Editorial: ଅସଲ ହିରୋ!

Oct 07, 2026 - 03:30
Editorial: ଅସଲ ହିରୋ!

"ଏହା ମଧ୍ୟ ଘୋର ଆଶ୍ବାସନା ଓ ସନ୍ତୋଷର କଥା ଯେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ବେଞ୍ଜାମିନ୍ ନେତାନ୍ୟାହୁ ନୁହନ୍ତି, ସମଗ୍ର ପୃଥିବୀବାସୀ ମଚ୍ଛରଙ୍କର ଏଇ କ୍ଷୁଦ୍ର କାର୍ଯ୍ୟ ବହନ କରୁଥିବା ଅସୀମ ମହାନତାକୁ ହୃଦୟଙ୍ଗମ କରିବା ଦେଖାଯାଇଛି।

ଇସ୍ରାଏଲ କନସୁଲେଟ୍ ତରଫରୁ ସ୍ମିତଙ୍କ ଜନ୍ମସ୍ଥାନ ମୁମ୍ବାଇରେ ସ୍ଥାପନ କରାଯାଇଥିବା ବିଶାଳ କୃତଜ୍ଞତା ପ୍ରକାଶକାରୀ ହୋଡିଙ୍ଗମାନ ହେଉଛନ୍ତି ଏହା ଅନ୍ୟତମ ଚାକ୍ଷୁସ ପ୍ରମାଣ।

ଏହା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଲୁଚି ରହିଥିବା ସ୍ମିତ ମଚ୍ଛରଙ୍କୁ ଜାଗରୂକ କରିବାରେ ସହାୟକ ହେବ ବୋଲି ଆମର ଦୃଢ଼ ବିଶ୍ବାସ।Advertisment କ୍ୟାପ୍‌ଟେନ ସ୍ମିତ ମଚ୍ଛର ବର୍ତ୍ତମାନ ବାସ୍ତବ ଦୁନିଆର ସଦ୍ୟତମ ତଥା ଉଚ୍ଚତମ ହିରୋରେ ପରିଣତ ହୋଇଛନ୍ତି, ଯାହାଙ୍କର ଚେହେରା ଏବେ ପୃଥିବୀର ସର୍ବାଧିକ ପରିଚିତ ଚେହେରାରେ ପରିଣତ ହୋଇଛି।

କିନ୍ତୁ କ୍ୟାପ୍‌ଟେନ ମଚ୍ଛର ସେପ୍‌ଟେମ୍ବର ୩୦ ତାରିଖ ଦିନ ଯେତେବେଳେ ତାଙ୍କ ବିମାନର କକ୍‌ପିଟ୍‌ରେ ପ୍ରବେଶ କରିଥିଲେ, ସେ ଘୁଣାକ୍ଷରେ ମଧ୍ୟ ଜାଣି ନ ଥିଲେ ଯେ କିଛି ସମୟ ମଧ୍ୟରେ ତାଙ୍କୁ ଜଣେ ଅସଲ ହିରୋର ଭୂମିକା ନିର୍ବାହ କରିବାକୁ ହେବ; ସେ ଗତାନୁଗତିକ ଭାବରେ ତାଙ୍କର ବିମାନଟିକୁ ଦୁବାଇରୁ ଇସ୍ରାଏଲର ତେଲ ଅଭିଭ ପର୍ଯ୍ୟନ୍ତ ଉଡ଼ାଇ ନେବା ପାଇଁ ନିଜର ଡ୍ୟୁଟିରେ ଯୋଗ ଦେଇଥିଲେ।ତା" ପରେ ସ୍ମିତ ଅଚାନକ ଭାବରେ ତାଙ୍କର ସହକର୍ମୀ ତଥା କୋ-ପାଇଲଟ୍ ହମାମ୍ ଆଲ୍-ହମାମିର ଅତର୍କିତ ଆକ୍ରମଣର ଶିକାର ହେଲେ।

ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ଅନୁଭବ କଲେ ଯେ ସେ ଯଦି ସେଇଭଳି ପଡ଼ିରହିବେ, ତେବେ ଫ୍ଲାଇଟ୍‌ଟି ଏକ ଭୀଷଣ ତଥା ନିଶ୍ଚିତ ଅଘଟଣର ସମ୍ମୁଖୀନ ହେବାକୁ ଯାଉଛି, ଯେଉଁଥିରେ ସମସ୍ତଙ୍କର ପ୍ରାଣନାଶ ଘଟିବ।

