How Did Nepal’s Devastating Floods Strike: କେମିତି ମାଡ଼ି ଆସିଲା ନେପାଳର ପ୍ରଳୟଙ୍କରୀ ବନ୍ୟା ?

Aug 27, 2026 - 20:18
How Did Nepal’s Devastating Floods Strike: କେମିତି ମାଡ଼ି ଆସିଲା ନେପାଳର ପ୍ରଳୟଙ୍କରୀ ବନ୍ୟା ?

ପ୍ରଳୟଙ୍କରୀ ବନ୍ୟା ମାଡି ଆସିବା ପୂର୍ବର ମୁହୂର୍ତ୍ତ। ପରିବେଶ ଶାନ୍ତ, ସ୍ଥିର, ନିରବ। ହେଲେ ଦେଖୁ ଦେଖୁ ପବନ ବେଗରେ ପାହାଡରୁ ଗର୍ଜନ କରି ମାଡି ଆସିଲା ପାଣି। ପାଣି ତ ନୁହେଁ, ପ୍ରକୃତିର କରାଳ ରୂପ। ଆଗରେ ଯାହା ଆସିଲା, ଭସାଇନେଲା। ଉପାଡିନେଲା ବଡ ବଡ ବ୍ରିଜ୍। କାଗଜ ଡଙ୍ଗା ଭଳି ଭାସିଗଲା କୋଠାଘର, ଗାଡି ମୋଟର। ମାଟି-କାଦୁଅ ମିଶା ପାଣି କୋପ ସାଜି ସବୁ ଛାରଖାର କରିଦେଲା। କଳ୍ପନା ବାହାରେ ପ୍ରକୃତିର ତାଣ୍ଡବ। ନିମିଷକ ମଧ୍ୟରେ ହଜିଗଲା ଅତ୍ୟାଧୁନିକ ନିର୍ମାଣର ଚିହ୍ନ ବର୍ଣ୍ଣ। 

ତେବେ ନେପାଳରେ ହଠାତ୍ କେମିତି ମାଡିଆସିଲା ଏଭଳି ପ୍ରଳୟଙ୍କରୀ ବନ୍ୟା ? ଜଳ ପ୍ରଳୟ ପଛର କାରଣ କ'ଣ ? ଭୂବିଜ୍ଞାନୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞଙ୍କ ଅନୁଯାୟୀ, ସବୁଠାରୁ ବଡ କାରଣ ହେଲା...

ଗ୍ଲାସିୟର ଭାଙ୍ଗିବା: ହିମାଳୟ ସୀମାରେ ଥିବା ଏକ ଗ୍ଲାସିୟରର ତଳ ଅଂଶ ହଠାତ୍ ଭାଙ୍ଗି ଶହ ଶହ ଫୁଟ ତଳେ ଥିବା ଉପତ୍ୟକାରେ ପଡ଼ିଥିଲା। 

ନଦୀ ଅବରୋଧ, ହଠାତ୍ ବନ୍ୟା: ଏହି ବରଫ ଓ ପଥର ଖଣ୍ଡଗୁଡ଼ିକ ଲ୍ହେନ୍ଦେ ଖୋଲା ନଦୀରେ ପଡ଼ି ଅସ୍ଥାୟୀ ବନ୍ଧ ସୃଷ୍ଟି କରିଥିଲା। ନଦୀ ଜଳ ଜମା ହେବା ପରେ ପାଣିର ପ୍ରଖର ଚାପ ଯୋଗୁଁ ଅସ୍ଥାୟୀ ବନ୍ଧଟି ହଠାତ୍ ଭାଙ୍ଗିଗଲା। ଫଳରେ କାଦୁଅ, ପଥର ଏବଂ ପାଣିର ଏକ ବିଶାଳ ସ୍ରୋତ ତଳମୁଣ୍ଡରେ ଥିବା ଭୋଟେ କୋଶୀ ନଦୀକୁ ମାଡ଼ି ଆସିଥିଲା।

ତୀବ୍ର ଭୂକମ୍ପ ଝଟକା: ବରଫ ଓ ପଥର ଖସିବାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଏହା ଯୋଗୁଁ ୫.୨ ତୀବ୍ରତାର ଏକ ଭୂକମ୍ପ ସୃଷ୍ଟି ହୋଇଥିଲା। ଏହି ଭୂକମ୍ପ ଯୋଗୁଁ ହିଁ ଅସ୍ଥାୟୀ ବନ୍ଧ ଉପରେ ଅଧିକ ଚାପ ପଡିଥିଲା ଏବଂ ବନ୍ଧ ଭାଙ୍ଗି ବନ୍ୟାର ରୂପ ନେଇଥିଲା।  

