17 SEPTEMBER 2026

Welcome!

Unlock your personalized experience.
Sign Up

Mining areas: ଖଣି ଅଞ୍ଚଳରେ ବିଗୁଡୁଛି ସାମାଜିକ ଶୃଙ୍ଖଳା: ବାହା ବୟସରେ ଯୁବକ ଅଜା

Sep 17, 2026 - 03:06
Mining areas: ଖଣି ଅଞ୍ଚଳରେ ବିଗୁଡୁଛି ସାମାଜିକ ଶୃଙ୍ଖଳା: ବାହା ବୟସରେ ଯୁବକ ଅଜା

କାଳିଆପାଣି (ରବିନାରାୟଣ କର): ରତ୍ନଗର୍ଭା ସୁକିନ୍ଦା ସମଗ୍ର ବିଶ୍ବରେ କ୍ରୋମାଇଟ୍‌ ଖଣି ପାଇଁ ପରିଚିତ। ଏଠାରୁ ଖଣି ଉତ୍ତୋଳନ କରି ଅନେକ ଶିଳ୍ପପତି, ପୁଞ୍ଜିପତି ଆଗକୁ ବଢ଼ିଛନ୍ତି। ଏହି ଖଣିକୁ ଦୃଷ୍ଟିରେ ରଖି ଗଢ଼ିଉଠୁଛି ଅନେକ ଶିଳ୍ପ। ହେଲେ ରତ୍ନଗର୍ଭାର ଆଖିରୁ ଲୁହ ଶୁଖୁନି। ନଗଡ଼ାର ଅପପୁଷ୍ଟି, ଶିଶୁ ମୃତ୍ୟୁକୁ ନେଇ ବିଶ୍ବରେ ବଦନାମ ମୁଣ୍ଡାଇଥିବା ଓଡ଼ିଶାକୁ କଳଙ୍କ ପିଛା ଛାଡୁନି। ଦୀର୍ଘ ବର୍ଷ ପରେ ବି ଏହାର ଚିତ୍ର ବଦଳାଯାଇପାରୁନି। ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ବିଭିନ୍ନ ଯୋଜନାମାନ ହାତକୁ ନେଉଥିଲେ ବି ତାହାର ସୁଫଳ ମିଳୁନାହିଁ। ପୂର୍ବଭଳି ଏଠାରେ ବାଲ୍ୟ ବିବାହ ଚିନ୍ତାଜନକ ରହିଛି। ବାହା ହେବା ବୟସରେ ଏଠାକାର ଯୁବକ-ଯୁବତୀ ଜେଜେ, ଅଜାଆଈ ଡାକ ଶୁଣୁଛନ୍ତି। ବୟସର ତାରତମ୍ୟ ଓ ସନ୍ତାନ ପ୍ରସବରେ ସଚେତନତା ନଥିବାରୁ ଗୋଟିଏ କୋଳରେ ନିଜର ଜନ୍ମିତ ସନ୍ତାନ ଓ ସନ୍ତାନର ପିଲା (ନାତି-ନାତୁଣୀ)ଙ୍କୁ ଖେଳାଉଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। କ୍ଷୀର ଛାଡ଼ିନଥିବା ନିଜ ସନ୍ତାନ ସହିତ ପୁଅର ସନ୍ତାନକୁ ସମ୍ଭାଳିବାକୁ ପଡୁଛି। କମ୍‌ ବୟସରୁ ବିବାହ ଯୋଗୁଁ ଅପପୁଷ୍ଟି, ରକ୍ତହୀନତା ଭଳି ‌ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜୁଛି। ୪୦ ବର୍ଷ ବେଳକୁ ବାର୍ଦ୍ଧକ୍ୟ ମାଡ଼ି ବସୁଛି। ଖଣି ଅଞ୍ଚଳରେ ବିଗୁଡୁଥିବା ଏ ପ୍ରକାର ସାମାଜିକ ‌ଅଧୋଗତି ପାଇଁ ବୁଦ୍ଧିଜୀବୀ ଜିଲ୍ଲା ପ୍ରଶାସନକୁ ଦାୟୀ କରୁଛନ୍ତି। ଦୀର୍ଘ ଦିନ ପରେ ବି ନଗଡ଼ାର ଚିତ୍ର ବଦଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶାସନ କେବଳ କଚ୍ଚାଘରକୁ ପକ୍କା କରିଛି, ସଡ଼କ, ଆଲୁଅ ଦେଇଛି; ହେଲେ ନଗଡ଼ାବାସୀଙ୍କ ମାନସିକତାର ପରିବର୍ତ୍ତନ ଆଣିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି।

ICC T20 Ranking: ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଈଶାନ-ଅଭିଷେକ ୧-୨

