High Court Replaces Attempted Rape Conviction: 'ଦୁଷ୍କର୍ମ ଉଦ୍ୟମ ନୁହେଁ, ରାତିରେ ଘରେ ପଶିଲେ...' ରାୟ ବଦଳାଇଲେ ହାଇକୋର୍ଟ
ରାତିର ଅନ୍ଧାରରେ ଘରେ ପଶିଲେ... ଦୀପ ଲିଭାଇଦେଲେ... ମହିଳାଙ୍କ ଉପରେ ଶୋଇ ତାଙ୍କ ପାଟି ଚାପିଦେଲେ। ହେଲେ ଏହାକୁ ଦୁଷ୍କର୍ମ ଉଦ୍ୟମ ବୋଲି ଧରାଯିବ କି? ଏକ ମାମଲାରେ ଏଭଳି ପ୍ରଶ୍ନ ଉଠାଇଛନ୍ତି ପାଟନା ହାଇକୋର୍ଟ। ଅଦାଲତ କହିଛନ୍ତି, କେବଳ ଏହି କାର୍ଯ୍ୟଗୁଡ଼ିକ ଆଧାରରେ ଦୁଷ୍କର୍ମ ଉଦ୍ୟମ ପ୍ରମାଣିତ ହେଉନାହିଁ। ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ଆଗକୁ ବଢ଼ିଥିବା କୌଣସି ପ୍ରତ୍ୟକ୍ଷ କାର୍ଯ୍ୟର ପ୍ରମାଣ ମଧ୍ୟ ରହିବା ଆବଶ୍ୟକ।
ଜଷ୍ଟିସ୍ ସନ୍ଦୀପ କୁମାରଙ୍କ ଖଣ୍ଡପୀଠ ୨୦୧୦ ମସିହାର ଏକ ମାମଲାରେ ଏହି ରାୟ ଦେଇଛନ୍ତି। ବେଗୁସରାଇ ଜିଲ୍ଲାରେ ଜଣେ ବିଧବା ମହିଳା ନିଜ ପିଲାମାନଙ୍କ ସହ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୦ଟାରେ ଅଭିଯୁକ୍ତ ଘରେ ପଶିଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ପାଟି କରିବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ତାଙ୍କ ପାଟି ଚାପି ଦେଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତଙ୍କୁ ଧରିଥିଲେ।
ପୂର୍ବରୁ ତଳ କୋର୍ଟ ଅଭିଯୁକ୍ତଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ଘରେ ଅନଧିକାର ପ୍ରବେଶ ମାମଲାରେ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ। ହେଲେ ହାଇକୋର୍ଟ କହିଛନ୍ତି, ମହିଳା କିମ୍ବା ଅଭିଯୁକ୍ତଙ୍କ ପୋଷାକ ଖୋଲିବା କିମ୍ବା ଦୁଷ୍କର୍ମ ଦିଗରେ ଆଗକୁ ବଢ଼ିଥିବା କୌଣସି କାର୍ଯ୍ୟର ପ୍ରମାଣ ମିଳିନାହିଁ। ତେଣୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଦୋଷସିଦ୍ଧିକୁ ରଦ୍ଦ କରି ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୫୪ ଅନୁଯାୟୀ ମହିଳାଙ୍କ ଶାଳୀନତା ଭଙ୍ଗ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଘରେ ଅନଧିକାର ପ୍ରବେଶ ଅଭିଯୋଗରେ ଦୋଷକୁ କିନ୍ତୁ ବଜାୟ ରଖିଛନ୍ତି।
ଘଟଣାକୁ ୧୬ ବର୍ଷରୁ ଅଧିକ ସମୟ ବିତିଥିବା ଏବଂ ଅଭିଯୁକ୍ତଙ୍କ ବୟସ ପ୍ରାୟ ୬୦ ବର୍ଷ ହୋଇଥିବାରୁ, ହାଇକୋର୍ଟ ପୂର୍ବରୁ କାଟିଥିବା ଜେଲ୍ ଅବଧିକୁ ଦଣ୍ଡ ଭାବେ ଗ୍ରହଣ କରିଛନ୍ତି। ଏଥିସହ ମହିଳାଙ୍କୁ କ୍ଷତିପୂରଣ ଭାବେ ୨୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୮ ସପ୍ତାହ ମଧ୍ୟରେ ଟଙ୍କା ଜମା ନକଲେ ଆଉ ୬ ମାସର ସାଧାରଣ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।