Raid: ୫୨୮ ବିଦେଶୀ ମଦ ସହିତ ମିନି ଟ୍ରକ୍ ଜବତ, ଚାଳକ ଅଟକ
"ଆସିକା/ବୈଶିଙ୍ଗା: ଗଂଜାମ ଜିଲ୍ଲା ଆସିକା ଏବଂ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରୁ ପୁଲିସ ୫୨୮ ଲିଟର ବିଦେଶୀ ମଦ ଜବତ କରିଛି।
ଏଥି ସହିତ ପୁଲିସ ଏକ ମିନି ଟ୍ରକ୍କୁ ଜବତ କରିଥିବା ବେଳେ ଏହାର ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି।
Advertisment ଆଜି ଅପରାହ୍ନରେ କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍ ପୂର୍ବ ସୂଚନା ପ୍ରକାରେ କଲେଜ ଛକ ଅଞ୍ଚଳରେ ଯାଉଥିବା ଏକ ମିନି ଟ୍ରକ୍କୁ ଯାଞ୍ଚ ବେଳେ ସେଥିରୁ ୫୧୫ ଲିଟର ବିଦେଶୀ ମଦ ଜବତ ହୋଇଛି।
ସେଥି ମଧ୍ୟରୁ ୩ଶହ ଲିଟର ବିଅର ଓ ୨୧୫ ଲିଟର ଅନ୍ୟ ବିଦେଶୀ ମଦ ଥିବା ସୂଚନା ଦେଇଛନ୍ତି।
ଜବତ ମଦର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଶ୍ରୀ ବିହାରୀ କହିଛନ୍ତି।
ମଦ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା ଓ ଏହି ଚାଲାଣରେ କେଉଁମାନେ ସଂପୃକ୍ତ ତାହାର ତଦନ୍ତ ଚାଲିଛି।
ଆଗକୁ ପାର୍ବଣ ଋତୁ ଥିବା ବେଳେ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ଚଢ଼ାଉ ଜୋରଦାର ହେବ ବୋଲି ସେ କହିଛନ୍ତି।
ଆସିକାରେ ଦେଶୀ ଓ ବିଦେଶୀ ମଦର ଯେଭଳି ବହୁଳ ବିକ୍ରି ହେଉଛି ତାହାକୁ ଦେଖିଲେ ଲାଗୁଛି ଏଠି ଅବକାରୀ ନୀତି କିଛି କାମ କରୁନାହିଁ।
କିଛି ବର୍ଷ ପୂର୍ବେ ବେଆଇନ ମଦ ବ୍ୟବସାୟ କୁ ନେଇ ଆସିକା ରେ ବହୁ ସଂଖ୍ୟକ ମୁଣ୍ଡ ଗଡ଼ିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏବେ ପୁଣି ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବେଳେ ବେଆଇନ ମଦ ବ୍ୟବସାୟ ପୋଲିସ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି।
ମଦ ବ୍ୟବସାୟ ରେ ଅପରାଧୀ ଗୋଷ୍ଠୀ ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଗିଦାରୀ ଓ ସକ୍ରିୟ ଅଂଶ ରହୁଥିବା ବେଳେ ମଦ ବ୍ୟବସାୟରୁ ଅପରାଧିକ ଗୋଷ୍ଠୀ ଅପରାଧ ପାଇଁ ଟଙ୍କା ପାଉଛନ୍ତି।
ବୈଶିଙ୍ଗା ଥାନାର ନୂଆ ଥାନା ଅଧିକାରୀ ବାବା ଶଙ୍କର ସରାଫ ଦାୟିତ୍ୱ ଗ୍ରହଣ କରିବା ପରେ ବେଆଇନ ମଦ ବେପାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ଆଜିଠାରୁ ବୈଶିଙ୍ଗା ଥାନା ଅଧୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ଖୋଦ ଥାନା ଅଧିକାରୀ ଚଢ଼ାଉର ନେତୃତ୍ୱ ନେଇଥିଲେ।
ଏହି ଚଢ଼ାଉରେ ୧୩.୨୨୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
ପାଇକଯୁଗପୁରା ଗ୍ରାମର ହରେକୃଷ୍ଣ ବେହେରାଙ୍କ ପୁଅ ପର୍ଶୁରାମ ବେହେରା (୫୫)ଙ୍କ ନିକଟରୁ ୮ ଲିଟର ଦେଶୀ ମଦ ଜବତ କରାଯାଇଛି।
ସେହିପରି ମଛାପଦା ଗ୍ରାମର ମଗୁଣିଚରଣ ଦତ୍ତଙ୍କ ପୁଅ ଅନାମଚରଣ ଦତ୍ତ (୬୨)ଙ୍କ ନିକଟରୁ ୫.୨୨୦ ଲିଟର ବିଦେଶୀ ମଦ ଜବତ ହୋଇଛି।
ଏହି ଘଟଣାକୁ ନେଇ ବୈଶିଙ୍ଗା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି।
ଥାନା ଅଧୀନରେ ବେଆଇନ ମଦ ବେପାରକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଥାନା ଅଧିକାରୀ ଶ୍ରୀ ସରାଫ କଡ଼ା ଚେତାବନୀ ଦେଇଛନ୍ତି।
ନୂଆ ଥାନା ଅଧିକାରୀଙ୍କ ଏହି ଆକ୍ସନ୍ ପରେ ବେଆଇନ ମଦ ବେପାରୀଙ୍କ ମଧ୍ୟରେ ଛନକା ପଶିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।