୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

Oct 02, 2026 - 08:19
୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। କୀର୍ତ୍ତି, କୁମକୁମ ଓ ଅଙ୍କିତାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏହି ଐତିହାସିକ ବିଜୟ ହାସଲ କରିଛି।

ଏସିଆନ ଗେମ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତର ମହିଳା ରିକର୍ଭ ଟିମ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛି। କଠିନ ପରିସ୍ଥିତି ମଧ୍ୟରେ ଭାରତୀୟ ତୀରନ୍ଦାଜମାନେ ଧୈର୍ଯ୍ୟ ଓ ନିଖୁଣ ପ୍ରଦର୍ଶନର ପରିଚୟ ଦେଇଥିଲେ।

ମ୍ୟାଚ ଆରମ୍ଭରୁ ହିଁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପାଣିପାଗ ଓ ପରିସ୍ଥିତି ଅନୁକୂଳ ନ ଥିବାରୁ ଉଭୟ ଦଳର ଖେଳାଳିଙ୍କ ପାଇଁ ପରଫେକ୍ଟ-୧୦ ସ୍କୋର କରିବା କଷ୍ଟକର ହୋଇଥିଲା। ମୋଟ ୪୮ଟି ଶଟ ମଧ୍ୟରୁ ମାତ୍ର ୧୨ ଥର ୧୦ ସ୍କୋର ହୋଇଥିଲା। ଅନେକ ସମୟରେ ୭ ଓ ୮ ସ୍କୋର ମଧ୍ୟ ଦେଖିବାକୁ ମିଳିଥିଲା।

ପ୍ରଥମ ସେଟ୍‌ରେ ଭାରତ ଓ ଦକ୍ଷିଣ କୋରିଆ ୫୪-୫୪ରେ ସମାନ ରହିଥିଲେ। ଦ୍ୱିତୀୟ ସେଟ ମଧ୍ୟ ୫୬-୫୬ରେ ଡ୍ର ରହିଥିଲା। ତୃତୀୟ ସେଟ୍‌ରେ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୫୫-୫୧ରେ ସେଟ ଜିତିଥିଲା। ଏହା ସହ ଭାରତ ୪-୨ରେ ଆଗୁଆ ହୋଇଥିଲା।

ଶେଷ ସେଟ୍‌ରେ ଭାରତକୁ ଅତିକମରେ ଡ୍ର କରିବାର ଆବଶ୍ୟକତା ଥିଲା। ନିର୍ଣ୍ଣାୟକ ମୁହୂର୍ତ୍ତରେ କୁମକୁମଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ତାଙ୍କ ଶେଷ ଶଟ ଭାରତର ସ୍ବର୍ଣ୍ଣ ପଦକ ଭାଗ୍ୟ ର୍ନିଦ୍ଧାରଣ କରିଥିଲା। ଚାପ ମଧ୍ୟରେ କୁମକୁମ ଦମଦାର ଶଟ ଖେଳି ଭାରତର ଐତିହାସିକ ବିଜୟ ସୁନିଶ୍ଚିତ କରିଥିଲେ।

ତୀରନ୍ଦାଜୀରେ ଦକ୍ଷିଣ କୋରିଆର ଦୀର୍ଘଦିନର ଦବଦବା ରହିଆସିଛି। ବିଶେଷକରି ମହିଳା ରିକର୍ଭ ବର୍ଗରେ ଦକ୍ଷିଣ କୋରିଆର ଟିମ ଅନ୍ତର୍ଜାତୀୟ ସ୍ତରରେ ନିଜର ଶକ୍ତି ପ୍ରମାଣ କରିଆସିଛି। କିନ୍ତୁ ଏଥର କୀର୍ତ୍ତି, କୁମକୁମ ଓ ଅଙ୍କିତାଙ୍କ ଦମଦାର ପ୍ରଦର୍ଶନ ଭାରତକୁ ଐତିହାସିକ ସ୍ବର୍ଣ୍ଣ ଦେଇଛି। ୨୦୨୬ ଏସିଆନ ଗେମ୍ସରେ ତୀରନ୍ଦାଜୀରେ ଏହା ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ। ଏହା ପୂର୍ବରୁ ମହିଳା ଟିମ କମ୍ପାଉଣ୍ଡ, ମିକ୍ସଡ ଟିମ କମ୍ପାଉଣ୍ଡ ଏବଂ ପୁରୁଷ ଟିମ କମ୍ପାଉଣ୍ଡ ବର୍ଗରେ ଭାରତ ସ୍ବର୍ଣ୍ଣ ଜିତିସାରିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।