ସେ ତାଙ୍କର ପାରୁପର୍ଯ୍ୟନ୍ତ ଏହା ଘଟିବାକୁ ନ ଦେବା ଉଦ୍ଦେଶ୍ୟରେ ଅସାମାନ୍ୟ ପ୍ରତ୍ୟୁତ୍ପନ୍ନମତିତାର ପରିଚୟ ଦେଇ ନିଜର ଶେଷ ଶକ୍ତି ଖର୍ଚ୍ଚକରି ତଳୁ ଉଠି ଭିତରୁ ବନ୍ଦ ଥିବା କକ୍‌ପିଟ୍‌ର ଦ୍ବାରକୁ ଖୋଲିଦେଲେ, ଯାହା ଫଳରେ କେତେକ ଯାତ୍ରୀ କକ୍‌ପିଟ୍‌ରେ ପ୍ରବେଶ କରି ଆକ୍ରମଣକାରୀ ଆଲ୍-ହମାମିକୁ କାବୁ କରିବାରେ ଏବଂ ବିମାନଟିକୁ ନିରାପଦରେ ଅବତରଣ କରିବାରେ ସଫଳ ହେଲେ।ଇତିମଧ୍ୟରେ "ୟୁନାଇଟେଡ୍ ଆରବ ଏମିରେଟ୍‌ସ" କର୍ତ୍ତୃପକ୍ଷ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିସାରିଲେଣି, ଏବଂ ଆଲ୍-ହମାମି ହେଉଛି ଜଣେ ଘୋର ଧର୍ମାନ୍ଧ ଇସଲାମୀୟ ଉଗ୍ରବାଦୀ ବୋଲି ଜଣାପଡ଼ି ସାରିଲାଣି।

କ୍ୟାପ୍‌ଟେନ ମଚ୍ଛର କିନ୍ତୁ ଯେତେବେଳେ ରକ୍ତଜୁଡୁବୁଡୁ ହୋଇ ତଳେ ପଡ଼ିଥିଲେ, ସେତେବେଳେ ସେ ଏସବୁ ବିଷୟରେ କିଛି ହେଲେ ଜାଣି ନ ଥିଲେ।

ତାଙ୍କ କହିବା ଅନୁସାରେ ସେ କେବଳ ସାହସ ଓ ଶକ୍ତି ସଂଗ୍ରହ ପାଇଁ ହନୁମାନ ଚାଳିଶା ଗାଇ ଗାଇ କୌଣସି ମତେ ତଳୁ ଉଠି ବନ୍ଦ ଦ୍ବାରକୁ ଖୋଲି ଦେଇଥିଲେ।ସ୍ମିତଙ୍କର ଏଇ ଅବିଶ୍ବାସ୍ୟ କାର୍ଯ୍ୟଟି ତାଙ୍କୁ ଆଜି ଅନ୍ତର୍ଜାତୀୟ ହିରୋରେ ପରିଣତ କରିଥିଲେ ହେଁ, ସେତେବେଳେ ସେ ଏହାକୁ ସେ ଦୃଷ୍ଟିରେ ନ ଦେଖି ଏହାକୁ ଜଣେ ଫ୍ଲାଇଟ୍‌ର କ୍ୟାପ୍‌ଟେନ ତଥା ଜଣେ ମନୁଷ୍ୟର ସ୍ବାଭାବିକ କର୍ତ୍ତବ୍ୟ ରୂପେ ବିଚାର କରିଥିଲେ ଓ ଏଥିପାଇଁ ଗୋଟିଏ ମୁହୂର୍ତ୍ତ ମଧ୍ୟ ବିଳମ୍ବ କରି ନ ଥିଲେ।

ଏଠାରେ ଏହା ଉଲ୍ଲେଖ କରିବା ଆବଶ୍ୟକ ଯେ ଆଜିର ସୋସିଆଲ ମିଡିଆ ତଥା ଅାତ୍ମପ୍ରଚାର ଯୁଗରେ ଏହାକୁ "ଇନ୍‌ଷ୍ଟାଗ୍ରାମ" ମାଧ୍ୟମରେ ପ୍ରସାର କରିବା ଉଦ୍ଦେଶ୍ୟରେ ସେଠାରେ କେହି ଏହାର ଭିଡିଓ ରେକଡିଙ୍ଗ କରୁ ନ ଥିଲା କିମ୍ବା ଏହାର ନାଟକୀୟ ପ୍ରଚାର କରିବା ପାଇଁ ସେଠାରେ କୌଣସି ଟେଲିଭିଜନ କ୍ୟାମେରା ଉପସ୍ଥିତ ନ ଥିଲା।

