ସଡ଼କ ଦୁର୍ଘଟଣାରେ ଆଥଲେଟ୍ଙ୍କ ଜୀବନ ଗଲା, ସୁନାପୁଅ ମଳୟଙ୍କୁ ଝୁରୁଛି ଜନ୍ମମାଟି
ଅତାବିରା,୨୨ା୧୦(ଯୁଧିଷ୍ଠିର ମହାପାତ୍ର): ସଡ଼କ ଦୁର୍ଘଟଣାରେ ଦୁଇ ଯୁବ ଆଥଲେଟ୍ଙ୍କ ଜୀବନ ଚାଲିଯାଇଛି। କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଫୁଲନଖରା ଛକରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ଗୁରୁତର ଅବସ୍ଥାରେ ବୁଧବାର ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ବୁଧବାର ରାତିରେ ଘଟିଥିଲା ଏହି ଦୁର୍ଘଟଣା। ମୃତକ ହେଲେ ଜୟରାମ ଦଣ୍ଡପାଟ ଓ ମଳୟ ବାରିକ। ଉଭୟ କଳିଙ୍ଗ ଷ୍ଟାଡିୟମର ହାଇ ପରଫରମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ। ବରଗଡ଼ ଜିଲା ଅତାବିରା ବ୍ଲକ ବାବେବିରା ଗ୍ରାମରେ ମଳୟ ବାରିକଙ୍କ ଜନ୍ମମାଟି। ମଳୟଙ୍କ ଅକାଳ ବିୟୋଗରେ ବାପା ଶିକ୍ଷକ ମଧୁସୂଦନ ବାରିକ ଏବଂ ଶିକ୍ଷୟିତ୍ରୀ ମାଆ ଗିରିଜା ପ୍ରଧାନ ହୃଦୟରୁ ଭାଙ୍ଗି ପଡ଼ିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ସର୍ବଭାରତୀୟ ୨୦ ବର୍ଷରୁ କମ୍ ଜାତୀୟ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାର ସ୍ବର୍ଣ୍ଣପଦକ ବିଜେତା ଏବଂ ଚଣ୍ଡିଗଡ଼ରେ ଅନୁଷ୍ଠିତ ୪୦୦ ମିଟର ରିଲେ କାର୍ଣ୍ଣିଭାଲର ରୌପ୍ୟ ପଦକ ବିଜେତା ଆମ ଅଞ୍ଚଳର ଗର୍ବ ଓ ଗୌରବ ବାବେବିରା ନିବାସୀ ମଳୟ ବାରିକଙ୍କ ଅକାଳ ବିୟୋଗ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସତରେ ସୁନାପୁଅ ମଳୟଙ୍କୁ ଝୁରୁଛି ଜନ୍ମମାଟ। କଟକ ବଡ଼ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ମଳୟଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ଅଣାଯିବ। ଏଠାରେ ଶୋକାକୁଳ ପରିବେଶରେ ଅପେକ୍ଷା କରିଥିବା ଶତାଧିକ ଗ୍ରାମବାସୀ, ପରିବାର ପରିଜନ ଶେଷ ଦର୍ଶନ ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।