Odisha Faces Two Bandhs: ଆନ୍ଦୋଳନ ନାଁରେ ଶକ୍ତି ପରୀକ୍ଷା କରୁଛନ୍ତି ବିରୋଧୀ; ବହି ବିଭ୍ରାଟ ଓ MMDRକୁ ଅସ୍ତ୍ର କରି ହଙ୍ଗାମା ଜାରି

Sep 29, 2026 - 20:03
Odisha Faces Two Bandhs:  ଆନ୍ଦୋଳନ ନାଁରେ ଶକ୍ତି ପରୀକ୍ଷା କରୁଛନ୍ତି ବିରୋଧୀ; ବହି ବିଭ୍ରାଟ ଓ MMDRକୁ ଅସ୍ତ୍ର କରି ହଙ୍ଗାମା ଜାରି

୮ ଦିନ ଭିତରେ ଓଡ଼ିଶାବାସୀ ସାମ୍ନା କରିବେ ଦୁଇ ଦୁଇଟି ଓଡ଼ିଶା ବନ୍ଦ। ଗୋଟିଏ କାଲି, ୮ରେ ଆଉ ଗୋଟିଏ। ଆସନ୍ତାକାଲି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ବହି ତ୍ରୁଟି ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା ଦେଇଛି। ଅନ୍ୟପଟେ ଆସନ୍ତା ୮ ତାରିଖରେ MMDR ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଆଜି ଭୁବନେଶ୍ବରରେ ପରିବର୍ତ୍ତନ ରାଲିରେ ଏ ଘୋଷଣା କରିଛନ୍ତି ପିସିସି ସଭାପତି। ଜବାବରେ ବିଜେପି କହିଛି ବିରୋଧୀଙ୍କ ଲୋକଦେଖାଣିଆ ଆନ୍ଦୋଳନକୁ ଲୋକେ ବୁଝି ସାରିଲେଣି। 

ରାଲି କରି ଆସିଲେ। ସଭା କଲେ। ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଆଡକୁ ମାଡିଗଲେ। ଭୁବନେଶ୍ବର ମହାତ୍ମାଗାନ୍ଧି ମାର୍ଗରେ ଆଜି କିଛି ଏଭଳି ଢଙ୍ଗରେ ଗର୍ଜିଛନ୍ତି କଂଗ୍ରେସ୍ ସମେତ ଇଣ୍ଡି ମେଣ୍ଟ ନେତା ଓ କର୍ମୀ। ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ୍ ପ୍ରତ୍ୟାହାର, ବହି ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଓ ଏସଆଇଆର୍ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର୍ ଜ୍ଞାନେଶ କୁମାରଙ୍କ ଇସ୍ତଫା ଭଳି ତିନି ଦଫା ଦାବିରେ ଆଜି ଏଭଳି ଘମାସାନ ଦେଖିବାକୁ ମିଳିଛି। 

ସେପଟେ ସଭାମଞ୍ଚରୁ ପିସିସି ସଭାପତି ସରକାରଙ୍କୁ ସମାଲୋଚନା କରିବା ସହିତ ଆସନ୍ତା ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି।... ଅନ୍ୟପଟେ ଆସନ୍ତାକାଲି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ବହି ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦର ଡାକରା ଦେଇଛି। ଯାହାକୁ କିଛି ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି।

ଏମ୍ଏମଡିଆର୍ ଓ ବହି ତ୍ରୁଟିକୁ ସବୁଠୁ ବଡ଼ ରାଜନୈତିକ ପ୍ରସଙ୍ଗ କରିଛନ୍ତି ବିରୋଧୀ। ବିଶେଷ କରି କଂଗ୍ରେସ ଓ ବିଜେଡି ବିଭିନ୍ନ ଫୋରମରେ ଲଗାତର ଭାବେ ଆନ୍ଦୋଳନ ଜାରି ରଖିଛନ୍ତି। କିନ୍ତୁ ବିଜେଡି ହାତେ ମାପି ଚାଖଣ୍ଡେ ଚାଲିବା ଭଳି ଅନ୍ୟ କେଉଁ ଦଳର ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିପାରିନାହିଁ। 

ସେପଟେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କହିଛନ୍ତି ବର୍ତ୍ତମାନ ରାଜ୍ୟର ବଡ଼ ସମସ୍ୟା ହେଲା ବନ୍ୟା। କିନ୍ତୁ ବିରୋଧୀ ସେ କଥା ନଉଠାଇ ବିଧାନସଭାରେ ଅଚଳାବସ୍ଥା ଜାରି କଲେ, ଆଉ ଏବେ ଆନ୍ଦୋଳନ କରୁଛନ୍ତି। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ବିରୋଧୀ ହଟ୍ଟଗୋଳ କରି ଗୃହକୁ ବନ୍ଦ କଲେ। ଜନତା ସବୁ ଦେଖୁଛନ୍ତି, ବିଚାର କରିବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ବିରୋଧୀ ଦଳଙ୍କ ପାଖରେ ଅନେକ ପ୍ରସଙ୍ଗ। ଯାହାକୁ ନେଇ ସରକାରୀ ଦଳକୁ ଅଡୁଆରେ ପକାଇବାକୁ ଜୋର୍ ଲଗାଇଛନ୍ତି ବିଜେଡି ଓ କଂଗ୍ରେସ। ତେବେ ସରକାରୀ ଦଳର କାଉଣ୍ଟର ପରେ ଆଗକୁ ବିରୋଧୀ କେଉଁ ଚାଲ ଚଳାଉଛନ୍ତି ତା ଉପରେ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।