଶ୍ୱାସ ସହ ଜଡ଼ିତ ସ୍ୱତନ୍ତ୍ର ଅର୍ଥ ବହନ କରୁଥିଲା ।
ଇଟାଲି
ଭୂମଧ୍ୟସାଗରୀୟ ଅଞ୍ଚଳରେ ଲାଲ୍ ପ୍ରବାଳ ଶତାବ୍ଦୀ ଶତାବ୍ଦୀ ଧରି ଅତ୍ୟନ୍ତ ମୂଲ୍ୟବାନ ହୋଇରହିଛି । ଇଟାଲୀୟ ପରମ୍ପରାରେ, ପ୍ରବାଳ ଗହଣା 'ଖରାପ ନଜର'ରୁ ରକ୍ଷା କରେ ଏବଂ ସୌଭାଗ୍ୟ ଆଣିଥାଏ ବୋଲି ବିଶ୍ୱାସ କରାଯାଏ । ନବଜାତ ଶିଶୁମାନଙ୍କୁ ସୁରକ୍ଷା କବଚ ଭାବରେ ପ୍ରାୟତଃ ପ୍ରବାଳର ବ୍ରେସଲେଟ କିମ୍ବା ପେଣ୍ଡାଣ୍ଟ ଉପହାର ଦିଆଯାଇଥାଏ । ନାପୋଲି ଏବଂ ସିସିଲି ଅଞ୍ଚଳରେ ବିଶେଷ କରି, ସମୁଦ୍ରରୁ ପ୍ରବାଳ ସଂଗ୍ରହ କରିବା ଏବଂ ସେଥିରୁ ଗହଣା ତିଆରି କରିବା ପୁରୁଷ ପୁରୁଷ ଧରି ଏକ ସ୍ୱତନ୍ତ୍ର ଓ ବିଶେଷଜ୍ଞ ପେଷା ଭାବେ ଚାଲିଆସୁଛି ।
ଆମେରିକା
ଆମେରିକାର ଦକ୍ଷିଣ-ପଶ୍ଚିମାଞ୍ଚଳର ଅନେକ ଆଦିବାସୀ ଜନଜାତି, ବିଶେଷ କରି 'ନାଭାଜୋ' ଏବଂ 'ଜୁନି' ସମ୍ପ୍ରଦାୟ ପାଇଁ ଫିରୋଜା କିମ୍ବା ଟର୍କୋଏଜ୍ ପଥରର ଏକ ପବିତ୍ର ଓ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ନାଭାଜୋ ଏବଂ ଜୁନି କାରିଗରମାନେ ରୂପା କାମ ସହିତ ଟର୍କୋଏଜ୍କୁ ସୁନ୍ଦର ଭାବେ ସଜାଇ ଗହଣା ତିଆରି କରିବାରେ ବିଶ୍ୱପ୍ରସିଦ୍ଧ । ଏହି ସମ୍ପ୍ରଦାୟଗୁଡ଼ିକ ପାଇଁ ଟର୍କୋଏଜ୍ ଜୀବନ, ସୁରକ୍ଷା ଏବଂ ଆଧ୍ୟାତ୍ମିକ ଜଗତ ସହ ସଂଯୋଗର ପ୍ରତୀକ ଅଟେ । ଏହି ପଥରର ଈଷତ୍ ନୀଳ - ସବୁଜ ରଙ୍ଗ ଆକାଶ ଏବଂ ଜଳକୁ ଦର୍ଶାଏ, ଯାହା ମରୁଭୂମିରେ ବସବାସ କରୁଥିବା ଲୋକଙ୍କ ପାଇଁ ଅତି ନିହାତି ଆବଶ୍ୟକୀୟ ଉପାଦାନ ।
ମେକ୍ସିକୋ
ମେକ୍ସିକୋର 'ଟାକ୍ସକୋ' ୧୯୩୦ ଦଶକରେ ରୂପା ଗହଣା ଶିଳ୍ପର ମୁଖ୍ୟ କେନ୍ଦ୍ର ପାଲଟିଥିଲା । ତେବେ ମେକ୍ସିକୋରେ ରୂପା କାରୁକାର୍ଯ୍ୟର ଇତିହାସ କୋଲମ୍ବସ-ପୂର୍ବ ସମୟରୁ ଆରମ୍ଭ ହୋଇଥିଲା । ସ୍ପାନିସ୍ ଉପନିବେଶ ସମୟରେ ଏହି ଗହଣାର ନକ୍ସାଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଯେଉଁଥିରେ ସ୍ଥାନୀୟ ଜନଜାତିଙ୍କ ପାରମ୍ପରିକ କୌଶଳ ଏବଂ ୟୁରୋପୀୟ ଶୈଳୀର ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଥିଲା । ମେକ୍ସିକାନ୍ ରୂପା ଗହଣାଗୁଡ଼ିକ ପ୍ରାୟତଃ ଆକର୍ଷଣୀୟ ଓ ବୋଲ୍ଡ ନକ୍ସା ଏବଂ ଅକ୍ସିଡାଇଜ୍ଡ୍ ଫିନିସିଂ ପାଇଁ ଜଣାଶୁଣା । ଏଠାକାର କାରିଗରମାନେ ନିଜର ପାରମ୍ପରିକ ଶୈଳୀକୁ ବଜାୟ ରଖିବା ସହ ଆଧୁନିକ ପସନ୍ଦ ଅନୁସାରେ ଆଜି ମଧ୍ୟ ହାତରେ ସୁନ୍ଦର ରୂପା ଗହଣା ତିଆରି କରିଚାଲିଛନ୍ତି ।
