Film-Style Jewellery Heist At Jharsuguda: ଫିଲ୍ମ ଷ୍ଟାଇଲରେ ଲୁଟ୍, ଝାରସୁଗୁଡ଼ାରେ ଚୋରି ହେଲା କୋଟିଏରୁ ଅଧିକ ଟଙ୍କାର ସୁନା
ଫିଲ୍ମ ଷ୍ଟାଇଲରେ ଜୁଏଲାରୀରୁ ଲୁଟ୍। କାନ୍ଥରେ ଫୁଟେ କଣା କରି ନେଇଗଲେ କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା। ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଜୁଏଲାରୀ ସପରୁ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ହୋଇଛି। ପ୍ରାୟ କୋଟିଏ ୨୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଧରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମଙ୍ଗସପୁରିଆ ଜ୍ବେଲାରୀ ଦୋକାନରୁ ହୋଇଛି ଏଭଳି ଲୁଟ୍। ଦିନରେ ଯେଉଁଠି ଗ୍ରାହକଙ୍କ ଭିଡ଼ ଜମିଥିଲା, ରାତିରେ ପାଲଟିଗଲା ଲୁଟେରାଙ୍କ ଟାର୍ଗେଟ୍। କାନ୍ଥ ହୋଲ୍ କରି ଦୋକାନରେ ପଶିଥିଲେ ଦୁର୍ବୃତ୍ତ। ଗତ ବିଳମ୍ବିତ ରାତିରେ ବିଲଡିଂର ଦ୍ବିତୀୟ ମହଲା କାନ୍ଥକୁ ଖୋଳି ଭିତରେ ପଶିଥିଲେ ଦୁର୍ବୃତ୍ତ। ଆଜି ସକାଳେ ମାଲିକ ଦୋକାନ ଖୋଲିବା ପରେ ଯାହା ଦେଖିଲେ ତାଙ୍କୁ ସ୍ତବ୍ଧ କରିଥିଲା। କୌଣସି ରାକରେ ନଥିଲା ସୁନା ଅଳଙ୍କାର। ପାଖାପାଖି କୋଟିଏ ୨୦ ଲକ୍ଷ ଟଙ୍କାର ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
କେମିତି ଜୁଏଲାରୀ ସପରେ ପଶିଥିଲେ ଦୁର୍ବୃତ୍ତ ? କେମିତି ହୋଇଥିଲା ଲୁଟ୍ ? ଫିଲ୍ମ ଷ୍ଟାଇଲରେ ଥିଲା ଚୋରଙ୍କ ପୂରା ଅପରେସନ୍। ବିଳମ୍ବିତ ରାତିରେ ପାଖ ଦୋକାନ ଛାତରୁ ନିଶୁଣି ଲଗାଇ ଚଢ଼ିଥିଲେ। ସେଠାରୁ ଟାର୍ଗେଟ୍ ଥିବା ସୁନା ଦୋକାନର ଦ୍ୱିତୀୟ ମହଲାରେ ପହଞ୍ଚିଥିଲେ ଲୁଟେରା। ସେକେଣ୍ଡ ଫ୍ଲୋର ପାଖ କାନ୍ଥକୁ ଭାଙ୍ଗି ଭିତରେ ପଶିଥିଲେ ଦୁର୍ବୃତ୍ତ। ତା’ପରେ ଭିତର ସିଢ଼ି ଦେଇ ସିଧା ତଳ ମହଲାରେ ଏଣ୍ଟ୍ରି କରିଥିଲେ। ଥାକ ଥାକ ହୋଇ ରହିଥିବା ଅଳଙ୍କାର ଭିତରୁ କେବଳ ସୁନାକୁ ଧରି ଛୁ ମାରିଥିଲେ ଲୁଟେରା। ରୁପା ଅଳଙ୍କାରକୁ ଛାଡ଼ିଦେଲେ। ଗଲାବେଳେ CCTVର DVR ସାଙ୍ଗରେ ନେଇଗଲେ ଦୁର୍ବୃତ୍ତ। ଝାରସୁଗୁଡା ଏସପି ଓ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ଛାନଭିନ୍ କରିଛନ୍ତି। ସହରରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି। ଅନ୍ୟପଟେ ଗତ ଦୁଇ ରାତି ଧରି ଦୋକାନର ସିକ୍ୟୁରିଟି ଗାର୍ଡ ମାଲିକଙ୍କୁ ନଜଣାଇ ଛୁଟିରେ ରହିଥିବା ନାନା ପ୍ରଶ୍ନବାଚୀ ସୃଷ୍ଟି ବି କରୁଛି।
ଝାରସୁଗୁଡ଼ା ଟାଉନ୍ ଥାନା ଓ ରେଲୱେ ଷ୍ଟେସନଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଏହି ଜୁଏଲାରୀ ଥିଲା। ସେଠୁ ଚୋରି ସହରର ସୁରକ୍ଷା ଉପରେ ହଜାରେ ପ୍ରଶ୍ନ ଠିଆ କରିଛି। ସେହିପରି ସୁନା ଦୋକାନରୁ ଲୁଟ୍ ପାଇଁ କେତେ ଜଣ ଆସିଥିଲେ ? ଦୋକାନର ଗଠନ ସମ୍ପର୍କରେ ସେମାନଙ୍କ ପାଖରେ ଥିଲା କି ପୂର୍ବ ସୂଚନା ? ପୂର୍ବରୁ ରେକି କରିଥିଲେ କି ? କ’ଣ ଆଗରୁ ଜାଣିଥିଲେ CCTV କେଉଁଠି ଅଛି ? ଏଥିରେ ରାଜ୍ୟ ନା ରାଜ୍ୟ ବାହାର ଗ୍ୟାଙ୍ଗ ଅଛନ୍ତି କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଝାରସୁଗୁଡ଼ା ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।