Love Story Exposed Paper Leak: ବ୍ରେକଅପ୍ ଖୋଲିଦେଲା ପେପର ଲିକ୍ ରହସ୍ୟ, ୩ ଅଧିକାରୀଙ୍କ ସମେତ ୬ ଗିରଫ
ମହାରାଷ୍ଟ୍ରରେ ମହାରାଷ୍ଟ୍ର ପବ୍ଲିକ୍ ସର୍ଭିସ କମିଶନ୍ (MPSC)ର ଡ୍ରଗ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣା ଏବେ ଚର୍ଚ୍ଚାରେ। ସବୁଠାରୁ ବେଶ ଚର୍ଚ୍ଚାରେ ରହିଥିବା ଖବର ହେଉଛି ଏହି ଘଟଣାର ସୁରାକ୍ ଏକ ପ୍ରେମ ସମ୍ପର୍କ ଓ ପରେ ହୋଇଥିବା ବ୍ରେକଅପ୍ରୁ ମିଳିଥିବା ତଦନ୍ତ ପରେ ସାମ୍ନାକୁ ଆସିଛି। ମାମଲାରେ MPSCର ୩ ଅଧିକାରୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି।
କେଉଁ ପରୀକ୍ଷାରେ ହୋଇଥିଲା ଅଭିଯୋଗ?
ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ର ଡ୍ରଗ୍ ଇନ୍ସପେକ୍ଟର, ଗ୍ରୁପ୍-ବି ପଦ ପାଇଁ MPSC ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଅଫ୍ଲାଇନ୍ ସ୍କ୍ରିନିଂ ପରୀକ୍ଷା ହୋଇଥିଲା। ମହାରାଷ୍ଟ୍ରର ୬ଟି ବିଭାଗୀୟ ମୁଖ୍ୟାଳୟରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ଜୁନ୍ ୧୨ରେ ଫଳ ପ୍ରକାଶ ପାଇଥିବା ବେଳେ ୫୦୬ ଜଣ ପ୍ରାର୍ଥୀ ସାକ୍ଷାତକାର ପାଇଁ ଯୋଗ୍ୟ ହୋଇଥିଲେ। ଜୁଲାଇ ୧ରୁ ୨୨ ମଧ୍ୟରେ ୪୮୮ ଜଣ ସାକ୍ଷାତକାର ଦେଇଥିଲେ।
ପ୍ରେମ ସମ୍ପର୍କରୁ କିପରି ମିଳିଲା ପେପର ଲିକ୍ର ସୁରାକ୍?
ତଦନ୍ତ ଅନୁସାରେ, ପ୍ରାର୍ଥୀ ଋତୁଜା ପାଟିଲ୍ଙ୍କ ବାପା ଅମୃତ ପାଟିଲ୍ ନନ୍ଦୁରବାରର ଏକ କୋଚିଂ ଅନୁଷ୍ଠାନ ସହ ଜଡ଼ିତ ପ୍ରବୀଣ ପାଟିଲ୍ଙ୍କଠାରୁ ପ୍ରଶ୍ନପତ୍ର କିଣିଥିବା ଅଭିଯୋଗ ରହିଛି। ଏହି କାରବାରରେ ପ୍ରଥମେ ପ୍ରାୟ ୫ ଲକ୍ଷ ଟଙ୍କାର ନେଣଦେଣ ହୋଇଥିବା ଏବଂ ୧୨ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିବା ତଦନ୍ତରେ ଜଣାପଡ଼ିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଅଭିଯୋଗ ଅନୁସାରେ ଋତୁଜା ଏହି ପ୍ରଶ୍ନପତ୍ର ତାଙ୍କ ପ୍ରେମିକ ଗୌରବ ପାଟିଲ୍ଙ୍କ ସହ ମଧ୍ୟ ସେୟାର କରିଥିଲେ। ତେବେ ଋତୁଜା ଏହି ପରୀକ୍ଷାରେ ସଫଳ ହୋଇଥିବା ବେଳେ ଗୌରବ ଫେଲ୍ ମାରିଥିଲେ। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ ହେବା ପରେ ସବୁ ଘଟଣା ସାମନାକୁ ଆସିଥିଲା।
ବ୍ରେକଅପ୍ ପରେ ଅଭିଯୋଗ
ତେବେ ବ୍ରେକଅପ୍ ପରେ ଋତୁଜା ସରକାରୀ ଚାକିରି ପାଇ ଆଗକୁ ବଢିବାରେ ଲାଗିଥିଲେ। କିନ୍ତୁ ଗୌରବ ପ୍ରତିଶୋଧର ନିଆଁରେ ଜଳିଥିଲେ। ଯେଉଁଥିପାଇଁ ଗୌରବ MPSCକୁ ଇ-ମେଲ୍ ମାଧ୍ୟମରେ ପରୀକ୍ଷା ପେପର ଲିକ୍ ହୋଇଥିବା ନେଇ ଅଭିଯୋଗ କରିଥିଲେ। ପରେ ସେ ଅଭିଯୋଗ ପ୍ରତ୍ୟାହାର କରିବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ସେତେବେଳକୁ MPSC ପକ୍ଷରୁ ତଦନ୍ତ ଆରମ୍ଭ ହୋଇସାରିଥିଲା।
ପ୍ରଶ୍ନପତ୍ର କିପରି ଲିକ୍ ହୋଇଥିଲା?
ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପରୀକ୍ଷା ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନ ବ୍ୟାଙ୍କରୁ ପ୍ରଶ୍ନଗୁଡ଼ିକୁ ବେଆଇନ ଭାବେ ବାହାର କରି ଏକ ନୂଆ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରଶ୍ନପତ୍ରକୁ ଗୁପ୍ତ ଭାବେ ବିକ୍ରି କରାଯାଇଥିବା ତଦନ୍ତରୁ ସାମ୍ନାକୁ ଆସିଛି। ଏପରିକି ଆହୁରି କିଛି ଖବର ମିଳିଛି ଯେ, ପରୀକ୍ଷାର ଦୁଇ ଦିନ ପୂର୍ବରୁ କିଛି ପ୍ରାର୍ଥୀଙ୍କ ନିକଟରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ତେବେ ଏହି ସମ୍ପର୍କିତ ସମସ୍ତ ଅଭିଯୋଗ ଉପରେ ତଦନ୍ତ ଜାରି ରହିଛି।
୩ MPSC ଅଧିକାରୀଙ୍କ ସମେତ ୬ ଗିରଫ
ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ MPSCର ଆସିଷ୍ଟାଣ୍ଟ ରୁମ୍ ଅଫିସର ବିଶ୍ୱେଶ୍ୱର ଦତ୍ତାତ୍ରେୟ ନକାଟେ, ଅଣ୍ଡର ସେକ୍ରେଟାରୀ ଅଭିଜିତ ଗଣପତରାଓ ଲେଣ୍ଡଭେ ଏବଂ ଆସିଷ୍ଟାଣ୍ଟ ରୁମ୍ ଅଫିସର ଗୋପାଳ ଭଟ୍ଟୁ ମରାଠେ ଅଛନ୍ତି। ଏହାଛଡ଼ା କୌଟିଲ୍ୟ ଏକାଡେମୀ, ନନ୍ଦୁରବାରର ନିର୍ଦ୍ଦେଶକ ପ୍ରବୀଣ ଦିଲୀପ ପାଟିଲ୍, ଋତୁଜାଙ୍କ ବାପା ଅମୃତ ନାମଦେବ ପାଟିଲ୍ ଏବଂ ଗୌରବ ପାଟିଲ୍ଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି।
ଜୁଲାଇରେ ଆସିଥିଲା ଅଭିଯୋଗ
ଜୁଲାଇ ୨୧ରୁ ୨୬ ମଧ୍ୟରେ MPSCକୁ ପରୀକ୍ଷାରେ ଅନିୟମିତତା ଏବଂ ପେପର ଲିକ୍ ନେଇ ଅନେକ ଅଭିଯୋଗ ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ। ତଦନ୍ତରେ ପେପର ଲିକ୍ ହୋଇଥିବା ପ୍ରମାଣ ମିଳିବା ପରେ MPSC ଡ୍ରଗ୍ ଇନ୍ସପେକ୍ଟର ଗ୍ରୁପ୍-ବିର ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ବାତିଲ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।