ଟି-୨୦ରେ ବଡ଼ ଅଦଳବଦଳ: ବୈଭବଙ୍କ ପାଇଁ ଆସିଲା ଖୁସିଖବର!

Oct 17, 2026 - 07:35
ଟି-୨୦ରେ ବଡ଼ ଅଦଳବଦଳ: ବୈଭବଙ୍କ ପାଇଁ ଆସିଲା ଖୁସିଖବର!

ଭୁବନେଶ୍ୱର, ୧୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ଶନିବାର ବେଙ୍ଗାଲୁରୁର ଏମ. ଚିନ୍ନାସୱାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳରେ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ସାମିଲ ହୋଇଛନ୍ତି। ଆହତ ଅର୍ଶଦୀପ ସିଂହଙ୍କ କଭର ଭାବେ ତାଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଫଳରେ ଶେଷ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ହେବାର ସମ୍ଭାବନା ବଢ଼ିଛି।

ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ପଞ୍ଚମ ଟି-୨୦ରେ ଖେଳିବାର ସୁଯୋଗ ମିଳିପାରେ। ତାଙ୍କୁ ଅଭିଷେକ ଶର୍ମାଙ୍କ ସ୍ଥାନରେ ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି। ହାଇଦ୍ରାବାଦରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଅଭିଷେକ ୨୪ ବଲରୁ ମାତ୍ର ୨୯ ରନ କରିଥିଲେ। ଏହା ପୂର୍ବରୁ ଲକ୍ଷ୍ନୌ ଓ ରାଞ୍ଚିରେ ଖେଳାଯାଇଥିବା ମ୍ୟାଚରେ ସେ ଯଥାକ୍ରମେ ୨୧ ଓ ୨୦ ରନ କରିଥିଲେ। ତେଣୁ ଶେଷ ମ୍ୟାଚରେ ଦଳ ପରିବର୍ତ୍ତନ କରିବା ନେଇ ଚିନ୍ତା କରିପାରେ।

ଚତୁର୍ଥ ଟି-୨୦ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ କାନ୍ଧରେ ଆଘାତ ଲାଗିଥିଲା। ତାଙ୍କୁ ଶେଷ ମ୍ୟାଚରୁ ଆନୁଷ୍ଠାନିକ ଭାବେ ବାଦ ଦିଆଯାଇନଥିଲେ ମଧ୍ୟ ଭୁବନେଶ୍ୱର କୁମାରଙ୍କୁ କଭର ଭାବେ ଦଳରେ ନିଆଯାଇଛି। ଅର୍ଶଦୀପ ଫିଟ ନ ହେଲେ ଭୁବନେଶ୍ୱରଙ୍କ ଖେଳିବା ପ୍ରାୟ ନିଶ୍ଚିତ।

ଯଦି ଭୁବନେଶ୍ୱର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି, ତେବେ ପ୍ରାୟ ୪ ବର୍ଷ ପରେ ତାଙ୍କର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ହେବ। ସେ ଶେଷ ଥର ପାଇଁ ନଭେମ୍ବର ୨୦୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଇଁ ଖେଳିଥିଲେ।

ପଞ୍ଚମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ-

୧. ସଞ୍ଜୁ ସାମସନ (ଉଇକେଟ୍‌କିପର୍‌)
୨. ବୈଭବ ସୂର୍ଯ୍ୟବଂଶୀ
୩. ଈଶାନ କିଶନ
୪. ଶ୍ରେୟସ ଆୟର (ଅଧିନାୟକ)
୫. ତିଳକ ବର୍ମା
୬. ନମନ ଧୀର
୭. ନୀତିଶ ରେଡ୍ଡୀ
୮. ଅକ୍ଷର ପଟେଲ
୯. ଭୁବନେଶ୍ୱର କୁମାର
୧୦. ପ୍ରିନ୍ସ ଯାଦବ
୧୧. ମୟଙ୍କ ଯାଦବ

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।