Indian Seafarer Killed After Ship Attacked: ଭାରତୀୟ ଜାହାଜ ଉପରେ ଆକ୍ରମଣ, ଜଣେ ନାବିକ ମୃତ; ୧୩ ଉଦ୍ଧାର

Nov 03, 2026 - 12:01
Indian Seafarer Killed After Ship Attacked: ଭାରତୀୟ ଜାହାଜ ଉପରେ ଆକ୍ରମଣ, ଜଣେ ନାବିକ ମୃତ; ୧୩ ଉଦ୍ଧାର

ପଶ୍ଚିମ ଏସିଆରେ ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଓମାନ ଉପକୂଳରେ ଭାରତୀୟ ପତାକା ଲାଗିଥିବା ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି।

ସୋମବାର ଘଟିଥିବା ଏହି ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜାହାଜରେ ଥିବା ଅନ୍ୟ ୧୩ ଜଣ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି।

ଓମାନ ଉପକୂଳରେ ଜାହାଜଟି ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିବା କେନ୍ଦ୍ରୀୟ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି।

Advertisment ମନ୍ତ୍ରୀ ସୋନୋୱାଲ ସୋସିଆଲ ମିଡିଆ 'ଏକ୍ସ'ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ୧୪ ଜଣ ଭାରତୀୟ ନାବିକ ଥିବା ଭାରତୀୟ ଜାହାଜ 'ଏମ୍‌ଏସ୍‌ଭି ଅଲ୍‌ ଜୁସୁଫି' ଓମାନ ଉପକୂଳ ନିକଟରେ ଯାଉଥିବା ବେଳେ ଏକ ଅଜଣା ବସ୍ତୁ ଜାହାଜରେ ଧକ୍କା ହୋଇଥିଲା।

ଏହାପରେ ଜାହାଜରେ ଥିବା ୧୩ ଜଣ ନାବିକ ସୁରକ୍ଷିତ ଭାବେ ବାହାରି ଆସିଥିଲେ।

ଓମାନର କୋଷ୍ଟ ଗାର୍ଡ ସେମାନଙ୍କୁ ଉଦ୍ଧାର କରିଥିଲା।

ତେବେ ଆକ୍ରମଣରେ ଆହତ ହୋଇଥିବା ଜଣେ ନାବିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ମୃତ ନାବିକଙ୍କ ନାମ ଗନ୍ଧର ନାହିମ ଅଜିଜ୍‌।

ସେ ଗୁଜରାଟର ବାସିନ୍ଦା ବୋଲି ଜଣାପଡ଼ିଛି।

ଘଟଣା ପରେ ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି।

ଉଦ୍ଧାର ହୋଇଥିବା ୧୩ ଜଣ ନାବିକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ସହ ସେମାନଙ୍କୁ ଶୀଘ୍ର ଭାରତ ଫେରାଇ ଆଣିବା ଏବଂ ମୃତ ନାବିକଙ୍କ ମରଶରୀର ଦେଶକୁ ଆଣିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି।

Advertisment ଫେବ୍ରୁଆରୀ ୨୮ରୁ ଆମେରିକା, ଇସ୍ରାଏଲ୍‌ ଓ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଜାହାଜ ଓ ତୈଳବାହୀ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣରେ ଅତି କମ୍‌ରେ ୨୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି।

ଏଥିରେ ୧୪ ଜଣ ନାବିକ ରହିଛନ୍ତି ବୋଲି ଗତ ମାସରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ।

ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷକୁ ନେଇ ଭାରତ ଗଭୀର ଉଦ୍‌ବେଗ ପ୍ରକାଶ କରିଛି।

ସମୁଦ୍ରରେ କାର୍ଯ୍ୟରତ ନାବିକଙ୍କ ସୁରକ୍ଷା ପାଇଁ ସାମୂହିକ ପଦକ୍ଷେପ ନେବାକୁ ମଧ୍ୟ ଭାରତ ଦାବି କରିଛି।

ଲଗାତାର ଜାହାଜ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଏବଂ ଓମାନ ଉପକୂଳରେ ସମୁଦ୍ରପଥରେ ଚଳାଚଳ କରୁଥିବା ଜାହାଜଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।