02 SEPTEMBER 2026

Welcome!

Unlock your personalized experience.
Sign Up

Education Department: ବିବାଦରେ ଗଣଶିକ୍ଷା ବିଭାଗ: ବହି ଷଡ଼୍‌ଯନ୍ତ୍ର ପଛରେ କିଏ?

Jun 24, 2026 - 06:28
Education Department: ବିବାଦରେ ଗଣଶିକ୍ଷା ବିଭାଗ: ବହି ଷଡ଼୍‌ଯନ୍ତ୍ର ପଛରେ କିଏ?

ଭୁବନେଶ୍ବର: ‘ତୁଙ୍ଗ ଶିଖରି ଚୁଳ କୁଞ୍ଜ କାନନ ମାଳ...’ର ଲେଖକ କିଏ? ସିଏ କେମିତି ଦେଖିବାକୁ? ପୁରୁଷ ନା ମହିଳା? ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ସେ ବିଷୟରେ ଜାଣିବାର ଅଧିକାର ନାହିଁ। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)-୨୦୨୦ ଆଧାରରେ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରିଥିବା ପାଠ୍ୟପୁସ୍ତକରେ ଏ ବିଷୟରେ ଉଲ୍ଲେଖ ନାହିଁ। ସମ୍ପୂର୍ଣ୍ଣ କବିତା ଲେଖା ରହିଛି। ହେଲେ ଲେଖକଙ୍କ ନାମ କିମ୍ବା ଫଟୋ ଦିଆଯାଇ ନାହିଁ। ପରିଣାମ ସ୍ବରୂପ ଯେଉଁମାନଙ୍କ ପାଇଁ ପ୍ରତିଟି ଓଡ଼ିଆ ଗର୍ବିତ ତାଙ୍କ ବିଷୟରେ ଜାଣିବାର ଅଧିକାର ଭବିଷ୍ୟତ ପିଢ଼ିଙ୍କଠାରୁ ଛଡ଼ାଇ ନିଆଯାଇଛି। ନୂତନ ଭାବେ ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ କଳାଶିକ୍ଷା ପୁସ୍ତକ ‘କୃତି’ରେ ଏଭଳି ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଫଟୋ ବଦଳରେ ଭାରତୀୟ ପତାକା ସହ ବନ୍ଦେ ମାତରମ୍‌ ଲୋଗୋ ଲଗାଯାଇଛି। ଯେତେବେଳେ କି ଏହି ପୃଷ୍ଠାର ଅନ୍ୟ ଏକ କବିତାରେ ବଙ୍କିମ୍‌ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ନାମ ସହ ଫଟୋ ରହିଛି। ଓଡ଼ିଆ ମହାପୁରୁଷଙ୍କ ନାମ ଓ ଫଟୋ ଦେବାକୁ ବିଭାଗୀୟ ଅଧିକାରୀମାନେ ହେୟଜ୍ଞାନ ମଣିଛନ୍ତି।

Neglect: କନ୍ଧମାଳର ଦୁର୍ଗମ ଗାଁରେ ପଡ଼ିଲା ବିଧାୟକଙ୍କ ପାଦ; ବଦଳିବ ଭାଗ୍ୟ?

ମହାପୁରୁଷଙ୍କୁ ବି ଛାଡ଼ିଲେନି

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଭୁଲିଗଲେ
ପଞ୍ଚସଖାଙ୍କ ଫଟୋରେ ଗୁରୁଚଣ୍ଡାଳ ତ୍ରୁଟି
ଗଣିତ ପୁସ୍ତକକୁ ଗପ ବହି କରିଛନ୍ତି

