Editorial: ନରସଂହାର!

Oct 01, 2026 - 06:38
Editorial: ନରସଂହାର!

"ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ବହୁ ପ୍ରଚାରିତ ସରକାରୀ ସ୍ବାସ୍ଥ୍ୟବୀମା ଯୋଜନାମାନଙ୍କର ଉପସ୍ଥିତି ସତ୍ତ୍ବେ ଭାରତରେ ରୋଗୀମାନଙ୍କୁ ତଥାପି ଚିକିତ୍ସା ବ୍ୟୟର ହାରାହାରି ୪୩ ଶତାଂଶ ନିଜ ପକେଟ୍‌ରୁ ବହନ କରିବାକୁ ପଡ଼ିଥାଏ ("ଆଉଟ୍ ଅଫ ପକେଟ୍ ଏକ୍‌ସପେଣ୍ଡିଚର"), ଯାହା ହେଉଛି ପୃଥିବୀରେ ପରିଦୃଷ୍ଟ ସର୍ବୋଚ୍ଚ ଅନୁପାତ ଶ୍ରେଣୀଭୁକ୍ତ।

ସୁପ୍ରିମ୍ କୋର୍ଟଙ୍କ ବିଚାରରେ ଭାରତରେ ଅନୁସୃତ ଔଷଧ ଦର ନିର୍ଦ୍ଧାରଣ ନୀତି (ଯାହାକୁ ଅର୍ଥଶାସ୍ତ୍ରରେ "ପ୍ରାଇସ ଗାଉଜିଙ୍ଗ" ବୋଲି କୁହାଯାଇଥାଏ) ହେଉଛି ଏଥିପାଇଁ ବହୁଳାଂଶରେ ଦାୟୀ।

ଏକ ଜନମଙ୍ଗଳ ରାଷ୍ଟ୍ରରେ ତୁରନ୍ତ ଏଭଳି "ନରସଂହାରକାରୀ" ନୀତିରେ ଅନ୍ତ ଘଟାଇବା ହେଉଛି ସରକାରଙ୍କର ମୌଳିକ ଦାୟିତ୍ବ।Advertisment Neglect:  ଛାତ୍ରାବାସରେ ଅବ୍ୟବସ୍ଥା; ଭୋଜନ ଥାଳିରେ ବର୍ଷାପାଣି ଓ ଧୂଳିମଳି ""ଶରୀରଂ ବ୍ୟାଧି ମନ୍ଦିରମ୍।"" ମନୁଷ୍ୟର ଶରୀର ହେଉଛି ରୋଗର ମନ୍ଦିର।

ଦେହ ଅଛି ତ ରୋଗ ଅଛି।

ମନୁଷ୍ୟ ଯେଉଁସବୁ କର୍ମ କରିବା ପାଇଁ ଜନ୍ମ ହୋଇଥାଏ, ଏକ ରୋଗଗ୍ରସ୍ତ ଶରୀର ସେ ସବୁର ସଂପାଦନରେ ପ୍ରତିବନ୍ଧକ ସାଜିଥାଏ।

ତେଣୁ ମହାକବି କାଳିଦାସ ତାଙ୍କର ମହାକାବ୍ୟ "କୁମାର ସମ୍ଭବ"ର ପଞ୍ଚମ ସର୍ଗରେ କହିଥିବା ଭଳି: ""ଶରୀର ମାଦ୍ୟଂ ଖଳୁ ଧର୍ମସାଧନମ୍।"" ଅର୍ଥାତ୍ ନିଃସନ୍ଦେହରେ ଶରୀର ହେଉଛି ସମସ୍ତ ଧର୍ମ ପାଳନ ଅର୍ଥାତ୍ ସମସ୍ତ କର୍ତ୍ତବ୍ୟ ସଂପାଦନର ସର୍ବପ୍ରଥମ ତଥା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସାଧନ।