ପେରୁ
ସ୍ପାନିସ୍ ଉପନିବେଶ ପୂର୍ବରୁ ଆଣ୍ଡିଜ୍ ପାର୍ବତ୍ୟାଞ୍ଚଳ (ପେରୁ ଏବଂ ବୋଲିଭିଆ)ର ପୁରାତନ ସଂସ୍କୃତିଗୁଡ଼ିକ ଅତ୍ୟନ୍ତ ସୂକ୍ଷ୍ମ ଓ ଉନ୍ନତମାନର ସୁନା ଗହଣା ତିଆରି କରୁଥିଲେ । ଇନ୍କା ଏବଂ ତାହା ପୂର୍ବର ସଭ୍ୟତାଗୁଡ଼ିକ ସୁନାରେ ପଶୁପକ୍ଷୀ, ଦେବଦେବୀ ଏବଂ ଜ୍ୟାମିତିକ ନକ୍ସା ଚିତ୍ରିତ ଜଟିଳ କାରୁକାର୍ଯ୍ୟ କରୁଥିଲେ । ଏହିସବୁ ପ୍ରତୀକାତ୍ମକ ନକ୍ସା ଗହଣା ପିନ୍ଧୁଥିବା ବ୍ୟକ୍ତିଙ୍କୁ ପ୍ରାକୃତିକ ଏବଂ ଆଧ୍ୟାତ୍ମିକ ଜଗତ ସହ ଯୋଡ଼ି ରଖୁଥିଲା । ସେମାନଙ୍କ ବିଶ୍ୱାସରେ ସୁନା ସୂର୍ଯ୍ୟଙ୍କ ଶକ୍ତିର ପ୍ରତୀକ ଥିଲା, ଯେତେବେଳେ କି ରୂପା ଚନ୍ଦ୍ରଙ୍କ ସହ ସଂଯୁକ୍ତ ଥିଲା ।
ନ୍ୟୁଜିଲାଣ୍ଡ
ମାଓରୀ ସଂସ୍କୃତିରେ 'ପୋଉନାମୁ' ବା ସବୁଜ ପଥର ଏକ ଅତ୍ୟନ୍ତ ଆଦରଣୀୟ ଓ ମୂଲ୍ୟବାନ ପଥର । ଏହି ପଥରକୁ ଖୋଦେଇ କରି 'ହେଇ - ଟିକି' ନାମକ ପେଣ୍ଡାଣ୍ଟ କିମ୍ବା ଅନ୍ୟାନ୍ୟ ରୂପ ଦିଆଯାଇଥାଏ । ଯାହା ପିଢ଼ି ପରେ ପିଢ଼ି ପରିବାର ମଧ୍ୟରେ ଦିଆନିଆ ହୋଇଥାଏ ଏବଂ ପ୍ରତ୍ୟେକ ନୂତନ ପିଢ଼ି ସହ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବୃଦ୍ଧି ପାଇଥାଏ । ଏଗୁଡ଼ିକ କେବଳ ସାଧାରଣ ଗହଣା ନୁହଁନ୍ତି ଏଗୁଡ଼ିକ ହେଉଛି 'ତାଓଙ୍ଗା' ବା ସମ୍ପଦ । ପ୍ରତ୍ୟେକଟି କାରୁକାର୍ଯ୍ୟ ଗୋଟିଏ ଗୋଟିଏ କାହାଣୀ କହେ ଏବଂ ଏହାକୁ ପୂର୍ବରୁ ପିନ୍ଧିଥିବା ବ୍ୟକ୍ତିମାନଙ୍କର 'ମାନା' ବା ଆଧ୍ୟାତ୍ମିକ ଶକ୍ତିକୁ ବହନ କରିଥାଏ ।
ପ୍ୟାସଫିକ ଆଇଲାଣ୍ଡ
ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ବା ପ୍ୟାସଫିକ ଆଇଲାଣ୍ଡ ଗୁଡ଼ିକରେ ଶାମୁକା ଓ ଛୋଟ ଶଙ୍ଖକୁ ପାରମ୍ପରିକ ଗହଣା ତିଆରିର ମୁଖ୍ୟ ଉପାଦାନ ଭାବେ ବ୍ୟବହୃତ କରାଯାଇଥାଏ । କେତେକ ସଂସ୍କୃତିରେ ଶଙ୍ଖ ମାଳାଗୁଡ଼ିକ ସ୍ୱତନ୍ତ୍ର ପର୍ବପର୍ବାଣି ଓ ଉତ୍ସବର ପରିଚୟ ଦେଇଥାଏ କିମ୍ବା ଧନସମ୍ପତ୍ତି ଓ ସାମାଜିକ ପ୍ରତିଷ୍ଠାର ପ୍ରତୀକ ସାଜିଥାଏ । ଦ୍ୱୀପାଞ୍ଚଳରେ ପ୍ରଚୁର ପରିମାଣରେ ମିଳୁଥିବା ଏହି ଶଙ୍ଖ ଓ ଶାମୁକା ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସହଜଲଭ୍ୟତା, ଏଗୁଡ଼ିକୁ ସୌନ୍ଦର୍ଯ୍ୟବର୍ଦ୍ଧନ ପାଇଁ ବ୍ୟବହାରିକ ଏବଂ ଅର୍ଥପୂର୍ଣ୍ଣ ଆଭୂଷଣ ଭାବେ ଗଢ଼ିତୋଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।