India nuclear weapons: ‘ବୁଲେଟିନ୍ ଅଫ୍ ଦି ଆଟୋମିକ୍ ସାଇଣ୍ଟିଷ୍ଟ୍ସ’ର ଚାଞ୍ଚଲ୍ୟକର ରିପୋର୍ଟ
"ନୂଆଦିଲ୍ଲୀ: ଭାରତ ନିଜର ପରମାଣୁ ଅସ୍ତ୍ର ବହନକାରୀ ବ୍ୟବସ୍ଥାର ଆଧୁନିକୀକରଣ ଓ ସମ୍ପ୍ରସାରଣ ଜାରି ରଖିଛି ବୋଲି ପ୍ରତିଷ୍ଠିତ ସଂସ୍ଥା ବୁଲେଟିନ୍ ଅଫ୍ ଦି ଆଟୋମିକ୍ ସାଇଣ୍ଟିଷ୍ଟ୍ସ (ବିଏଏସ୍) ପକ୍ଷରୁ ପ୍ରକାଶିତ ଏକ ନୂତନ ଆକଳନରେ କୁହାଯାଇଛି।
ହାନ୍ସ ଏମ୍ କ୍ରିଷ୍ଟେନସେନ, ମ୍ୟାଟ୍ କୋର୍ଡା, ଏଲିଆନା ଜନ୍ସ ଏବଂ ମ୍ୟାକେଞ୍ଜି ନାଇଟ୍-ବଏଲ୍ଙ୍କ ଦ୍ୱାରା ଲିଖିତ ଏହି ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯୦ଟି ପରମାଣୁ ଯୁଦ୍ଧାସ୍ତ୍ର ଏକତ୍ରିତ କରିସାରିଛି।
Advertisment ପରମାଣୁ ଯୁଦ୍ଧାସ୍ତ୍ର ପ୍ରୟୋଗ ପାଇଁ ଆବଶ୍ୟକ ବିମାନ, ସ୍ଥଳଭାଗର କ୍ଷେପଣାସ୍ତ୍ର ଏବଂ ସମୁଦ୍ରଭିତ୍ତିକ ପ୍ରଣାଳୀର ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପରମାଣୁ ତ୍ରିଶକ୍ତି (ନ୍ୟୁକ୍ଲିୟର ଟ୍ରାଏଡ୍) ରହିଛି।
ଭାରତ ନିଜର ସାମରିକ ଅସ୍ତ୍ରଶସ୍ତ୍ରର ପ୍ରକୃତ କ୍ଷମତା ବା ସାମରିକ ପରିସରକୁ କେବେ ବି ସାର୍ବଜନୀନ କରେନାହିଁ ଏବଂ ଏହାର ପରମାଣୁ ଭଣ୍ଡାର ଚାରିପାଖରେ ବ୍ୟାପକ ଗୋପନୀୟତା ରକ୍ଷା କରିଥାଏ।
ରିପୋର୍ଟ ମୁତାବକ, ଭାରତୀୟ ବାୟୁସେନା ପାଖରେ ପରମାଣୁ ଆକ୍ରମଣ ପାଇଁ ଦୁଇଟି ଶ୍ରେଣୀର ବିମାନ ରହିଛି।
ଫ୍ରାନ୍ସ ଜ୍ଞାନକୌଶଳରେ ନିର୍ମିତ ଓ ଅପଗ୍ରେଡ୍ ହୋଇଥିବା ମିରାଜ୍ ୨୦୦୦ ମୁଖ୍ୟ ଆଣବିକ ଷ୍ଟ୍ରାଇକ୍ ବିମାନ ହୋଇଥିବା ବେଳେ ବ୍ରିଟେନ ଓ ଫ୍ରାନ୍ସର ମିଳିତ ଡିଜାଇନରେ ନିର୍ମିତ ଜାଗୁଆର ମଧ୍ୟ ଏହି ଦାୟିତ୍ୱ ତୁଲାଉଛି।