ସେହି ପାଠ୍ୟପୁସ୍ତକରେ ଓଡ଼ିଶାର ପଞ୍ଚସଖାଙ୍କ ମଧ୍ୟରୁ ଜଗନ୍ନାଥ ଦାସ ଓ ଅଚ୍ୟୁତାନନ୍ଦ ଦାସଙ୍କ ଦୁଇଟି କବିତା ଯଥାକ୍ରମେ ‘ନମସ୍ତେ ପ୍ରଭୁ ଜଗନ୍ନାଥ’ ଓ ‘ଦୀନବନ୍ଧୁ’ ସ୍ଥାନ ପାଇଛି। ଏଥିରେ ଉଭୟ ବରପୁତ୍ରଙ୍କ ନାମ ଉଲ୍ଲେଖ ରହିଥିଲେ ମଧ୍ୟ ଫଟୋକୁ ନେଇ ବିବାଦ ମୁଣ୍ଡ ଟେକିଛି। ଅଚ୍ୟୁତାନନ୍ଦ ଦାସଙ୍କ ଫଟୋ ବଦଳରେ କଟକଜିଲ୍ଲା ନେମାଳସ୍ଥିତ ଅଚ୍ୟୁତାନନ୍ଦ ଗାଦିର ଫଟୋ ଦିଆଯାଇଛି। ଅନୁରୂପ ଭାବେ ଜଗନ୍ନାଥ ଦାସଙ୍କର ‌ଯେଉଁ ଫଟୋ ଛପାଯାଇଛି ତାହା ବି ବଡ଼ ବିଚିତ୍ର ‌ହୋଇଛି। ବିଭାଗ ପକ୍ଷରୁ ଜାରି ହୋଇଥିବା ସଂଶୋଧିତ ତାଲିକାରେ ଏ ସମ୍ପର୍କରେ ଉଲ୍ଲେଖ ନାହିଁ। ମହାପୁରୁଷ ଓ ବରପୁତ୍ରଙ୍କ ସମ୍ପର୍କରେ ଉଲ୍ଲେଖ ଥିବା ଏଭଳି ତ୍ରୁଟିକୁ ବିଭାଗୀୟ ଅଧିକାରୀମାନେ କିଭଳି ଜାଣିପାରିଲେ ନାହିଁ? ୫ମ ଶ୍ରେଣୀ ବହିରେ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ରଚିତ କବିତା ‘ଅହମିୟା’ର ପ୍ରତି ଶଦ୍ଦରେ ଭୁଲ୍ ରହିଛି। ସେହିପରି ଡ. ଏଲ୍‌. ସୁବ୍ରମନ୍ୟମ୍‌ଙ୍କ ନାଁ ଡି.ଏଲ୍‌.ସୁବ୍ରମନ୍ୟମ୍‌, ସିଂହାରୀ ଶ୍ୟାମସୁନ୍ଦର କରଙ୍କ ନାମ ସିଂହାରୀ ଶ୍ୟାମାସୁନ୍ଦର କର, ପ୍ରଫେସର ରାମହରି ଦାସଙ୍କ ନାମ ପ୍ରଫେସର ରରାମହରି ଦାସ, ସୁନନ୍ଦା ପଟ୍ଟନାୟକଙ୍କ ନାମ ସନନ୍ଦା ପଟ୍ଟନାୟକ ଭଳି ଅନେକ ମାରାତ୍ମକ ତ୍ରୁଟି ରହଛି।

ପାଠ୍ୟପୁସ୍ତକରେ ବହୁ ଅବୈଜ୍ଞାନିକ ବିଷୟବସ୍ତୁ ଭର୍ତ୍ତି ହୋଇଛି। ଯେପରିକି ସାମାଜିକ ବିଜ୍ଞନ ପୁସ୍ତକରେ ‘ଭୂମି ପବିତ୍ର ହୁଏ କିପରି?’ରେ ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ, ଗ୍ରହ, ସମସ୍ତ ପ୍ରାଣୀ, ବୃକ୍ଷ, ଉଦ୍ଭିଦ, ନଦୀ, ସମୁଦ୍ର ହେଉଛି ଭଗବାନଙ୍କ ଶରୀରର ଅଙ୍ଗ ବୋଲି ଲେଖାଯାଇଛି। ଭୂଗୋଳରେ ଭୌଗୋଳିକ ଜ୍ଞାନ ଶିଳା, ବାରିମଣ୍ଡଳ, ଜୈବମଣ୍ଡଳ, ବାୟୁମଣ୍ଡଳ ଭୂମିରୂପ ଇତ୍ୟାଦି ବିଷୟକୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇ ଭୌଗଳିକ ବିବିଧତା, ପାଣିପାଗ ମଧ୍ୟରେ ସୀମିତ ରଖାଯାଇଛି। ୮ମ ଶ୍ରେଣୀ ଗଣିତ ବହିର ଘାତ ବିଷୟରେ ‘ପଦଯାତ୍ରା ହେଉଛି ଧାର୍ମିକ କିମ୍ବା ଆଧ୍ୟାତ୍ମିକ ଅନୁସନ୍ଧାନର ଏକ ପାରମ୍ପରିକ ପ୍ରଥା। ଆମ ଦେଶର ବିଭିନ୍ନ ଧର୍ମର ଲୋକମାନେ ଭିନ୍ନ ଭିନ୍ନ ନାମ ଓ ଉଦ୍ଦେଶ୍ୟ ଥାଇ ଉପଯୁକ୍ତ ତୀର୍ଥଯାତ୍ରା କିମ୍ବା ଆଧ୍ୟାତ୍ମିକ ଯାତ୍ରାରେ ଚାଲିଥାନ୍ତି’ ବୋଲି ଉଲ୍ଲେଖ ହୋଇଛି। ଗଣିତ ବହିରୁ ଜ୍ୟାମିତି, ତ୍ରିକୋଣମିତି, ପରିମିତି, ସେଟ୍‌, ପଲିନୋମିଆଲ୍‌, ବ୍ୟବସାୟିକ ଗଣିତ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ କଢ଼ାଯାଇ ତାକୁ ଗଳ୍ପ ବହିରେ ପରିଣତ କରାଯାଇଥିବା ଶିକ୍ଷାବିତ୍‌ମାନେ କହିଛନ୍ତି।

