Online Fraud: ନାବାଳକର ଅନଲାଇନ୍ ଗେମିଂ, ଲୁଟିନେଲେ ୩ ଲକ୍ଷ
"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଇଲାକାର ଜଣେ ହାଇସ୍କୁଲ ଛାତ୍ରର ଅନଲାଇନ ଗେମ୍ ନିଶା ତା" ପରିବାରକୁ ସର୍ବସ୍ବାନ୍ତ କରାଇ ଦେଇଛି।
ତାଙ୍କ ମାଆଙ୍କର ୨ଟି ବ୍ୟାଙ୍କ ଖାତାରୁ ୭୧ ଥରରେ ଲୁଟେରାମାନେ ୩ ଲକ୍ଷ ଟଙ୍କାରୁ ଅଧିକ ଲୁଟି ନେଇଛନ୍ତି।
Advertisment ଗତ ଜୁଲାଇ ମାସ ୨୯ ତାରିଖରୁ ଅଗଷ୍ଟ ୧୬ ତାରିଖ ମଧ୍ୟରେ ମାଆ ଓ ପୁଅ ଏହି ଠକେଇର ଶିକାର ହୋଇଥିବା ୨ଟି ଯାକ ବ୍ୟାଙ୍କ ଷ୍ଟେଟମେଣ୍ଟ୍ରୁ ସ୍ପଷ୍ଟ ହୋଇଛି।
ଏହି ୧୯ ଦିନ ମଧ୍ୟରେ ପୁଅ ଗେମ୍ ଖେଳି ୪୫ ଥରରେ ମାଆଙ୍କ ଜମାଖାତାରେ ୬୭ ହଜାର ୮ଶହ ଟଙ୍କା ଜମା କରାଇଥିବା ଦେଖାଯାଇଛି।
ଏକାଧିକ ବାର ଏକକାଳୀନ ସେ ୧୦ ହଜାର ଟଙ୍କା ଲେଖାଏଁ ଜିତିଥିଲା।
ବାଜି ଜିତି ପୁଣି ମୋବାଇଲ୍ କିଣିବାକୁ ନାବାଳକ ଆଗ୍ରହୀ ହୋଇ ପଡ଼ିଥିଲା।
ହେଲେ ବ୍ୟାଙ୍କ ଜମା ମାଇନସ୍ ୮୦ ଟଙ୍କା ହୋଇଯିବା ପରେ ପୁଅର ଖେଳ ବନ୍ଦ୍ ହୋଇଯାଇଥିଲା।
ଏହାର ୫ ଦିନ ପରେ କିସ୍ତି ଟଙ୍କା ପରିଶୋଧ ପାଇଁ ମାଆ ଅର୍ଥ ଉଠାଣ ପାଇଁ ବ୍ୟାଙ୍କ ଯାଇଥିଲେ।
୨ଟି ଯାକ ବ୍ୟାଙ୍କ ଜମାଖାତାରେ ଆଦୌ ଜମା ନଥିବା ଜାଣି ମାଆ ସେଇଠି ମୂର୍ଚ୍ଛା ଯାଇଥିଲେ।
ଏ ସଂକ୍ରାନ୍ତରେ ପରିବାର ପକ୍ଷରୁ କାଳିଆପାଣି ଥାନା ଓ ଯାଜପୁରରୋଡ଼ ସାଇବର ଥାନାରେ ଅଭିଯୋଗ କରାଯାଇଛି।
ହେଲେ ଜୁଆଖେଳ ବାଜିରେ ଲାଗିଥିବା ଟଙ୍କା ଫେରସ୍ତ ଆଶା କ୍ଷୀଣ ବୋଲି ପୁଲିସ କହିଛି।
୧୦ ବର୍ଷ ଚାକିରି କାଳର ସଞ୍ଚିତ ଅର୍ଥ ଓ ଗ୍ରୁପ୍ ଋଣ ରାଶି ହରାଇ ଏହି ମହିଳା ଓ ପରିବାର ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।
ସାଥୀ ପିଲାଏ ଘର ପାଖ ପଡ଼ିଆରେ ଅନଲାଇନ୍ ଗେମ୍ ଖେଳୁଥିବା ଦେଖି ଏହି ନାବାଳକ ପାଠପଢ଼ା ବାହାନାରେ ମୋବାଇଲ୍ ଫୋନ କିଣିବାକୁ ଜିଦ୍ କରିଥିଲା।
ପୁଅର ଅଳି ଏଡ଼ାଇ ନପାରି ବର୍ଷକ ତଳେ ମାଆ ପୁଅ ପାଇଁ ଏକ ସ୍ମାର୍ଟ ଫୋନ କିଣିଥିଲେ।
ହେଲେ ପୁଅ ଅଧିକାଂଶ ସମୟ ପାଠ ନପଢ଼ି ମୋବାଇଲ୍ରେ ଗେମ୍ ଖେଳୁଥିଲା।
ରାତି ଉଜାଗର ରହି ନିଷିଦ୍ଧ ଦମନ ଗେମ୍ ଖେଳୁଥିଲା।
ବିଳମ୍ବିତ ରାତିରେ ବି ପୁଅ ମୋବାଇଲ୍ରେ ଗେମ୍ ଖେଳୁଥିବା ଦେଖି କ୍ରୋଧିତ ମାଆ ଦିନେ ଏହାକୁ କଚାଡ଼ି ଭାଙ୍ଗି ଦେଇଥିଲେ।
ହେଲେ ସେତେବେଳକୁ ପୁଅକୁ ଦମନ ଅନଲାଇନ୍ ଗେମ୍ ନିଶା ଘାରିସାରିଥିଲା।
ନୂଆ ଘର ତୋଳାଇବା ପାଇଁ ମାଆ ଲକ୍ଷାଧିକ ଟଙ୍କା ସଞ୍ଚିଥିବା ସେ ଜାଣିଥିଲା।
ମାଆଙ୍କ ମୋବାଇଲ୍ ଫୋନରୁ ଖେଳିବା ଯୋଜନା କରିଥିଲା।
ଡୁଟିରୁ ଆସି ଘରକାମ ପରେ ଥକି ପଡ଼ୁଥିବା ମାଆ ରାତିରେ ଶୋଇଯିବା ପରେ ପୁଅ ତାଙ୍କ ଫୋନ୍ ଉଠାଇ ନେଉଥିଲା।
ମୋବାଇଲକୁ ଆସୁଥିବା ସ୍ବତନ୍ତ୍ର ଓଟିପି ପଠାଇ ସେ ଗେମ୍ ଖେଳୁଥିଲା।
ପ୍ଲେ"ଷ୍ଟୋରରେ ଏହାର ଡାଉନଲୋଡ୍ ବ୍ୟବସ୍ଥା ନଥିବାରୁ ନାବାଳକ ଜଣକ ଗୁଗଲ୍ କ୍ରୋମ୍ ଆପ୍ରୁ ସ୍ବତନ୍ତ୍ର ଲିଙ୍କ୍ ଜରିଆରେ ଏହି ଗେମ୍ ଜାରି ରଖିଥିଲା।
ଖେଳି ସାରି ସବୁ ମେସେଜ ଡିଲିଟ୍ କରି ସେ ଶୋଇ ପଡ଼ୁଥିଲା।
ଏଣୁ ମାଆ କିଛି ଜାଣିବାର ସୁଯୋଗ ପାଉନଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।