୨ କଲରାପତରିଆ ବାଘଛାଲ ସହ ଜୀବନ୍ତ ବାର୍‌ହା ଜବତ, ୭ ଜଣଙ୍କୁ ଗିରଫ କରି…

Oct 30, 2026 - 15:55
୨ କଲରାପତରିଆ ବାଘଛାଲ ସହ ଜୀବନ୍ତ ବାର୍‌ହା ଜବତ, ୭ ଜଣଙ୍କୁ ଗିରଫ କରି…

ଭବାନୀପାଟଣା,୩୦ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଦକ୍ଷିଣ ବନଖଣ୍ଡକୁ ମିଳିଛି ଏକ ବଡ଼ ସଫଳତା। ଜିଲାର ଥୁଆମୂଲ ରାମପୁର ବନାଞ୍ଚଳର ସାଇସୁରନି ରେଞ୍ଜରେ ଏକ ବନ୍ୟପ୍ରାଣୀ ଚୋରା ଚାଲାଣ ଓ ଶିକାରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବନ ବିଭାଗ। ଏହି ଘଟଣାରେ ଶୁକ୍ରବାର ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବନ୍ୟପ୍ରାଣୀ ସାମଗ୍ରୀ ଏବଂ ମାରଣାସ୍ତ୍ର ଜବତ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ଜିଲାର କର୍ଲାପାଟ ଥାନା ଅନ୍ତର୍ଗତ ଡାବ୍ରିଗୁଡାର କୁମୁଦରାଉତ, ପାନଭଟାର ତରଙ୍ଗ ପାତ୍ର, ତଲ ଆମପଦରର ସନ୍ତୋଷ କୁମାର ଜାଲ,
ଅର୍ଜୁନ ମାଝୀ, ନୀଳକଣ୍ଠ ସାହୁ, ଆନନ୍ଦ ମାଝୀ ଓ ଲେଲି ମାଝୀ। ଶିକାରୀମାନେ ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ଅଙ୍ଗ ଚୋରା ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଏହା ପୂର୍ବରୁ ମାଡି ବସିଥିଲା ବନ ବିଭାଗ । ସେମାନଙ୍କ ନିକଟରୁ ୨ଟି କଲରାପତରିଆ ବାଘଛାଲ,ନଖ ହାଡ଼, ଦାନ୍ତ, ନିଶ ଓ ବାଘ ଛାଲ ଖଣ୍ଡ ଜବତ ହୋଇଛି। ଏହା ସହିତ ଏକ ୧୦ କିଲୋ ଓଜନର ଜୀବନ୍ତ ବଣୁଆ ବାର୍‌ହା, ଏକ ଗୋଧି ମୁଣ୍ଡ ଏବଂ ବନ୍ୟଜନ୍ତୁ ନଖ ମଧ୍ୟ ଉଦ୍ଧାର କରାଯାଇଛି।

ସେହିପରି ଶିକାର ପାଇଁ ବ୍ୟବହୃତ ଏକ ଦେଶୀ ଟୋପିଦାର ବନ୍ଧୁକ, ୭ ଗ୍ରାମ ବାରୁଦ, ୨୦୬ଟି ଗୁଳି, ବନ୍ଧୁକ ସଫା କରିବା ରଡ୍‌ ସମେତ ଧନୁ ଓ ୨ଟି ତୀର ଜବତ କରାଯାଇଛି। ବନ ବିଭାଗ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ବଳରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ରାକେଟ୍‌ରେ ଆଉ କିଛି ଜଣ ସମ୍ପୃକ୍ତି ଥିବାବେଳେ ସେମାନେ ଏବେ ଫେରାର ଥିବା ବନ ବିଭାଗରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।