ତେଣୁ ଶରୀରକୁ ରୋଗମୁକ୍ତ ରଖିବା ହେଉଛି ମନୁଷ୍ୟର ସର୍ବପ୍ରଥମ ଦାୟିତ୍ବ।

କେବଳ ଏହା ନୁହେଁ, ରୋଗବ୍ୟାଧି ମଧ୍ୟ ମନୁଷ୍ୟର ଜୀବନକୁ ଯନ୍ତ୍ରଣାଜର୍ଜରିତ କରିଥାନ୍ତି।

ସେଥିପାଇଁ ଏକ ସୁସ୍ଥ ଜୀବନକୁ ମନୁଷ୍ୟର ସର୍ବଶ୍ରେଷ୍ଠ ସୌଭାଗ୍ୟ ରୂପେ ବିଚାର କରାଯାଇଥାଏ।

ଯେ କୌଣସି ଜନମଙ୍ଗଳ ରାଷ୍ଟ୍ରର ମୌଳିକ ଦାୟିତ୍ବ ତେଣୁ ହେଉଛି ଏହା ନିଶ୍ଚିତ କରିବା, ଯେପରି ପ୍ରତ୍ୟେକ ନାଗରିକଙ୍କ ପାଇଁ ସର୍ବଦା ଫଳପ୍ରଦ ସ୍ବାସ୍ଥ୍ୟ ସେବା ସହଜରେ ଓ ସୁଲଭ ଭାବରେ ଉପଲବ୍‌ଧ ହୁଏ।ଏଭଳି ସ୍ବାସ୍ଥ୍ୟ ସେବାର ଯେଉଁ ଦୁଇଟି ଉପାଦାନ ହେଉଛି ସର୍ବପ୍ରଧାନ, ତାହା ହେଲେ- ଚିକିତ୍ସକ ଓ ଔଷଧ।

କେବଳ ରୋଗୀର ସ୍ବାସ୍ଥ୍ୟ ନୁହେଁ, ଅନେକ ସମୟରେ ତା"ର ଜୀବନ ମରଣ ତା" ପାଇଁ ଏ ଦୁଇ ନିର୍ଣ୍ଣାୟକ ଉପାଦାନ ଉପଲବ୍‌ଧ ହେବା ଉପରେ ନିର୍ଭର କରିଥାଏ।

ଏଇ ପରିପ୍ରେକ୍ଷୀରେ ତେଣୁ ମଙ୍ଗଳବାର ଦିନ ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ ଏଥିମଧ୍ୟରୁ ଗୋଟିଏ ଉପାଦାନ ସଂପର୍କରେ ଯେଉଁ ମନ୍ତବ୍ୟ ପ୍ରଦାନ କରିବା ଦେଖାଯାଇଛି, ତାହା ଆମମାନଙ୍କ ମନରେ ଘୋର ଭୀତି ସଞ୍ଚାର କରିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବଜାରରେ କେତେକ ଜୀବନ ରକ୍ଷାକାରୀ ଔଷଧପତ୍ରର କୃତ୍ରିମ ଆକାଶଛୁଅଁା ଦର ନିର୍ଦ୍ଧାରଣକୁ ଲକ୍ଷ୍ୟ କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହାକୁ ଯାହା ବୋଲି ଅଭିହିତ କରିଛନ୍ତି, ତାହା ହେଲା: ""ନରସଂହାର!"" ଏଇ ଔଷଧପତ୍ରମାନଙ୍କର ଖାଉଟି ବିକ୍ରୟ ଦର ଓ ସେଗୁଡ଼ିକର ପ୍ରକୃତ ଉତ୍ପାଦନ ଓ ସଂଗ୍ରହ ଦର ମଧ୍ୟରେ ଥିବା ଆକାଶ-ପାତାଳ ତଫାତ୍‌କୁ ଲକ୍ଷ୍ୟ କରି ସୁପ୍ରିମ୍ କୋର୍ଟ ଏହାକୁ ""ସ୍ପଷ୍ଟ ଓ ସିଧାସଳଖ ନରସଂହାର"" ବୋଲି ବର୍ଣ୍ଣନା କରି କଟୁ ଭର୍ତ୍ସନା କରିଛନ୍ତି।ଏଇ ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟ ଦେଶରେ ଅନୁସୃତ ଅସ୍ବଚ୍ଛ ଓ ଆକାଶଛୁଅଁା ଔଷଧ ଦରଦାମ ନିର୍ଦ୍ଧାରଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଯେ ଏହା ସାଧାରଣ ରୋଗୀମାନଙ୍କ ଉପରେ ଅସହ୍ୟ ବୋଝ ଲଦି ଦେଉଥିବାବେଳେ, ଘରୋଇ ହସ୍‌ପିଟାଲ ଓ ଅନ୍ୟମାନେ ଏହାଦ୍ବାରା ପ୍ରଭୂତ ଭାବରେ ଲାଭବାନ ହେଉଛନ୍ତି।

ଏହି ଦୁର୍ଭାଗ୍ୟଜନକ ପରିସ୍ଥିତିକୁ ପ୍ରମାଣିତ କରିବା ପାଇଁ ଯେଉଁ ସମସ୍ତ ଉଦାହରଣ ଉଦ୍ଧାର କରାଯାଇଛି, ତାହା କେବଳ ଚିନ୍ତାଜନକ ନୁହେଁ, ତାହା ସାଧାରଣ ରୋଗୀମାନଙ୍କୁ ଭୀତତ୍ରସ୍ତ କରିଦେଇଥାଏ।