ଗୋଟିଏ କୋଳରେ ଖେଳୁଛନ୍ତି ସନ୍ତାନ-ନାତି
ନଗଡ଼ାରେ ବାଲ୍ୟ ବିବାହରେ ଲାଗିପାରୁନି ରୋକ୍‌

ତଥ୍ୟ ମୁତାବକ, ବାଲ୍ୟ ବିବାହର ଗଡ଼ ପାଲଟିଛି ନଗଡ଼ା ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳ। ଏଠାରେ ବସବାସ କରୁଥିବା ଆଦିମ ଜନଜାତି ଜୁଆଙ୍ଗ ପରିବାରରେ ଯୁବ ବୟସରେ ଆଈ, ଜେଜେମା’ ବନିଯାଉଛନ୍ତି। ପ୍ରାୟ ମହିଳା ୩୦-୩୫ ବର୍ଷ ବୟସରେ ନାତିନାତୁଣୀ ଖେଳାଉଛନ୍ତି। ଅନେକ ସମୟରେ କୋଳରେ ବଢ଼ୁଥିବା ନିଜ ପିଲାଛୁଆ ସହିତ ନାତିନାତୁଣୀଙ୍କୁ ଖେଳାଉଛନ୍ତି। ଏ ପ୍ରକାର ଦୃଶ୍ୟ ବାଲ୍ୟ ବିବାହ ନିରାକରଣକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି। ତଳନଗଡ଼ାର ମୁନି (୩୫) ଓ କୃପା ପ୍ରଧାନ (୩୭)ଙ୍କ ୭ ସନ୍ତାନ। ସେମାନଙ୍କ ଦୁଇ ସାନଝିଅ ରେବତୀ ଓ ପୂଜାଙ୍କ ବୟସ ୪ ଓ ୨ ବର୍ଷ। ୨୦୨୧ରେ ନାବାଳକ ବଡ଼ପୁଅ ସପ୍ତମଶ୍ରେଣୀ ପାଠପଢ଼ା ପରେ ସମବୟସ୍କା ଝିଅକୁ ବାହା ହୋଇଥିଲେ। ଏବେ ଏହି ଦମ୍ପତିଙ୍କ ଝିଅକୁ ୪ ବର୍ଷ ଓ ପୁଅକୁ ୯ ମାସ। ମୁନି ନାତି ଖେଳାଉଥିବା ଦେଖି ପଚାରିବା‌ରୁ ବୋହୂ ଭଲରେ ଛୁଆ କଥା ବୁଝିପାରୁନି, ତେଣୁ ତାଙ୍କୁ ସବୁ କଥା ବୁଝିବାକୁ ପଡୁଛି ବୋଲି କହିଥିଲେ। ନଗଡ଼ା ସରକାରୀ ଉପ୍ରା ସ୍କୁଲ ପରିଚାଳନା କମିଟି ସଭାପତି କୃପା ପ୍ରଧାନଙ୍କୁ ପୁଅ‌ବୋହୂଙ୍କ ବାଲ୍ୟବିବାହ କଥା ପଚାରିବାରୁ ସେ କହିଥିଲେ, ସେମାନଙ୍କ କହିବା କଥା ସେମାନେ କ’ଣ ମଲା ପରେ ପୁଅ ବାହାଘର କରି ନାତିନାତୁଣୀ ଦେଖିବେ କି? ବୋଲି ଉତ୍ତର ରଖୁଛନ୍ତି।

Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍‌ ବୋରା

ସେହିପରି ସମବୟସ୍କ ଦମ୍ପତି ଗାଲେ ଓ ମଙ୍ଗୁଳୁ ପ୍ରଧାନଙ୍କ ୮ ସନ୍ତାନ। ୨ ସାନପୁଅ (୩ ବର୍ଷ) ଓ (୧୯ ମାସ) ମାଆକୋଳ ଛାଡ଼ି ନାହାନ୍ତି। ନାବାଳକ ବଡ଼ପୁଅ ବୁଟୁ ଓ ନାବାଳିକା ବୋହୂର ଝିଅକୁ ୪ ମାସ। ଏହି ଦମ୍ପତିଙ୍କ ପରିବାର ସଦସ୍ୟ ସଂଖ୍ୟା ଏବେ ୧୨। କ୍ଷୀର ଛାଡ଼ିନଥିବା ପୁଅ ସହ ନାତୁଣୀ ଦାୟିତ୍ବ ତାଙ୍କୁ ସମ୍ଭାଳିବାକୁ ପଡ଼ୁଛି ବୋଲି ଗାଲେ କହିଥିଲେ। ସେହିପରି ତଳନଗଡ଼ାର କ୍ଷୀରମାଈ ଓ ପଦୁ ପ୍ରଧାନ, ସୁନେଇ ଓ ରଘୁଆ ପ୍ରଧାନ, ଚୁକେଇ ଓ ବଦୁଆ ପ୍ରଧାନ, ଲକ୍ଷ୍ମୀ ଓ ବଦୁଆ ପ୍ରଧାନ, ମଝି ନଗଡ଼ାର ଲକ୍ଷ୍ମୀ ଓ ସ୍ବର୍ଗତ କଟିକିଆ ପ୍ରଧାନ, ଠୁଳୁ ଓ ସୁନା ପ୍ରଧାନ ଏବଂ ଉପର ନଗଡ଼ାର ଈରା ଓ କଟିକିଆ ପ୍ରଧାନ ଦମ୍ପତି ୩୩ରୁ ୩୫ ବର୍ଷ ବୟସରେ ଜେଜେ ହୋଇଛନ୍ତି। ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ପଚରାଯିବାରୁ ନଗଡ଼ାର ଏହି ସମସ୍ୟା ବାବଦରେ ସେ ଅବଗତ ଥିବା କହିଥିଲେ। ସେଠାରେ ନିୟମିତ ବାଲ୍ୟବିବାହ ସଚେତନତା ଓ ପରିବାର ନିୟୋଜନ କାର୍ଯ୍ୟକ୍ରମର ଆବଶ୍ୟକ ଥିବା ଦର୍ଶାଇ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।