State Govt To Dismiss Over 3,000 Teachers: ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ, ଚାକିରି ହରାଇବେ ୩ ହଜାରରୁ ଅଧିକ ଶିକ୍ଷକ
ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ଜାଲ୍ ଶିକ୍ଷକଙ୍କ ଉପରେ ବାଜିଛି ବଡ଼ ଛାଟ। ୩ ହଜାରରୁ ଅଧିକ ଶିକ୍ଷକ ହରାଇବାକୁ ଯାଉଛନ୍ତି ଚାକିରି। ଜାଲ୍ ଡିଗ୍ରୀ ଏବଂ ଜାଲ୍ ସାର୍ଟିଫିକେଟ୍ ଦେଇ ଏମାନେ ସରକାରୀ ଚାକିରି ହାତେଇଥିଲେ। ଶୁକ୍ରବାର ବିହାର ରାଜ୍ୟ ଶିକ୍ଷା ମନ୍ତ୍ରୀ ମିଥିଲେଶ ତିୱାରୀ ଏହି ବଡ଼ ଘୋଷଣା କରିଛନ୍ତି।
ରାଜ୍ୟ ଭିଜିଲାନ୍ସ ତଦନ୍ତ ପରେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୨୦୦୬ ରୁ ୨୦୧୫ ମସିହା ମଧ୍ୟରେ ହୋଇଥିବା ଶିକ୍ଷକ ନିଯୁକ୍ତିର ଯାଞ୍ଚ କରାଯାଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଅନେକ ଶିକ୍ଷକ ଜାଲ୍ ଡିଗ୍ରୀ ଏବଂ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିଲେ।
ଏହି ରିପୋର୍ଟ ଆଧାରରେ ଅଭିଯୁକ୍ତ ଶିକ୍ଷକମାନଙ୍କ ବିରୋଧରେ ଏକାଧିକ ଏଫ୍ଆଇଆର୍ ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ଚାଲିବ। ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ପ୍ରତାରଣା କରି ଚାକିରି ପାଇଥିବା ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସରକାର କେବଳ ଏହି ଶିକ୍ଷକମାନଙ୍କୁ ବହିଷ୍କାର କରିବେ ନାହିଁ, ବରଂ ସେମାନଙ୍କଠାରୁ ସମସ୍ତ ଅର୍ଥ ମଧ୍ୟ ଆଦାୟ କରାଯିବ। ଚାକିରି କାଳ ମଧ୍ୟରେ ସେମାନେ ପାଇଥିବା ଦରମା ଓ ଭତ୍ତାକୁ ସୁଧ ସହ ସରକାର ଫେରସ୍ତ ନେବେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ଏହି ଭିଜିଲାନ୍ସ ତଦନ୍ତ ହୋଇଥିଲା। ଦୁର୍ନୀତି ବିରୋଧରେ ସରକାରଙ୍କର 'ଜିରୋ ଟଲରେନ୍ସ' ନୀତି ରହିଛି ବୋଲି ମନ୍ତ୍ରୀ ଦୋହରାଇଛନ୍ତି।
ପ୍ରକାଶ ଯେ, କାର୍ଯ୍ୟାନୁଷ୍ଠାନ ଭୟରେ କିଛି ଶିକ୍ଷକ ପୂର୍ବରୁ ଇସ୍ତଫା ଦେଇଛନ୍ତି। ତେବେ ସେମାନେ ମଧ୍ୟ ବର୍ତ୍ତିବେ ନାହିଁ ଏବଂ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୦୬-୨୦୧୫ ମଧ୍ୟରେ ନିଯୁକ୍ତ ହୋଇଥିବା ଏହି ସମସ୍ତ ଜାଲ୍ ଶିକ୍ଷକ ଏବେ ଜେଲ୍ ଯିବା ସହ ଦରମା ଟଙ୍କା ଫେରସ୍ତ କରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।