National Steel Policy Vision: ଜାତୀୟ ଇସ୍ପାତ ନୀତି ଭିଜନ୍: ୨୦୪୭ ସୁଦ୍ଧା ଇସ୍ପାତ ଉତ୍ପାଦନ ୩ ଗୁଣା ବଢ଼ିବ
ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଦେଶର ଇସ୍ପାତ ଉତ୍ପାଦନ କ୍ଷମତାକୁ ପ୍ରାୟ ୩ ଗୁଣା କରିବା ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଭାରତର ଇସ୍ପାତ ଉତ୍ପାଦନ କ୍ଷମତା ୨୨୦ ନିୟୁତ ଟନ୍ ରହିଛି। ୨୦୪୭ ମସିହା ସୁଦ୍ଧା ଏହାକୁ ୬୦୪ ନିୟୁତ ଟନ୍ରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଇସ୍ପାତ ନୀତି ଭିଜନ୍ ୨୦୪୭ର ଏକ ଚିଠା ପ୍ରକାଶ କରାଯାଇଛି। ଚିଠା ଭିଜନ୍ ଅନୁଯାୟୀ, ୨୦୪୭ ସୁଦ୍ଧା ଦେଶର ଇସ୍ପାତ ଚାହିଦା ୫୦୫ ନିୟୁତ ଟନ୍କୁ ବୃଦ୍ଧି ପାଇବ। ସେହିଭଳି ଦେଶରେ ମୁଣ୍ଡପିଛା ଇସ୍ପାତ ବ୍ୟବହାର ୩୦୨ କିଗ୍ରା ଏବଂ ଇସ୍ପାତ ରପ୍ତାନି ୪୫ ନିୟୁତ ଟନ୍ ରହିବ। ଇସ୍ପାତ ଉତ୍ପାଦନ ବଢ଼ାଇବା ସହ ଏହି ଶିଳ୍ପରୁ ହେଉଥିବା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଉପରେ ଚିଠା ଭିଜନ୍ରେ ଗୁରୁତ୍ୱ ଦିଆଯାଇଛି।
Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ
ଦେଶର ମୋଟ କାର୍ବନ ନିର୍ଗମନରେ ଇସ୍ପାତ କ୍ଷେତ୍ରର ଯୋଗଦାନ ପ୍ରାୟ ୧୦ରୁ ୧୨ ପ୍ରତିଶତ। ବର୍ତ୍ତମାନ ପ୍ରତି ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନରେ ହାରାହାରି ୨.୫୪ ଟନ୍ ଅଙ୍ଗାରକାମ୍ଳ ନିର୍ଗତ ହେଉଛି। ବିଶ୍ବରେ କିନ୍ତୁ ଏହା ହାରାହାରି ୧.୯୨ ଟନ୍ ରହିଛି। ତେଣୁ ନୂଆ ଚିଠା ଭିଜନ୍ରେ ୨୦୪୭ ସୁଦ୍ଧା ଦେଶରେ ଟନ୍ ପିଛା ଇସ୍ପାତ ଉତ୍ପାଦନରେ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ୧.୫୪ ଟନ୍କୁ ହ୍ରାସ କରିବା ଲକ୍ଷ୍ୟ ରହିଛି। ୨୦୭୦ ସୁଦ୍ଧା ନିଟ୍ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ହାସଲ ନେଇ ଦେଶର ରଖାଯାଇଥିବା ଲକ୍ଷ୍ୟ ସହ ଏହାର ସମନ୍ବୟ ରଖାଯାଇଛି।
ଇସ୍ପାତ ଶିଳ୍ପର ବର୍ଦ୍ଧିତ ଚାହିଦା ପୂରଣ ପାଇଁ ୨୦୪୭ ସୁଦ୍ଧା ୭୭୨ ନିୟୁତ ଟନ୍ ଲୁହାପଥର ଆବଶ୍ୟକ। ବର୍ତ୍ତମାନ ଏହା ୨୯୯ ନିୟୁତ ଟନ୍ରେ ରହିଛି। ଏଥିସହିତ ବର୍ତ୍ତମାନ ଇସ୍ପାତ କ୍ଷେତ୍ରର କୋକିଂ କୋଲ୍ ଆବଶ୍ୟକତା ୭୨ ନିୟୁତ ଟନ୍ ଥିବାବେଳେ ୨୦୪୭ ସୁଦ୍ଧା ଏହା ୨୩୬ ନିୟୁତ ଟନ୍କୁ ବଢ଼ିବ ବୋଲି ଆକଳନ କରାଯାଇଛି। ଏହି ଲୁହାପଥରର ନିରନ୍ତର ଯୋଗାଣ ପାଇଁ ବିଦେଶରେ ଖଣି ସମ୍ପତ୍ତି ଅଧିଗ୍ରହଣ, ମିଳିତ ଉଦ୍ୟୋଗ ସ୍ଥାପନ ଓ ଅନ୍ୟ ଦେଶରୁ କୋକିଂ କୋଲ୍ ଆମଦାନିର ଉତ୍ସକୁ ବ୍ୟାପକ କରିବାକୁ ଯୋଜନା ରହିଛି। ଭାରତ ବିଶ୍ୱର ଏକ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ଦେଶ। ଆଗାମୀ ଦଶନ୍ଧିଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ଓ ଶିଳ୍ପାୟନ ଇସ୍ପାତ କ୍ଷେତ୍ରର ଚାହିଦା ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି। ଦେଶରେ ଇସ୍ପାତ ସ୍କ୍ରାପ୍ ବ୍ୟବହାର ଏବେ ୩୬ ନିୟୁତ ଟନ୍ ରହିଛି। ୨୦୪୭ ବେଳକୁ ଏହା ୧୨୩ ନିୟୁତ ଟନ୍ରେ ପହଞ୍ଚିବ।
Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।