Newly Built Road Damaged Within Two Months: ୨ ମାସ ଗଲାନି ସାଢେ ୮ କୋଟିର ରାସ୍ତା, ଅସଳାଏ ବର୍ଷାରେ ରାସ୍ତା ଫାଟି ଆଁ
ଦୁଇ ମାସ ତଳେ ତିଆରି ହୋଇଥିଲା ରାସ୍ତା। ନବନିର୍ମିତ ଏହି ରାସ୍ତା କେଉଁଠି ଧସେଇ ଯାଇଛି ତ, ପୁଣି କେଉଁଠି ଫାଟି ଆଁ କରିଛି। ଦେଖିଲେ ଲାଗୁଛି ଯେମିତି ଏବେ ଏବେ ଏକ ଶକ୍ତିଶାଳୀ ଭୂକମ୍ପର ଝଟକା ଲାଗିଛି। ହେଲେ ଏହା କୌଣସି ଭୂମିକମ୍ପ ପରର ଦୃଶ୍ୟ ନୁହଁ, ଏ ହେଉଛି ଏ ହେଉଛି ଗୋପବନ୍ଧୁଙ୍କ କର୍ମସ୍ଥଳୀ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଡଭାର ଗାଁରୁ ଶଙ୍ଖତିରାକୁ ସଂଯୋଗ କରୁଥିବା ରାସ୍ତା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ଏ ରାସ୍ତା ହିଁ ବୟାନ କରୁଛି ବଡ଼ ଦୁର୍ନୀତିର ଚିତ୍ର। ୪.୫ କିଲୋମିଟରର ଏହି ରାସ୍ତାକୁ ଆଠ କୋଟି ଅଣସ୍ତରୀ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ କରିଛି ନିମାପଡା ଗ୍ରାମ୍ୟ ନିର୍ମାଣ ବିଭାଜନ। ଯାହା ୨ ମାସ ବି ତିଷ୍ଠିଲାନି। ଗୋଟାଏ ବର୍ଷା ଖୋଲିଦେଲା ଠିକାଦାର ଓ ଅଧିକାରୀଙ୍କ ଅସଲ ମୁଖା। ନିର୍ଦ୍ଧାରିତ ସମୟର ବର୍ଷପରେ ଅର୍ଥାତ ଏଇ ଦୁଇମାସ ତଳେ ରାସ୍ତାକାମ ସରିଛି। ଲୋକେ ଭାବୁଥିଲେ ବିଳମ୍ବରେ ତିଆରି ରାସ୍ତା ଭଲ ହେଇଥିବ, ହେଲେ ପାଞ୍ଚଟି ଗାଁର ଲୋକଙ୍କ ପାଇଁ ଏହି ରାସ୍ତା ଏବେ ମରଣ ଯନ୍ତା ପାଲଟି ଯାଇଛି। ସେପଟେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ହୋଇଥିବା ଏହି ନିମ୍ନମାନ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ପୁରୀ ଜିଲ୍ଲାର ଗୋପ ବ୍ଲକର ବନ୍ୟା ପ୍ରବଣ ଏହି ଅଂଚଳର ଲୋକମାନଙ୍କ ପାଇଁ ଏହି ରାସ୍ତା ଜୀବନ ରେଖା ସଦୃଶ। ବିଶେଷ କରି ଡଭାର, ଆଇ ମା, ଶଂଖତିରା, ଇଟାକୁଦ ଓ ଭଦିସ ଗାଁ ଏହାରି ଉପରେ ନିର୍ଭରଶୀଳ। ନିର୍ମାଣ ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାର୍ଡ ୱାଲ ଦେଲାନି କି ନୂଆ ମାଟିକୁ ଠିକ ଭାବେ ରୋଲିଂ କଲାନି ଠିକା ସଂସ୍ଥା। ବିଭାଗୀୟ ଯନ୍ତ୍ରୀ ସବୁ ଜାଣି ଅଜଣା ହେଲେ। ପିସି ନେଇ ଚୁପ ବସିଲେ। ଏବେ ରାସ୍ତା ଧସିଲା ପରେ ଦୁଇ ପାର୍ଶ୍ୱରେ ବାଉଁଶ ତାଟି ବାନ୍ଧି ମାଟି ଫିଲିଂ କରାଯାଉଛି। ହେଲେ ଏହା ଅସ୍ଥାୟୀ। ଆଉ ସେପଟେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ବିଭାଗୀୟ ଅଧିକାରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।