୪ ବର୍ଷ ପରେ ବି ପରମହଂସ ପଞ୍ଚାୟତକୁ ଗଡ଼ିଲାନି ବସ୍, ତେଜିଲା ଅସନ୍ତୋଷ
କଟକ ସଦର,୫।୧୧(ସୁଶାନ୍ତ କୁମାର ଜେନା): ୨୦୨୧ – ୨୦୨୨ ଆର୍ଥିକ ବର୍ଷରେ ବ୍ଲକ କାର୍ଯ୍ୟଳୟ ସହିତ ସଂଯୋଗ କରିବା ପାଇଁ ଲକ୍ଷ୍ମୀ ବସ ସେବା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଯାହାର ନାମ ମୁଖ୍ୟମନ୍ତ୍ରୀ ବସ ରଖାଯାଇଛି । ଇତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ଗ୍ରାମ ପଞ୍ଚାୟତ ଏହି ସେବାରୁ ବଞ୍ଚିତ ହୋଇ ଆସୁଛି ।ଏହି ପଞ୍ଚାୟତରେ ପ୍ରାଚୀନ ଶୈବ୍ୟ ପୀଠ ଶ୍ରୀ ପରମହଂସ ନାଥ ଦେବଙ୍କ ମନ୍ଦିର ରହିଛି । ଏହି ପୀଠର ଉନ୍ନତି ଓ ବିକାଶ ପାଇଁ ରାଜ୍ୟ ସରକାର ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରି ସାରିଲେଣି ।
ଏପରିକି ଉନ୍ନତି କରଣ ପାଇଁ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧିପାଇଁ ସମୀକ୍ଷା ଚାଲିଛି । ମାତ୍ର ଯୋଗାଯୋଗ ପାଇଁ କୌଣସି ବ୍ୟବସ୍ଥା ହୋଇ ପାରି ନାହିଁ । ବର୍ତ୍ତମାନ ୨୩ଟି ପଞ୍ଚାୟତ ମଧ୍ୟରୁ ୨୨ଟି ପଞ୍ଚାୟତରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗର ବସ ଯାତାୟାତ କରୁଛି । ପ୍ରତି ପଞ୍ଚାୟତରେ ରହଣିସ୍ଥଳୀ ସହିତ ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ପ୍ରାଚୀନ ଶୈବ୍ୟପୀଠ ଏହି ସେବାରୁ ବଞ୍ଚିତ ହେବା ପରିତାପର ବିଷୟ ବୋଲି ପରମହଂସ ଅଭିଯୋଗ କରିଛନ୍ତି । ଲକ୍ଷ୍ମୀ ବସ ସେବା ଆରମ୍ଭ ସମୟରେ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବସ ରୁଟ ସର୍ଭେ କରାଯାଇଥିଲା।
ପରମହଂସ ପଞ୍ଚାୟତ ବସ୍ ସେବା ବଞ୍ଚିତ ହେବା ସମ୍ପର୍କରେ କୌଣସି ତଥ୍ୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ ବୋଲି ଜନ ସୂଚନା ଅଧିକାରୀ ତଥା ଏମ ଭି ଆଇ ପତ୍ର ସଂଖ୍ୟା ୫୦୯୫/୨୪।୯।୨୦୨୬ ରେ ଜଣାଇଛନ୍ତି। ଯାହା ପରମହଂସ ପଞ୍ଚାୟତବାସୀଙ୍କୁ ମର୍ମାହତ କରିଛି । ବର୍ତ୍ତମାନ ୪୨ ମୌଜାରେ ଚଳାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଗୋବିନ୍ଦ ପୁର ବାଟେ ପରମହଂସ ମନ୍ଦିର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ ଦାବି ହେଉଛି । କାରଣ ୪୨ ମୌଜା ମୁଖ୍ୟରାସ୍ତାଟି ପରମହଂସ ମନ୍ଦିର ଠାରୁ ୨ କିମି ଦୂରରେ ଅବସ୍ଥିତ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।