Funeral Finally Held After Overnight Talks: କୁକୁଡ଼ା ଦେଲେ ହିଁ ଉଠିବ କୋକେଇ, ଶବ ସାମ୍ନାରେ ଚାଲିଲା ମୂଲଚାଲ

Sep 30, 2026 - 20:29
Funeral Finally Held After Overnight Talks: କୁକୁଡ଼ା ଦେଲେ ହିଁ ଉଠିବ କୋକେଇ, ଶବ ସାମ୍ନାରେ ଚାଲିଲା ମୂଲଚାଲ

ଗୋଟିଏ କୁକୁଡ଼ା, ଯିଏ ସ୍ବର୍ଗକୁ ଯାଉଥିବା ମଣିଷଟାକୁ ବାଟ ଓଗାଳି ଦେଲା। ଆମିଷ ପ୍ରିୟଙ୍କ ଅତି ଆପଣାର ଥିବା କୁକୁଡ଼ା ମଲା ମଣିଷକୁ ବି ମଶାଣି ବାଟ ବନ୍ଦ କରିଦେଲା। ଘଣ୍ଟାଏ କି ଦୁଇ ଘଣ୍ଟା ନୁହଁ, ୨ ଦିନ ଧରି ବୃଦ୍ଧା ମଣିଷର ଶବଟିଏ ବାସି ହୋଇ ପଡ଼ିରହିଲା ସିନା ଜିଦରେ ରହିଲା କୁକୁଡ଼ା, ସରକାରୀ ବିଧି ବ୍ୟବସ୍ଥା ଥିଲା ବୋଲି ମଣିଷଟିଏ ମଶାଣିକୁ ଯାଇ ଶାନ୍ତିରେ ସ୍ବର୍ଗଦ୍ବାର ଗଲା। ୟେ କୌଣସି କାଳ୍ପନିକ କାହାଣୀ ନୁହଁ, ଏ ହେଉଛି ଚନ୍ଦ୍ରରେ ଘର ତିଆରି କରିବାର ସ୍ବପ୍ନ ସହ ଯୋଜନା କରୁଥିବା ବର୍ତ୍ତମାନର ବିଜ୍ଞାନ ଯୁଗର ବିରଳ ଚିତ୍ର। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଲୁହାଝାଳିଆ ଗାଁର ଏ କାହାଣୀ, କେବଳ ଗୋଟିଏ ମରଶରୀରର ନୁହେଁ, ଏ କାହାଣୀ ଏକ ଶୋକାକୁଳ ପରିବାରର ନୁହେଁ।

ମଲା ପରେ ବି ମଣିଷ ଏବଂ ଶୋକ ସନ୍ତପ୍ତ ପରିବାରର ଶେଷ ସମ୍ମାନ ଏବଂ ସମବେଦନା କେମିତି ଫସିଯାଏ ବିବାଦରେ, ଏ ହେଉଛି ତାର ଅସଲ ଚିତ୍ର। ଘରେ ଶୋକାକୂଳ ପରିବାର, ଆଜି ପ୍ରାଣ କାନ୍ଦୁଛି ପ୍ରତ୍ୟେକଙ୍କର। ପ୍ରିୟଜନଙ୍କୁ ବିଦାୟ ଦେବାକୁ ଅପେକ୍ଷା କରିଛନ୍ତି ସମସ୍ତେ। କିନ୍ତୁ ଶବ ସତ୍କାର ପାଇଁ ଯେତେବେଳେ ରଖାଗଲା ସର୍ତ୍ତ, ୩ଟି କୁକୁଡ଼ା ଦେଲେ ହିଁ ମଶାଣିକୁ ଶବ ଯିବ ବୋଲି ଜିଦ୍ ଧରିଲେ କୁଳକୁଟୁମ୍ବ, ସେତିକି ବେଳକୁ ଅକଲଗୁଡ଼ୁମ୍ ଅବସ୍ଥା ହୋଇଥିଲା ମୃତକଙ୍କ ପରିବାରର।  