ଭବିଷ୍ୟତରେ ଜାଗୁଆର ବିମାନ ଅବସର ନେବା ପରେ ଫ୍ରାନ୍ସରୁ କିଣାଯାଇଥିବା ରାଫେଲ୍ ଫାଇଟର ଏହି ସ୍ଥାନ ନେଇପାରେ।
ଆମେରିକା ପାଖରେ ବି-୨ ଓ ବି-୨୧ ଭଳି ଷ୍ଟେଲ୍ଥ ବମ୍ବର ଏବଂ ଚୀନ୍ ପାଖରେ ଏଚ୍-୬ ସିରିଜ୍ ବମ୍ବର ଥିବା ବେଳେ ପାକିସ୍ତାନ ମୁଖ୍ୟତଃ ଯୁଦ୍ଧ ବିମାନ ଓ ବିସ୍ତାରିତ କ୍ଷେପଣାସ୍ତ୍ର ବାହିନୀ ଉପରେ ନିର୍ଭର କରେ।
ମାତ୍ର ଭାରତ ଯୁଦ୍ଧ ସମୟରେ ନିଜ ସୁରକ୍ଷା ପାଇଁ ବିମାନ, ସ୍ଥଳ ମିସାଇଲ ଏବଂ ବୁଡ଼ାଜାହାଜର ଏକ ସନ୍ତୁଳିତ ଓ ଅତି ସୁଦୃଢ଼ ବ୍ୟବସ୍ଥା ଗଢ଼ି ତୋଳିଛି।
ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଅଗ୍ନି କ୍ଷେପଣାସ୍ତ୍ର ଶୃଙ୍ଖଳା ଭାରତର ରଣନୀତିକ ପ୍ରତିରୋଧର ମେରୁଦଣ୍ଡ ସାଜିଛି।
ଭାରତ ନିଜ ଚେଷ୍ଟାରେ ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ ଏବଂ ଅଗ୍ନି-୧ ଠାରୁ ଆରମ୍ଭ କରି ଦୂରଗାମୀ ଅଗ୍ନି-୫ କ୍ଷେପଣାସ୍ତ୍ର ପ୍ରଯୁକ୍ତି ହାସଲ କରିଛି।
ବର୍ତ୍ତମାନ ଭାରତ ପାଖରେ ୬ଟି କାର୍ଯ୍ୟକ୍ଷମ ପରମାଣୁ କ୍ଷମତା ସମ୍ପନ୍ନ ବାଲିଷ୍ଟିକ୍ ମିସାଇଲ ପ୍ରଣାଳୀ ଯଥା- ପୃଥ୍ୱୀ ୨, ଅଗ୍ନି ୧ (୭୦୦ କିମି), ଅଗ୍ନି ୨ (୨,୦୦୦ କିମିରୁ ଅଧିକ), ଅଗ୍ନି ୩ (୩,୨୦୦ କିମିରୁ ଅଧିକ), ଅଗ୍ନି ୪ (୩,୫୦୦ କିମିରୁ ଅଧିକ) ଏବଂ ଅଗ୍ନି ୫ (୬,୦୦୦ କିମିରୁ କମ୍) ରହିଛି।
ଏହା ସହିତ ଅଧିକ ଉନ୍ନତ କ୍ଷେପଣାସ୍ତ୍ର ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି।
ଅଗ୍ନି-୫ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ପାକିସ୍ତାନ, ଚୀନ୍, ମଧ୍ୟ ଏସିଆ, ଦକ୍ଷିଣ-ପୂର୍ବ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ବହୁ ଅଞ୍ଚଳକୁ ଟାର୍ଗେଟ୍ କରିପାରିବ।
ଭାରତକୁ ବିପଦ!