ଏଇଭଳି ଏକ ଉଦାହରଣ ଅନୁସାରେ ଜଣେ କ୍ୟାନସର ପୀଡ଼ିତଙ୍କୁ ଯେଉଁ ଏକ ଜୀବନ ରକ୍ଷାକାରୀ ଔଷଧ କ୍ରୟ କରିବା ଲାଗି ୨୭,୦୦୦ ଛାପା ମୂଲ୍ୟ ଟଙ୍କା "ଏମ୍‌ଆର୍‌ପି" ଦେଇ ସର୍ବସ୍ବାନ୍ତ ହେବାକୁ ପଡ଼ିଥାଏ, ତାହା ସଂପୃକ୍ତ ଔଷଧ ଦୋକାନୀଙ୍କୁ ମାତ୍ର ପ୍ରାୟ ୩,୦୦୦ ଟଙ୍କା ମୂଲ୍ୟରେ ଉପଲବ୍‌ଧ ହୋଇଥାଏ।

ଏଇ ଉଦାହରଣ ପ୍ରଦାନ କରିବା ସମୟରେ ମାନ୍ୟବର ବିଚାରପତି ପ୍ରଶ୍ନ କରିଛନ୍ତି: ""ସଂଗ୍ରହ ମୂଲ୍ୟଠାରୁ ଦଶ ଗୁଣ ଅଧିକ ହୋଇଥିବା ଏଇ "ଏମ୍‌ଆର୍‌ପି"ରୁ ଆଦାୟ ହେଉଥିବା ବିପୁଳ ଅର୍ଥ କେଉଁଆଡ଼େ ଯାଇଥାଏ?"" ଏଇ ଅବସରରେ ଉପସ୍ଥାପିତ ହୋଇଥିବା ଆଉ ଏକ ଉଦାହରଣ ଅନୁସାରେ ୨୨,୪୩୭ ଟଙ୍କା "ଏମ୍‌ଆର୍‌ପି" ବା ଛାପା ମୂଲ୍ୟ ବହନ କରୁଥିବା ଏକ ଇଞ୍ଜେକ୍‌ସନର ବିକ୍ରେତା ମୂଲ୍ୟ ହେଉଛି ମାତ୍ର ୩,୫୨୦ ଟଙ୍କା।ଏଇ ଶୁଣାଣି ସମୟରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ସୂଚାଇବାକୁ ଭୁଲି ନାହାନ୍ତି ଯେ ରୋଗୀ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାକୁ ସର୍ବଦା ସେଇ ହସ୍‌ପିଟାଲ ଅନ୍ତର୍ଗତ ଔଷଧ ଦୋକାନରୁ ହିଁ ସମସ୍ତ ଔଷଧପତ୍ର କ୍ରୟ କରିବାକୁ ବାଧ୍ୟ କରାଯାଇଥାଏ।

ଯେଉଁ ରୋଗୀମାନେ ଏହାକୁ ଅମାନ୍ୟ କରି ରିହାତି ମୂଲ୍ୟରେ ହସ୍‌ପିଟାଲ ବାହାରେ ଥିବା କୌଣସି ଦୋକାନରୁ ତାହା କ୍ରୟ କରନ୍ତି, ହସ୍‌ପିଟାଲ କର୍ତ୍ତୃପକ୍ଷ ତାହାକୁ ନକଲି ଔଷଧ ହୋଇପାରିଥାଏ ବୋଲି କହି ରୋଗୀଠାରେ ଆତଙ୍କ ସୃଷ୍ଟି କରିଥାନ୍ତି।

ତେଣୁ ଅସହାୟ ରୋଗୀ ସେଇ ହସ୍‌ପିଟାଲ ପରିଚାଳିତ ଫାର୍ମାସିରୁ ହିଁ ଅଧିକ ମୂଲ୍ୟ ଦେଇ ଔଷଧ କ୍ରୟ କରିବାକୁ ବାଧ୍ୟ ହୋଇଥାନ୍ତି।

ଏହା ଶୋଷଣ ନୁହେଁ ତ ଆଉ କ"ଣ?

Horoscope 2026 October 01: ଜାଣନ୍ତୁ ଆଜିର ରାଶିଫଳ...