Elephant: ସାହି ଭିତରେ ଦୀର୍ଘ ସମୟ ବୁଲିଲା ଦନ୍ତା, ଲୋକ ଭୟଭୀତ ଘର ଛାତ ଉପରକୁ ଚଢ଼ିଲେ

୭ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ‌ରେ ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇବାରେ ଲାଗିପଡ଼ିଛନ୍ତି। ୨ କୋଟି ୭୨ ଲକ୍ଷ ବହିରେ ତ୍ରୁଟି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜଣଙ୍କୁ ହେଲେ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇନାହିଁ। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ଲୋକସେବା ଭବନ ବାହାରେ ତଦନ୍ତ କରି ନାହାନ୍ତି। ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଡାକି ଏକାଧିକ ଥର ପଚରାଉଚରା କରିଥିଲେ ମଧ୍ୟ ମୁଖ୍ୟ କାର୍ପଟ୍‌ଦାରଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି। ଏପରିକି ପୁସ୍ତକର ସମ୍ପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ, ବିଷୟ ବିଶେଷଜ୍ଞ କିମ୍ବା ସଂଯୋଜକଙ୍କୁ ମଧ୍ୟ ପଚରାଉଚରା  ହୋଇ ନ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ୭ଦିନିଆ କଣ୍ଟ ବୁଧବାର ଶେଷ ହେଉଥିବାରୁ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ତାହାକୁ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି।

ଆଜି ସରିବ କଣ୍ଟ, ରିପୋର୍ଟ ଉପରେ ନଜର
ପୁସ୍ତକ ପ୍ରସ୍ତୁତକାରୀଙ୍କୁ ପଚରାଉଚରା ହେଲାନି
ଡିଟିପି, ଡିଜାଇନ୍‌ କରିଛି ଉଚ୍ଚଶିକ୍ଷା ଅଧୀନ ସଂସ୍ଥା
ସଂଶୋଧିତ ତାଲିକାରେ ବି ବାହାରିଲାଣି ତ୍ରୁଟି

