God save this country: ଟ୍ରେନ୍ ଯାତ୍ରାର ତିକ୍ତ ଅନୁଭୂତି, ଅସନ୍ତୋଷ ଝାଡିଲେ ତେଜସ୍ୱୀ ସୂର୍ଯ୍ୟଙ୍କ ପତ୍ନୀ
ଟ୍ରେନ୍ ଯାତ୍ରାରେ ଅସୁବିଧାକୁ ନେଇ ସୋସିଆଲ୍ ମିଡିଆରେ ଅସନ୍ତୋଷ ଝାଡ଼ିଲେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ପତ୍ନୀ ତଥା କଳାକାର ଶିବଶ୍ରୀ ସ୍କନ୍ଦପ୍ରସାଦ । ଏକ୍ସରେ ପୋଷ୍ଟ କରି ସେ ନିଜ ଯାତ୍ରାକୁ ‘ଯନ୍ତ୍ରଣାଦାୟକ’ ବୋଲି ବର୍ଣ୍ଣନା କରିଛନ୍ତି।
ଶିବଶ୍ରୀଙ୍କ ଅଭିଯୋଗ ଅନୁସାରେ, ଟ୍ରେନ୍ର ୫୬ ସିଟ୍ ବିଶିଷ୍ଟ ଏକ କୋଚ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଏକାଠି ଯାତ୍ରା କରୁଥିଲେ । ସେମାନେ ପ୍ରାୟ ୫ ଘଣ୍ଟା ଧରି ଲଗାତାର ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବା ସହ ଅନ୍ୟ ଯାତ୍ରୀଙ୍କ ବ୍ୟକ୍ତିଗତ ସ୍ଥାନକୁ ସମ୍ମାନ ଦେଇନଥିବା ସେ କହିଛନ୍ତି ।
ନିଜକୁ ଜଣେ କଳାକାର ଭାବେ ପରିଚୟ ଦେଇ ଶିବଶ୍ରୀ କହିଛନ୍ତି, ନିରବତାରେ ସେ ନିଜ ସୃଜନଶୀଳ ଚିନ୍ତାଧାରାକୁ ସମୟ ଦିଅନ୍ତି । ତେଣୁ ଦୀର୍ଘ ସମୟ ଧରି ଚାଲିଥିବା ଉଚ୍ଚ ସ୍ୱରର କଥାବାର୍ତ୍ତା ତାଙ୍କୁ ଅସୁବିଧାରେ ପକାଇଥିବା ସେ ଦାବି କରିଛନ୍ତି ।
ପରେ ସେ ଟିଟିଇଙ୍କୁ ଜଣାଇ ଅନ୍ୟ କୋଚ୍କୁ ଯିବାକୁ ଅନୁରୋଧ କରିଥିଲେ । କିନ୍ତୁ ଟ୍ରେନ୍ ପୂରା ଭର୍ତ୍ତି ଥିବାରୁ ତାହା ସମ୍ଭବ ହୋଇନଥିଲା । ଅନ୍ୟ ଏକ ସିଟ୍ରେ ତାଙ୍କୁ ବସାଇବାକୁ ଟିଟିଇ ଚେଷ୍ଟା କରିଥିବା ସେ କହିଛନ୍ତି ।
ଏହାପରେ ୮ ଜଣ ଯାତ୍ରୀ ୟୁନୋ କାର୍ଡ ଖେଳିବା ଆରମ୍ଭ କରିଥିଲେ । ଶିବଶ୍ରୀ ପୁଣି ଟିଟିଇଙ୍କୁ ଜଣାଇବା ପରେ ଟିଟିଇ ସେମାନଙ୍କୁ ଖେଳ ବନ୍ଦ କରିବାକୁ କହିଥିଲେ ଏବଂ ସେମାନେ ତୁରନ୍ତ ଖେଳ ବନ୍ଦ କରିଥିବା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
ଶିବଶ୍ରୀଙ୍କ କହିବା ଅନୁସାରେ, ଘଟଣାଟି କେବଳ କାର୍ଡ ଖେଳକୁ ନେଇ ନଥିଲା । ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଆଚରଣ ଓ ନାଗରିକ ଶୃଙ୍ଖଳାକୁ ନେଇ ଏହା ଏକ ବଡ଼ ପ୍ରଶ୍ନ ବୋଲି ସେ କହିଛନ୍ତି । ପରେ ଉକ୍ତ ଗ୍ରୁପ୍ ଜାଣିଶୁଣି ବଲିଉଡ୍ ଗୀତ ବଜାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।
ନିଜ ଏକ୍ସ ପୋଷ୍ଟର ଶେଷରେ ଶିବଶ୍ରୀ ଲେଖିଛନ୍ତି, “ଆମେ ଏକ ରାଷ୍ଟ୍ର ଭାବେ କେବେ ଆମର ସାର୍ବଜନୀନ ଆଚରଣରେ ସୁଧାର ଆଣିବୁ?” ଏବଂ ପରେ “ଭଗବାନ ଏ ଦେଶକୁ ରକ୍ଷା କରନ୍ତୁ” ବୋଲି ଉଲ୍ଲେଖ କରିଛନ୍ତି । ଏହି ଅଭିଯୋଗ ଉପରେ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିନଥିବା ରିପୋର୍ଟରେ କୁହାଯାଇଛି ।
I had a traumatic train ride today. It is very sad to see how people do not respect public spaces enough. When we are in the public, we should not shout or even talk loudly and disrespect every individual’s personal space in Public. As artists, we have a 100 thoughts running. And…
— Sivasri Skandaprasad 🇮🇳 (@ArtSivasri) September 24, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।