Glacial Lake Outburst in Bhutan: ଗ୍ଲେସିଆଲ ହ୍ରଦ ଫାଟି ଆକସ୍ମିକ ବନ୍ୟା, ଭାରତରେ ହାଇଆଲର୍ଟ; ୧୦ ହଜାରରୁ ଅଧିକ ସ୍ଥାନାନ୍ତର
ଭୁଟାନରେ ଏକ ଗ୍ଲେସିଆଲ ହ୍ରଦ ଫାଟିବା ଯୋଗୁଁ ବଡ଼ଧରଣର ବିପର୍ଯ୍ୟୟ ଘଟିଛି।
ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଭୁଟାନର ଏକ ସୌରଚାଳିତ ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହେବା ସହ ରାଜପଥରେ ଅଳିଆ ଆବର୍ଜନା ଏବଂ ପଥର ପଡ଼ି ରାସ୍ତା ଅବରୋଧ ହୋଇପଡ଼ିଛି।
ତେବେ ଏପର୍ଯ୍ୟନ୍ତ କୌଣସି ଜୀବନହାନୀ କିମ୍ବା ଆହତ ହୋଇଥିବାର ଖବର ମିଳିନାହିଁ।
Advertisment ଭୁଟାନର ଏହି ଅଘଟଣ ପରେ ପଡ଼ୋଶୀ ଦେଶ ଭାରତରେ ମଧ୍ୟ ଚିନ୍ତା ବଢ଼ିଯାଇଛି।
ସଙ୍କୋଷ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବା ଆଶଙ୍କା କରି ପଶ୍ଚିମବଙ୍ଗ ଏବଂ ଆସାମର ବିଭିନ୍ନ ଅଞ୍ଚଳରେ ବନ୍ୟା ଆର୍ଲଟ୍ ଜାରି କରାଯାଇଛି।
ଗୁରୁବାର ସନ୍ଧ୍ୟାରେ ଭୁଟାନର ଗାସା ଜିଲ୍ଲାର ୱାକିଲା ପର୍ବତ ନିକଟରେ ଥିବା ଶିନ୍ତାଫୁ ହ୍ରଦ ଫାଟିବା କାରଣରୁ ଏହି ବନ୍ୟା ସୃଷ୍ଟି ହୋଇଛି।
ଏହି ହ୍ରଦଟି ମୋ ଚୁ ନଦୀ ଅବବାହିକାର ଉପର ମୁଣ୍ଡରେ ଅବସ୍ଥିତ।
ହ୍ରଦର ଜଳସ୍ରୋତ ଦକ୍ଷିଣ ଦିଗକୁ ମୋ ଚୁ ନଦୀ ଦେଇ ପ୍ରବାହିତ ହୋଇଥାଏ।
ଭୁଟାନର ପୁନାଖା ଅନ୍ତର୍ଗତ ଗୁମା ଜେୱଗର ଡୋଚୁଖା-ଜୋମଲିଙ୍ଗଥାଙ୍ଗ-ରିତ୍ସା ଚିୱୋଗରେ ଥିବା ସୋର ଜଳସେଚନ ପ୍ରକଳ୍ପଟି ଏହି ବନ୍ୟା ଯୋଗୁଁ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହାର କାର୍ଯ୍ୟ ବନ୍ଦ ରହିଛି।
ଏହା ବ୍ୟତୀତ ପୁନାଖା-ଗାସା ରାଜପଥର ଜୋମଲିଙ୍ଗଥାଙ୍ଗ ଅଞ୍ଚଳରେ ରାସ୍ତା ଉପରେ ପଙ୍କ ଓ ମାଟି ଜମି ଯାଇ ଯାତାୟାତ ବାଧାପ୍ରାପ୍ତ ହୋଇଛି।
Advertisment ଭୁଟାନରେ ହ୍ରଦ ଫାଟିବା ପରେ ମୋ ଚୁ ନଦୀ ଭାରତକୁ ପ୍ରବେଶ କଲାବେଳେ ସଙ୍କୋଷ ନଦୀ ଭାବରେ ପରିଚିତ ହୋଇଥାଏ।
ଏହି କାରଣରୁ ଭାରତୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।
କେନ୍ଦ୍ର ଏବଂ ରାଜ୍ୟ ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗର ଆଲିପୁରଦୁଆର ଏବଂ ଆସାମର ଧୁବୁରୀ ଜିଲ୍ଲା ସମେତ ଦାର୍ଜିଲିଂ ପାହାଡ଼ିଆ ଅଞ୍ଚଳ, ଜଳେଶ୍ୱର ଏବଂ କୁଚବିହାର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
କୁଚବିହାର ଜିଲ୍ଲାର ତୁଫାନଗଞ୍ଜ ଏବଂ ବକ୍ସିରହାଟ ଅଞ୍ଚଳରେ ଏନ୍.ଡି.ଆର୍.ଏଫ୍ ଏବଂ ଏସଡିଆରଏଫ୍ ଟିମ୍ ମୁତାୟନ କରାଯାଇଛି।
ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ମନୋଜ କୁମାର ଓରାଓଁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରିଛନ୍ତି।
ଦାର୍ଜିଲିଂର ଏମପି ରାଜୁ ବିଷ୍ଟ ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ଆଲିପୁରଦୁଆରର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଅମିତ କୁମାର ଶାହା କହିଛନ୍ତି ଯେ, ବନ୍ୟାର ପ୍ରଭାବ କିଛି ମାତ୍ରାରେ କମିଛି ଏବଂ ଭାରତୀୟ ପାର୍ଶ୍ୱରେ ସମସ୍ତ ନାଗରିକ ସୁରକ୍ଷିତ ଅଛନ୍ତି।
ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରୁ ପ୍ରାୟ ୪,୦୦୦ରୁ ୫,୦୦୦ ଲୋକଙ୍କୁ ସ୍କୁଲ୍ ଏବଂ ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଛି।
ମୋଟ ଉପରେ ୬୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ପ୍ରଭାବିତ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା କରାଯାଇଛି।
ସଙ୍କୋଷ ନଦୀ ଅଞ୍ଚଳରେ ଏବେ ବି ରେଡ୍ ଆର୍ଲଟ୍ ଜାରି ରହିଛି ଏବଂ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।