Indian Railways Doubles Littering Fine: ଟ୍ରେନ୍ରେ ଅଳିଆ ପକାଇଲେ ସର୍ବନାଶ! ଦେବାକୁ ପଡ଼ିପାରେ ଭାରି ଜରିମାନା
ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର। ରେଳଷ୍ଟେସନ୍ ହେଉ କି ଟ୍ରେନ୍ ଭିତର, ଏଣିକି ଅଳିଆ ପକାଇଲେ ଦେବାକୁ ପଡ଼ିବ ଦୁଇଗୁଣା ଜରିମାନା। ଭାରତୀୟ ରେଳବାଇ ଅଳିଆ ପକାଇବାର ଜରିମାନାକୁ ୫୦୦ ଟଙ୍କାରୁ ବଢ଼ାଇ ୧୦୦୦ ଟଙ୍କା କରିଛି।
ଅଗଷ୍ଟ ୨୪ ତାରିଖରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁସାରେ, ରେଳ ପରିସରରେ ପରିଚ୍ଛନ୍ନତା ପ୍ରଭାବିତ କରୁଥିବା କାର୍ଯ୍ୟ ପାଇଁ ଏହି ନୂଆ ନିୟମ ଲାଗୁ ହୋଇଛି। ଷ୍ଟେସନ୍, ପ୍ଲାଟଫର୍ମ କିମ୍ବା ଟ୍ରେନ୍ ଭିତରେ ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତୀତ ଅଳିଆ ଫିଙ୍ଗିବା, ଫୋପାଡ଼ିବା କିମ୍ବା ଛାଡ଼ିଯିବା ଉପରେ ଜରିମାନା ଲାଗିବ।
କେବଳ ଅଳିଆ ନୁହେଁ, ରେଳ ପରିସରରେ ଅନୁମତି ନଥିବା ସ୍ଥାନରେ ରୋଷେଇ କରିବା, ଗାଧୋଇବା, ଛେପ ପକାଇବା, ପରିସ୍ରା କିମ୍ବା ମଳତ୍ୟାଗ କରିବା ମଧ୍ୟ ଜରିମାନା ଯୋଗ୍ୟ ଅପରାଧ ହେବ। ଏହା ସହ ପଶୁ କିମ୍ବା ପକ୍ଷୀଙ୍କୁ ଖାଇବାକୁ ଦେବା, ଗାଡ଼ି, ବାସନ କିମ୍ବା କପଡ଼ା ଧୋଇବା ଏବଂ ରେଳ ପରିସରରେ ସାମଗ୍ରୀ ରଖିବା ଉପରେ ମଧ୍ୟ କଟକଣା ରହିଛି।
ଟ୍ରେନ୍ରେ ବିନା ଅନୁମତିରେ ପୋଷ୍ଟର ଲଗାଇବା, ସ୍ଲୋଗାନ୍ କିମ୍ବା ବାର୍ତ୍ତା ଲେଖିବା ଏବଂ ଚିତ୍ର ଆଙ୍କିବା ମଧ୍ୟ ନିୟମ ବିରୋଧୀ। ଏପରି କାର୍ଯ୍ୟ କଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ।
ଜରିମାନା ଆଦାୟ କରିପାରିବେ ଷ୍ଟେସନ୍ ମାଷ୍ଟର, ଷ୍ଟେସନ୍ ମ୍ୟାନେଜର, କମର୍ସିଆଲ୍ ବିଭାଗର ଟିକେଟ୍ କଲେକ୍ଟର ଏବଂ ରେଳବାଇ ପକ୍ଷରୁ ଅଧିକୃତ ଅନ୍ୟ ଅଧିକାରୀ। ଜରିମାନା ନଦେଲେ ମାମଲା କୋର୍ଟକୁ ଯାଇପାରେ ଏବଂ ସେଠାରେ ସର୍ବାଧିକ ୨୦୦୦ ଟଙ୍କା ଯାଏ ଜରିମାନା ହୋଇପାରେ।
ସେପଟେ, ରେଳ ପରିସରରେ ବ୍ୟବସାୟ କରୁଥିବା ଅଧିକୃତ ବିକ୍ରେତା ଓ ହକରମାନଙ୍କୁ ମଧ୍ୟ ଅଳିଆ ସଂଗ୍ରହ ପାଇଁ ଡଷ୍ଟବିନ୍ ରଖିବା ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ଆବର୍ଜନା ପକାଇବାକୁ ନିୟମରେ କୁହାଯାଇଛି।
ଏଥିରେ ରେଳବାଇର ଉଦ୍ଦେଶ୍ୟ ସ୍ପଷ୍ଟ କରାଯାଇଛି, ରେଳ ଯାତ୍ରା କେବଳ ସୁବିଧାଜନକ ନୁହେଁ, ପରିଷ୍କାର ଓ ସୁସ୍ଥ ପରିବେଶରେ ହେଉ। ତେଣୁ ଯାତ୍ରୀ ଭାବେ ଆମର ଛୋଟିଆ ସଚେତନତା ହିଁ ରେଳଷ୍ଟେସନ୍ ଓ ଟ୍ରେନ୍କୁ ଅଧିକ ସ୍ୱଚ୍ଛ ରଖିପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।