ଚାଇନା ପରୀକ୍ଷା କଲା ହାଇପର ସୋନିକ୍ ଏୟାରକ୍ରାଫ୍ଟ: ପରମାଣୁ ଯୁଦ୍ଧାସ୍ତ୍ର ସହ ମିସାଇଲ୍ଠାରୁ ଅଧିକ ବେଗରେ ଲକ୍ଷ୍ୟଭେଦ କରିବ ଏବେ ଅଗ୍ନି କ୍ଷେପଣାସ୍ତ୍ର ଏମ୍ଆଇଆର୍ ପ୍ରଯୁକ୍ତି ସମ୍ପନ୍ନ ହୋଇପାରିଛି, ଯାହା ଗୋଟିଏ ମିସାଇଲ ମାଧ୍ୟମରେ ଭିନ୍ନ ଭିନ୍ନ ଲକ୍ଷ୍ୟସ୍ଥଳକୁ ଏକାଧିକ ୱାରହେଡ୍ ପଠାଇପାରେ।
ସେହିପରି ସମୁଦ୍ରଭିତ୍ତିକ ପ୍ରତିରୋଧ ବ୍ୟବସ୍ଥାରେ ଏପ୍ରିଲ ୨୦୨୬ରେ ଭାରତର ତୃତୀୟ ସ୍ୱଦେଶୀ ପରମାଣୁ ଚାଳିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଦମନ ସାମିଲ ହୋଇଛି, ଯାହା ଆଇଏନ୍ଏସ୍ ଅରିହନ୍ତ ଏବଂ ଆଇଏନ୍ଏସ୍ ଅରିଘାତ ସହ ମିଶି ଦେଶର ଦ୍ୱିତୀୟ ଆକ୍ରମଣ କ୍ଷମତାକୁ ସୁଦୃଢ଼ କରିଛି।
କେ-୪ ଭଳି ଦୂରଗାମୀ ବୁଡ଼ାଜାହାଜ ପ୍ରକ୍ଷେପିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ବ୍ୟାପକ ମୁତୟନ ଆଡ଼କୁ ଅଗ୍ରସର ହେଉଛି।
ପରମାଣୁ ବୁଡ଼ାଜାହାଜଗୁଡ଼ିକ ସମୁଦ୍ର ଭିତରେ ଦୀର୍ଘ ସମୟ ଧରି ଲୁଚି ରହି ଶତ୍ରୁର ପ୍ରଥମ ଆକ୍ରମଣ ପରେ ମଧ୍ୟ ବିପୁଳ ପ୍ରତିଶୋଧମୂଳକ ଆକ୍ରମଣ କରିବାର କ୍ଷମତା ରଖୁଛି।
ଭାରତ ଦୀର୍ଘ ଦିନ ଧରି "ପ୍ରଥମେ ବ୍ୟବହାର ନକରିବା" ନୀତି ପାଳନ କରିଆସୁଛି।
ମାତ୍ର ଏହା ସୁନିଶ୍ଚିତ ଦ୍ୱିତୀୟ ଆକ୍ରମଣ କ୍ଷମତା ବିକଶିତ କରିଛି, ଯାହାର ଅର୍ଥ ହେଲା ଭାରତ ନିଜେ ପରମାଣୁ ଯୁଦ୍ଧ ଆରମ୍ଭ କରିବ ନାହିଁ, କିନ୍ତୁ ଆକ୍ରମଣ ହେଲେ ପ୍ରତିପକ୍ଷକୁ ଧ୍ୱଂସ କରିଦେବ।
ପୂର୍ବତନ ରାଷ୍ଟ୍ରପତି ତଥା କ୍ଷେପଣାସ୍ତ୍ର ବୈଜ୍ଞାନିକ ଏପିଜେ ଅବଦୁଲ କଲାମ ଅଗ୍ନି ସିରିଜ୍କୁ ନେଇ କହିଥିଲେ ଯେ, ଏହି କ୍ଷେପଣାସ୍ତ୍ର ରଣନୀତିକ ପେଲୋଡ୍ ସହିତ ଶତ୍ରୁ ପାଇଁ "ଫୁଲତୋଡ଼ା" ମଧ୍ୟ ବହନ କରିପାରେ, ଯାହା ରାଜନୈତିକ ଉଦ୍ଦେଶ୍ୟକୁ ଦର୍ଶାଏ।
୨୦୨୫ ମସିହାରେ ଜମ୍ମୁ ଓ କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ଆତଙ୍କବାଦୀ ଭିତ୍ତିଭୂମି ବିରୋଧରେ ଭାରତର "ଅପରେସନ ସିନ୍ଦୂର" ଏବଂ ବ୍ରହ୍ମୋସ ମିସାଇଲର ସଠିକତା ଭାରତର ଅତ୍ୟାଧୁନିକ ଦୂରଗାମୀ ସାମରିକ ଦକ୍ଷତାକୁ ପ୍ରମାଣିତ କରିଛି।
ମିରାଜ୍ ୨୦୦୦, ଜାଗୁଆର, ସୁଖୋଇ-୩୦ ଏବଂ ରାଲେଲ ଭଳି ଯୁଦ୍ଧ ବିମାନ, ସ୍ୱଦେଶୀ ଅଗ୍ନି ମିସାଇଲ ଏବଂ ଭାରତ ମହାସାଗରରେ ପହରା ଦେଉଥିବା ପରମାଣୁ ଚାଳିତ ବୁଡ଼ାଜାହାଜ ସହିତ ଭାରତ ଆଜି ଯେକୌଣସି ପରମାଣୁ ଆକ୍ରମଣର ଦୃଢ଼ ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।