ଅର୍ଥାତ୍ ସୁଯୋଗର ସଦ୍‌ବ୍ୟବହାର କରି ନିଜକୁ ଜଣେ ହିରୋ ‌ରୂପେ ପ୍ରଦର୍ଶିତ କରିବା କ୍ୟାପ୍‌ଟେନ ମଚ୍ଛରଙ୍କର ଉଦ୍ଦେଶ୍ୟ ନ ଥିଲା।ତାଙ୍କର ସେଇ କାର୍ଯ୍ୟର ଫଳ ଶେଷରେ କ"ଣ ହେବାକୁ ଯାଉଛି, ତାହା ମଧ୍ୟ କ୍ୟାପ୍‌ଟେନ ମଚ୍ଛରଙ୍କୁ ଜଣା ନ ଥିଲା।

ସେ କେବଳ ନିଜର ଅଜାଣତରେ ଶ୍ରୀମଦ୍‌ ଭଗବଦ୍ ଗୀତାକୁ ଅନୁସରଣ କଲାଭଳି ନିଜର "ସ୍ବଧର୍ମ" ପାଳନ କରିଥିଲେ: ଜଣେ ପାଇଲଟ୍ ତଥା ଫ୍ଲାଇଟ୍ କ୍ୟାପ୍‌ଟେନର ଧର୍ମ।

ଏହି ଧର୍ମ ହେଉଛି- ନିଜର ପାରୁପର୍ଯ୍ୟନ୍ତ ଯାତ୍ରୀମାନଙ୍କର ଜୀବନକୁ ସୁରକ୍ଷିତ ରଖିବା ବା ଅନ୍ୟ ଭାବରେ କହିଲେ- ବିପଦାପନ୍ନ ନ କରିବା।

ଏହା ଅନୁସାରେ ନିଜର ଶେଷ ନିଃଶ୍ବାସ ଚାଲୁଥିବା ପର୍ଯ୍ୟନ୍ତ କ୍ୟାପ୍‌ଟେନ ନିଜର ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥାନ୍ତି, ଠିକ୍ ଯେମିତି ଏକ ଜାହାଜ ବୁଡ଼ିଯାଉଥିବା ବେଳେ ଅନ୍ୟ ସମସ୍ତେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ଜାହାଜ ଛାଡ଼ି ଚାଲିଯିବା ପରେ ସର୍ବଶେଷ ବ୍ୟକ୍ତି ରୂପେ ଜାହାଜର କ୍ୟାପ୍‌ଟେନ ସେ ଜାହାଜ ତ୍ୟାଗ କରିଥାନ୍ତି- ଏହାଦ୍ବାରା ତାଙ୍କର ବଞ୍ଚିବାର ସମ୍ଭାବନା ହ୍ରା‌ସ ପାଇଥିଲେ ମଧ୍ୟ।

ବ୍ୟାସଦେବଙ୍କ ପଟ୍ଟଶିଷ୍ୟ ତଥା "ପୂର୍ବ-ମୀମାଂସା" ଦର୍ଶନର ପ୍ରବର୍ତ୍ତକ ମହର୍ଷି ଜୈମିନୀ ତାଙ୍କ ଦ୍ବାରା ରଚିତ "ମୀମାଂସା ସୂତ୍ର"ରେ ସ୍ପଷ୍ଟ କରିଥିବା ଭଳି ପ୍ରତ୍ୟେକ ବ୍ୟକ୍ତି ଏଇଭଳି ନିଜର "ସ୍ବଧର୍ମ" ପାଳନ କରିବା ଦ୍ବାରା ହିଁ ସଂସାର ଠିକଣା ଭାବରେ ତିଷ୍ଠି ରହିଥାଏ।

ଏଥିରେ ବ୍ୟତିକ୍ରମ ସଂସାରର ସନ୍ତୁଳନକୁ ବିପଦଗ୍ରସ୍ତ କରିଥାଏ, ଯେପରି ଘଟିଥିଲା ସେଦିନ କୋ-ପାଇଲଟ୍ ଜଣକ ନିଜର ଏଇ "ସ୍ବଧର୍ମ"ର ବିରୋଧାଚରଣ କରିବାରୁ।କେବଳ ମଚ୍ଛର ନୁହନ୍ତି, ସେଦିନ ଯେଉଁ ଅନ୍ୟ କେତେକ ସାଧାରଣ ମନୁଷ୍ୟମାନେ ମଧ୍ୟ ଏଇଭଳି ମାନବଧର୍ମ ଅନୁସରଣ କରି ଅପୂର୍ବ ବୀରତ୍ବ ପ୍ରଦର୍ଶନ କରିଥିଲେ, ସେମାନେ ହେଉଛନ୍ତି ଯେଉଁ ଦନ୍ତ ଚିକିତ୍ସକ ଗୁରୁତର ଆହତ ସ୍ମିତ ମଚ୍ଛରଙ୍କୁ ଆଶୁ ସହାୟତା ପ୍ରଦାନ କରି ତାଙ୍କର ଜୀବନ ରକ୍ଷା କରିଥିଲେ, ଯେଉଁ ପ୍ଲମ୍ବର ନିଜର ଟେଲିଭିଜନରୁ ଆହରଣ କରିଥିବା ଜ୍ଞାନର ତତ୍‌କ୍ଷଣାତ୍ ପ୍ରୟୋଗ କରି ବିମାନଟିର ତୀବ୍ର ସ୍ଖଳନକୁ ଅଟକାଇ ଦେଇଥିଲେ, ଯେଉଁ କାର୍ଯ୍ୟ-ବିରତ ପାଇଲଟ୍-ଯାତ୍ରୀ ଦ୍ବୟ ବିମାନଟିକୁ ସୁନିୟନ୍ତ୍ରିତ ଭାବରେ ଅବତରଣ କରାଇ ଦେଇଥିଲେ, ଏବଂ ଯେଉଁମାନେ ଏ ସମସ୍ତ ଜୀବନ ରକ୍ଷାକାରୀ ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଆତଙ୍କବାଦୀ କୋ-ପାଇଲଟ୍‌କୁ କାବୁ କରିବାରେ ସଫଳ ହୋଇଥିଲେ।