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗଣଶିକ୍ଷା ବିଭାଗ ପରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ସଂସ୍ଥା ଏବେ ସନ୍ଦେହ ଘେରକୁ ଆସିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକଗୁଡ଼ିକର ଡିଟିପି ଓ ଡିଜାଇନ୍‌ ଦାୟିତ୍ବ ଉଚ୍ଚଶିକ୍ଷା ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାକୁ ଦିଆଯାଇଥିଲା। ଟେଣ୍ଡର ମାଧ୍ୟମରେ ହୋଇଥିବା ଚୟନ ପ୍ରକ୍ରିୟାରେ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଏହାକୁ ହାତେଇଥିଲା। ୫୫ଟି ପାଠ୍ୟପୁସ୍ତକ ଡିଟିପି ଓ ଡିଜାଇନ୍‌ କରିବା ପାଇଁ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ତାଙ୍କ କହିବା କଥା ହେଉଛି, ପାଠ୍ୟପୁସ୍ତକ ପ୍ରସ୍ତୁତି ବାବଦରେ ସମ୍ପୂର୍ଣ୍ଣ ଅର୍ଥ ଓସେପା ପ୍ରଦାନ କରିଥିବା ବେଳେ ଏସ୍‌ସିଇଆରଟି ଦ୍ବାରା ପା‌ଠ୍ୟପୁସ୍ତକ ପ୍ରସ୍ତୁତ ହୋଇଥିଲା। ପାଠ୍ୟପୁସ୍ତକ ପାଇଁ ସମସ୍ତ କମିଟି ଚୟନ ଏସ୍‌ସିଇଆର୍‌ଟିର ତତ୍‌କାଳୀନ ନିର୍ଦ୍ଦେଶକଙ୍କ ପରାମର୍ଶକ୍ରମେ ଗଠନ ହୋଇଥିଲା। ପୁସ୍ତକରେ କେଉଁ ବିଷୟ ସ୍ଥାନ ପାଇବ ତାହା ମଧ୍ୟ ଏସ୍‌ସିଇଆର୍‌ଟିର କୋର୍‌ କମିଟି ନିଷ୍ପତ୍ତି ନେଇଥିଲା। ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କୋର୍‌ କମିଟିରେ ନାମକରା ବିଶେଷଜ୍ଞ, ଶିକ୍ଷାବିତ୍‌ମାନେ ସ୍ଥାନ ପାଇଥିଲେ। ଏକାଧିକ ଥର ବୈଠକ ହେବା ପରେ ଚୂଡ଼ାନ୍ତ ହୋଇଥିଲା। ପାଠ୍ୟପୁସ୍ତକ ମୁଦ୍ରଣ ତଥା ଛପାଇବା ଦାୟିତ୍ବ ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ସଂସ୍ଥା‌କୁ ଦିଆଯାଇଥିଲା। ତେବେ ତ୍ରୁଟି କେଉଁଠି ହେଲା ତାହାର ମୂଳକୁ ନ ଗଲେ ଧରିବା କଷ୍ଟକର ହୋଇପଡ଼ିବ। ସମସ୍ତେ ଏମିତି ନିଜ ମୁଣ୍ଡରୁ ଦୋଷ ଖସାଇ ଚାଲିଥିବେ ବୋଲି ଅଧିକାରୀ ଜଣକ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ୨୦୨୫ ଅକ୍ଟୋବର ସୁଦ୍ଧା ପାଠ୍ୟପୁସ୍ତକ ପ୍ରସ୍ତୁତି ପରେ ଡିଟିପି ହେବାକୁ ଯାଇଥିଲା। ତିନି ମାସ ମଧ୍ୟରେ ୫୫ଟି ପାଠ୍ୟପୁସ୍ତକର ଡିଟିପି ଓ ଡିଜାଇନ୍‌ ପ୍ରସ୍ତୁତ କରିଦେବାକୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାକୁ କୁହାଯାଇଥିଲା। ସେହି ଅନୁଯାୟୀ ଡିଟିପି ଓ ଡିଜାଇନ୍‌ କରାଯାଇ ପ୍ରାୟ ୫ଥର ସଂଶୋଧନ ପାଇଁ ଏସ୍‌ସିଇଆରଟିକୁ ପଠାଯାଇଥିଲା। ଏପରିକି ସମ୍ପାଦକ ମଣ୍ଡଳୀ ଦେଇଥିବା ଅନେକ ତ୍ରୁଟିପୂର୍ଣ୍ଣ ଫଟୋ ଡିଟିପି ସମୟରେ ନଜର ଆସିବାରୁ ପରିବର୍ତ୍ତନ କରାଯାଇଥିଲା। ତା’ପରେ ମଧ୍ୟ ତ୍ରୁଟି କିଭଳି ରହିଲା ସେ ନେଇ ଏସ୍‌ସିଇଆର୍‌ଟି ଅଧିକାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଏହାରି ଭିତରେ ଏସ୍‌ସିଇଆର୍‌ଟି ଦ୍ବାରା ସଂଶୋଧିତ ହୋଇ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ପଠାଯାଇଥିବା ତାଲିକାରେ ମଧ୍ୟ ଭୁଲ୍‌ ରହିଥିବା ନଜରକୁ ଆସିଛି। ନୂତନ ପାଠ୍ୟପୁସ୍ତକରେ ‘ବାଣିଜ୍ୟିକ’ ଶବ୍ଦ ଠିକ୍‌ ଲେଖାଯାଇଥିବା ବେଳେ ସଂଶୋଧିତ ପୁସ୍ତକରେ ତାହାକୁ ‘ବାଣିଜିକ’ ଭାବେ ପିଲାଙ୍କୁ ପଢ଼ାଇବାକୁ କୁହାଯାଇଛି। ସଂଶୋଧିତ ୧୨୨ ପୃଷ୍ଠାର ଗଣିତରେ ମଧ୍ୟ ତ୍ରୁଟି ରହିଥିବା ସାମନାକୁ ଆସିଛି। ଚିନ୍ତାର ବିଷୟ ହେଉଛି ଯେ ତୃତୀୟ ଶ୍ରେଣୀ ପିଲାଙ୍କ ବହିରେ ୨୦ଟି ବିଷୟ ରହିଛି। ପିଲାମାନେ ଏହାକୁ କିଭଳି ପଢ଼ିବେ ତାହା ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।