ପର୍ମାଫ୍ରଷ୍ଟ ବା ବରଫମାଟି ତରଳିବା: ହିମାଳୟର ଅତି ଉଚ୍ଚ ପାହାଡ଼ଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ବରଫ ଏବଂ କଠିନ ମାଟି ଦ୍ୱାରା ଆବଦ୍ଧ ହୋଇ ରହିଥାଏ, ଯାହାକୁ 'ପରମାଫ୍ରଷ୍ଟ' କୁହାଯାଏ। ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ଏହି ଅଠା ଭଳି ଧରି ରଖିଥିବା ବରଫ ତରଳିବାରେ ଲାଗିଛି, ଫଳରେ ପାହାଡ଼ଗୁଡ଼ିକ ଅତି ସହଜରେ ଭୁଶୁଡ଼ି ପଡ଼ୁଛନ୍ତି। ନେପାଳରେ ମଧ୍ୟ ତାହା ଘଟିଥିବା ଅନୁମାନ କରାଯାଉଛି। 

ଭୌଗଳିକ ଗଠନ ଏବଂ ଫନେଲ୍ ପ୍ରଭାବ: ହିମାଳୟର ପାହାଡ଼ଗୁଡ଼ିକ ଅତି ସରୁ ଏବଂ ଖାଲୁଆ। ଯେତେବେଳେ ଉପର ମୁଣ୍ଡରେ ବରଫ ସ୍ଖଳନ ଯୋଗୁଁ ହଠାତ୍ ବିଶାଳ ପରିମାଣର ଜଳରାଶି ବାହାରିଲା, ତାହା ଏହି ସରୁ ଉପତ୍ୟକା ଦେଇ ଅତି ତୀବ୍ର ଗତିରେ ତଳକୁ ମାଡ଼ିଆସିଲା, ଯାହା ଏକ "ହିମାଳୟ ସୁନାମି" ର ରୂପ ନେଇଥିଲା। 

ନଦୀଗୁଡ଼ିକରେ ଅତ୍ୟଧିକ ପତନ ଓ ପଟୁମାଟି: କୋଶୀ ଓ ଭୋଟେ କୋଶୀ ନଦୀଗୁଡ଼ିକ ନିଜ ସହ ବିଶାଳ ପଥରଖଣ୍ଡ ଏବଂ ବାଲି-କାଦୁଅ ବୋହି ଆଣିଥିଲେ। ବନ୍ୟା ଜଳ ସହ ଏହି ଭାରୀ ପଥର ଓ ମାଟି ମିଶିଯିବା ଯୋଗୁଁ ନଦୀର ସ୍ରୋତ ଅଧିକ ବିପଜ୍ଜନକ ଓ ବିନାଶକାରୀ ହୋଇଥିବା କୁହାଯାଉଛି। 

ଏସବୁ ବାଦ ପାହାଡ଼ିଆ ଏବଂ ସମ୍ବେଦନଶୀଳ ନଦୀ ଅବବାହିକା ଅଞ୍ଚଳରେ ମନଇଛା ରାସ୍ତା, ପୋଲ ଏବଂ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ନିର୍ମାଣ କାର୍ଯ୍ୟ ପାଇଁ ପାହାଡ଼ କଟାଯିବା ଦ୍ୱାରା ପ୍ରାକୃତିକ ସନ୍ତୁଳନ ନଷ୍ଟ ହେଉଛି ଏବଂ ପାହାଡ଼ଗୁଡ଼ିକ ଅଧିକ ଦୁର୍ବଳ ହୋଇଯାଉଛି। ଏଥିସହ ନଦୀ କୂଳ ଓ ପାହାଡ଼ିଆ ଅଞ୍ଚଳରେ ଦ୍ରୁତ ସହରୀକରଣ ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ମାଟି ତା'ର ଜାବୁଡ଼ି ଧରିବା କ୍ଷମତା ହରାଇଛି। ଫଳରେ ସାମାନ୍ୟ ପ୍ରାକୃତିକ ହଲଚଲ ହେଲେ ମଧ୍ୟ ତାହା ବଡ଼ ଧରଣର ଭୂସ୍ଖଳନ ଓ ବନ୍ୟାର ରୂପ ନେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।