ଏମାନେ ସମସ୍ତେ ଯେ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଦ୍ବାରା ପ୍ରଦର୍ଶିତ ଅପୂର୍ବ ସାହସ ଓ ବୀରତ୍ବ ଦ୍ବାରା ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଜଣେ ଜଣେ ହିରୋରେ ପରିଣତ ହୋଇଯାଇଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ।ଏହା ପ୍ରମାଣ କରିଥାଏ ଯେ କୌଣସି ମନୁଷ୍ୟ ହିରୋ ହେବାର ବିଶେଷ କ୍ଷମତା ବା ଗୁଣ ଧାରଣ କରି ଜନ୍ମ ହୋଇ ନ ଥାଏ, ପ୍ରତ୍ୟେକ ମନୁଷ୍ୟଠାରେ ସେଇ କ୍ଷମତା ସୁପ୍ତ ଅବସ୍ଥାରେ ରହିଥାଏ; ବେଳେବେଳେ ସେମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇ କୌଣସି ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ତାହା ଆତ୍ମପ୍ରକାଶ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥାଏ।

କେହି ନ ଦେଖୁଥିବା ସମୟରେ ଏକ ଅତି ସାଧାରଣ ଓ ସ୍ବାଭାବିକ କର୍ତ୍ତବ୍ୟ ସଂପାଦନ ମଧ୍ୟ ଯେ ହିରୋତ୍ବର ପରିଚାୟକ ହୋଇପାରେ, ତାହା ଏଇ ଘଟଣାରେ ପ୍ରତିପାଦିତ ହୋଇଛି- ଯେମିତି ସ୍ମିତ ମଚ୍ଛରଙ୍କ ଦ୍ବାରା ଏକ ବନ୍ଦ ଦ୍ବାର ଖୋଲିବା ଭଳି ଏକ ଅତି ସାଧାରଣ କାର୍ଯ୍ୟ।

ଏହା ମଧ୍ୟ ଘୋର ଆଶ୍ବାସନା ଓ ସନ୍ତୋଷର କଥା ଯେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ବେଞ୍ଜାମିନ୍ ନେତାନ୍ୟାହୁ ନୁହନ୍ତି, ସମଗ୍ର ପୃଥିବୀବାସୀ ମଚ୍ଛରଙ୍କର ଏଇ କ୍ଷୁଦ୍ର କାର୍ଯ୍ୟ ବହନ କରୁଥିବା ଅସୀମ ମହାନତାକୁ ହୃଦୟଙ୍ଗମ କରିବା ଦେଖାଯାଇଛି।

ଇସ୍ରାଏଲ କନସୁଲେଟ୍ ତରଫରୁ ସ୍ମିତଙ୍କ ଜନ୍ମସ୍ଥାନ ମୁମ୍ବାଇରେ ସ୍ଥାପନ କରାଯାଇଥିବା ବିଶାଳ କୃତଜ୍ଞତା ପ୍ରକାଶକାରୀ ହୋଡିଙ୍ଗମାନ ହେଉଛନ୍ତି ଏହା ଅନ୍ୟତମ ଚାକ୍ଷୁସ ପ୍ରମାଣ।

ଏହା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଲୁଚି ରହିଥିବା ସ୍ମିତ ମଚ୍ଛରଙ୍କୁ ଜାଗରୂକ କରିବାରେ ସହାୟକ ହେବ ବୋଲି ଆମର ଦୃଢ଼ ବିଶ୍ବାସ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।