ସରକାର ଔଷଧପତ୍ର ସବୁକୁ ଯେଉଁ "ଅତ୍ୟାବଶ୍ୟକ" ଓ "ଅଣ-ଅତ୍ୟାବଶ୍ୟକ" ("ଏସେନ୍‌ସିଆଲ" ଓ "ନନ୍-ଏସେନ୍‌ସିଆଲ") ଶ୍ରେଣୀଭୁକ୍ତ କରି ଅନେକ ଔଷଧକୁ ଦର ନିୟନ୍ତ୍ରଣ ନିର୍ଦ୍ଦେଶାବଳୀ ("ଡ୍ରଗ୍‌ସ ପ୍ରାଇସେସ୍ କଣ୍ଟ୍ରୋଲ ଅର୍ଡର")ରୁ ବହିର୍ଭୂତ କରିଛନ୍ତି, ଅଦାଲତ ତାହାର ଯୌକ୍ତିକତାକୁ ମଧ୍ୟ ପ୍ରଶ୍ନ କରିଛନ୍ତି।

ଏଥିପୂର୍ବରୁ ଗତ ସପ୍ତାହରେ କିଷନ୍‌ଚାନ୍ଦ ଜୈନ ଓ ଡକ୍ଟର ସଞ୍ଜୟ କୁଳଶ୍ରେଷ୍ଠଙ୍କ ଦ୍ବାରା ଏ ସଂକ୍ରାନ୍ତରେ ଆଗତ ମାମଲାର ଶୁଣାଣି ଅବସରରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏ ବିଷୟରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ଯେ ଦେଶରେ ବିକ୍ରୟ ହେଉଥିବା ଔଷଧ ବ୍ରାଣ୍ଡ୍‌ମାନଙ୍କ ମଧ୍ୟରୁ ମାତ୍ର ୧୮ ଶତାଂଶ ଏଇ ଦର ନିୟନ୍ତ୍ରଣ ନିର୍ଦ୍ଦେଶାବଳୀରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଏବଂ ଯଦି ମୂଲ୍ୟ ଦୃଷ୍ଟିରୁ ଦେଖାଯାଏ, ତେବେ ସେଇ ଅନୁପାତ ହୋଇଥାଏ ୧୭ ଶତାଂଶ ମାତ୍ର।ଏକ ଦକ୍ଷିଣ ଭାରତୀୟ ସହରରେ କ୍ୟାନସର ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ ଲାଗି କରାଯାଇଥିବା ସାର୍ବଜନୀନ ଆବେଦନମାନଙ୍କର ଅନୁଶୀଳନରୁ ଜଣାପଡ଼ିଛି ଯେ ତିନି ଜଣ ରୋଗୀ ଏଥିପାଇଁ ଯଥାକ୍ରମେ ୭ ଲକ୍ଷ, ୮ ଲକ୍ଷ ଓ ୧୬ ଲକ୍ଷ ଟଙ୍କା ଲେଖାଏଁ ଆବଶ୍ୟକ କରୁଥିଲେ।

ଏହାକୁ ଦୃଷ୍ଟିରେ ରଖି ଅଦାଲତ ଘୋର ଚିନ୍ତା ପ୍ରକଟ କରିଥିଲେ ଯେ ଏଥିପାଇଁ ରୋଗୀର ପରିବାର ଗହଣାଗାଣ୍ଠି, ଘରଦ୍ବାର ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ବହୁ ପ୍ରଚାରିତ ସରକାରୀ ସ୍ବାସ୍ଥ୍ୟବୀମା ଯୋଜନାମାନଙ୍କର ଉପସ୍ଥିତି ସତ୍ତ୍ବେ ଭାରତରେ ରୋଗୀମାନଙ୍କୁ ତଥାପି ଚିକିତ୍ସା ବ୍ୟୟର ହାରାହାରି ୪୩ ଶତାଂଶ ନିଜ ପକେଟ୍‌ରୁ ବହନ କରିବାକୁ ପଡ଼ିଥାଏ ("ଆଉଟ୍ ଅଫ ପକେଟ୍ ଏକ୍‌ସପେଣ୍ଡିଚର"), ଯାହା ହେଉଛି ପୃଥିବୀରେ ପରିଦୃଷ୍ଟ ସର୍ବୋଚ୍ଚ ଅନୁପାତ ଶ୍ରେଣୀଭୁକ୍ତ।

ସୁପ୍ରିମ୍ କୋର୍ଟଙ୍କ ବିଚାରରେ ଭାରତରେ ଅନୁସୃତ ଔଷଧ ଦର ନିର୍ଦ୍ଧାରଣ ନୀତି (ଯାହାକୁ ଅର୍ଥଶାସ୍ତ୍ରରେ "ପ୍ରାଇସ ଗାଉଜିଙ୍ଗ" ବୋଲି କୁହାଯାଇଥାଏ) ହେଉଛି ଏଥିପାଇଁ ବହୁଳାଂଶରେ ଦାୟୀ।

ଏକ ଜନମଙ୍ଗଳ ରାଷ୍ଟ୍ରରେ ତୁରନ୍ତ ଏଭଳି "ନରସଂହାରକାରୀ" ନୀତିରେ ଅନ୍ତ ଘଟାଇବା ହେଉଛି ସରକାରଙ୍କର ମୌଳିକ ଦାୟିତ୍ବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।