ମୃତକ ହେଉଛନ୍ତି ୭୦ ବର୍ଷୀୟ ରିଣ୍ଟି ମାରାଣ୍ଡି। ତାଙ୍କ ୪ ପୁଅ ବୋହୂ ଏବଂ ନାତି ନାତୁଣୀଙ୍କୁ ନେଇ ହରାଭରା ସଂସାର। କିନ୍ତୁ ସାମାଜିକ କୁସଂସ୍କାର ପାଇଁ ଗତକାଲିଠୁ ପିଣ୍ଡାରେ ପଡ଼ିରହିଥିଲା ତାଙ୍କ ଶବ। ଆଉ ପରମ୍ପରା ଓ ପ୍ରଥା ଆଳରେ ଶବ ସାମ୍ନାରେ ଚାଲିଥିଲା କୁକୁଡ଼ା ପାଇଁ ମୂଲଚାଲ। ଆଗ ୩ କୁକୁଡା ସହ ହାଣ୍ଡିଆ ଦିଅ, ତାପରେ ଯାଇ କୋକେଇ ଉଠିବ। ଶେଷରେ ମୃତକଙ୍କ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ସୃଷ୍ଟି ହୋଇଥିଲା ମହାଭାରତ। ଚାଲିଲା ଟଣା ଓଟରା, ଯୁକ୍ତିତର୍କ।

ଶେଷରେ ପହଞ୍ଚିଥିଲା ଚାନ୍ଦୁଆ ପୋଲିସ। ନିଜ ଆଡୁ କୁକୁଡ଼ା ଯୋଗାଇ ଦେବାର ପ୍ରସ୍ତାବ ସହ ଅନ୍ତିମ ସତ୍କାର ପାଇଁ ନିବେଦନ କରିଥିଲା ପ୍ରଶାସନ। ତଥାପି ଜିଦରେ ଅଟଳ ରହିଥିଲେ କୁଳ କୁଟୁମ୍ବ। ଶେଷରେ ରାତି ତମାମ ବୁଝାସୁଝା ଏବଂ ଆଲୋଚନା ପରେ ଗତ ବିଳମ୍ବିତ ରାତିରେ କରାଯାଇଥିଲା ଶବ ସତ୍କାର। କିନ୍ତୁ ଦୁର୍ଭାଗ୍ୟ, ରୁଢ଼ିବାଦୀ ଜାତି ଭାଇଙ୍କ ଅହଙ୍କାର ଏତେ ଚରମ ସୀମାରେ ପହଞ୍ଚିଥିଲା ଯେ, ଶବ ସତ୍କାର ପରେ ମୃତକଙ୍କ ପରିବାରକୁ କରିଦିଆଯାଇଛି ସାମାଜିକ ବାସନ୍ଦ। 

ବିଶ୍ୱାସ ରହିପାରେ, ପରମ୍ପରା ବି ଥାଇପାରେ। କିନ୍ତୁ ଜଣେ ମଣିଷର ମୃତ୍ୟୁ ପରେ ବି ତାଙ୍କୁ ଶେଷ ସମ୍ମାନ ବା ଆଉ କ’ଣ ବଡ଼ ହୋଇପାରେ ? ଯେଉଁ ସମାଜ ହେଉ କି ଯେଉ ସଂପ୍ରଦାୟ ହେଉ, ସ୍ବର୍ଗକୁ ଯିବା ଅପେକ୍ଷାରେ ଥିବା ମଣିଷଟିଏ ପାଇଁ ସର୍ତ୍ତ ରଖି ଶବ ଅଟକାଇବା ଏବଂ ସର୍ତ୍ତ ଖିଲାପୀ ପରେ ସାମାଜିକ ବାସନ୍ଦ ନିଷ୍ପତ୍ତି, ୟାଠୁ ବା ଆଉ ଦୁର୍ଭାଗ୍ୟଜନକ ଘଟଣା କ’ଣ ହୋଇପାରେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।