Sunabeda: ସୁନାବେଡ଼ା ଓ ଉଦନ୍ତୀରୁ ଲୋପ ପାଇଯିବ ବାଘବଂଶ!
"ନୂଆପଡ଼ା (ଅଶ୍ବିନୀ କୁମାର ପାଣିଗ୍ରାହୀ): ଓଡ଼ିଶା-ଛତିଶଗଡ଼ ସୀମାନ୍ତକୁ ଲାଗିକି ରହିଛି ୨ଟି ଅଭୟାରଣ୍ୟ।
ଓଡ଼ିଶା ସୀମାରେ ସୁନାବେଡ଼ା ଓ ଛତିଶଗଡ଼ ସୀମାରେ ଉଦନ୍ତୀକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ବ୍ୟାଘ୍ର ପ୍ରକଳ୍ପ କରିବା ପାଇଁ ଯୋଜନା କରିଛନ୍ତି।
ହେଲେ ଶିକାରୀ ଓ ବନ୍ୟଜନ୍ତୁ ତସ୍କରଙ୍କ ପାଇଁ ଅଭୟାରଣ୍ୟରେ ବାଘବଂଶ ଏବେ ବିପଦରେ।
ମଙ୍ଗଳବାର ଦିନ କୋମନା ରେଞ୍ଜ ଉଦ୍ୟାନବନ୍ଧ ଗାଁରେ ବାଘ ଛାଲ ଡିଲ୍ ଚାଲିଥିବାବେଳେ ବନ ବିଭାଗର ଭିଜିଲାନ୍ସ ଟିମ୍ ଚଢ଼ଉ କରି ଇନାୟତ ଅଲ୍ଲୀଙ୍କୁ ଗିରଫ କରିଥିଲା।
ବୁଧବାର ପୁଣି ନୂଆପଡ଼ା ବନ ବିଭାଗ କୋମନା ଥାନା ବରକୋଟ ଗ୍ରାମର ମନୋଜ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଏଥିରୁ ଜଣାପଡୁଛି ଯେ ଏକ ବାଘ ଶିକାର ରୢାକେଟ୍ ଅଭୟାରଣ୍ୟ ଅଞ୍ଚଳରେ ଜାଲ ବିଛାଇ ବନ୍ୟଜନ୍ତୁ ଶିକାର କରୁଛନ୍ତି।
ବାଘ ଶିକାର କରି ମାଫିଆମାନେ ବାଘ ଚମଡ଼ା, ଦାନ୍ତ ସହ ବିଭିନ୍ନ ସାମଗ୍ରୀ ଚୋରାଚାଲାଣ କରୁଛନ୍ତି।
ପ୍ରତି ବର୍ଷ ଜିଲ୍ଲାରେ ୨ରୁ ୩ଟି ବାଘ ଛାଲ ସହ ବିଭିନ୍ନ ସାମଗ୍ରୀ ଜବତ ହେଉଛି।
ଅଭୟାରଣ୍ୟ ଧୀରେ ଧୀରେ ପଦା ହେବାକୁ ବସିଥିବାବେଳେ ବନ୍ୟପ୍ରାଣୀ ବିଭାଗ ବାଘ ଭଳି ବିରଳ ପ୍ରାଣୀଙ୍କୁ ସୁରକ୍ଷା ଦେବାରେ ଏକପ୍ରକାର ବିଫଳ ହୋଇଛି।
୨୦୨୪ ମସିହାରେ ଖଡ଼ିଆଳ ବନ ବିଭାଗ ୨ଟି ସ୍ଥାନରେ ଚଢ଼ଉ କରି ୨ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଥିଲା।Advertisment Road: ସୀମାନ୍ତ ଦୁଇ ରାସ୍ତାର ଭିନ୍ନଚିତ୍ର: ଓଡ଼ିଶା ପଟେ ବରବାଦ୍, ଝାଡ଼ଖଣ୍ଡରେ ଚକାଚକ୍ ମାତିଛନ୍ତି ଶିକାରୀ ଓ ବନ୍ୟଜନ୍ତୁ ତସ୍କର ଉଦନ୍ତୀ ଓ ସୁନାବେଡ଼ା ଅଭୟାରଣ୍ୟରେ ବାଘଙ୍କର ବିଭିନ୍ନ ସମୟରେ ଚଳପ୍ରଚଳ ରହିଥାଏ।
ଅଭୟାରଣ୍ୟରେ କଲରାପତରିଆ ବାଘ ବହୁ ସଂଖ୍ୟାରେ ରହିଛନ୍ତି।
ବନ ବିଭାଗର ପହରା ସତ୍ତ୍ବେ ଶିକାରୀଙ୍କ ପ୍ରାଦୁର୍ଭାବ କିଛି କମ୍ ନୁହେଁ।
ବିଗତ ୧୦ ବର୍ଷରେ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଥିବାବେଳେ ୪ଟି କଲରାପତରିଆ ବାଘର ମୃତ୍ୟୁ ହୋଇଛି।
ପ୍ରତିବର୍ଷ ଉଭୟ ରାଜ୍ୟର ବନ ବିଭାଗ ଓ ଏସ୍ଟିଏଫ୍ ବିଭିନ୍ନ ସମୟରେ ବାଘ ଛାଲ ସହ ବିଭିନ୍ନ ସାମଗ୍ରୀ ଚୋରାଚାଲାଣ ବେଳେ ଧରୁଛନ୍ତି।
୨୦୧୫ ମସିହାରେ ନୂଆପଡ଼ା-ବଲାଙ୍ଗୀର ସୀମାନ୍ତ ଡେଡେଙ୍ଗା ଜଙ୍ଗଲରେ ଏକ ମହାବଳ ବାଘର ମୃତ୍ୟୁ ଘଟିଥିଲା।
୨୦୨୦ ସେପ୍ଟେମ୍ବର ୨୦ ତାରିଖରେ ନୂଆପଡ଼ା ଜଙ୍ଗଲ ରେଞ୍ଜ ଅଞ୍ଚଳରେ କଲରାପତରିଆ ବାଘ ମାରିଥିବା ଘଟଣାରେ ଟିପାଝର ଗାଁର ମା"ପୁଅଙ୍କୁ ଗିରଫ କରି ବନବିଭାଗ ବାଘ ଛାଲ, ନଖ ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲା।
୨୦୨୨ ଜୁନ ୭ ତାରିଖରେ ଗରିଆବନ୍ଧ ଜିଲ୍ଲା ଉଦନ୍ତୀ ଅଭୟାରଣ୍ୟର ଧେଲେନ ନାଳରୁ ଏକ କଲରାପତରିଆ ବାଘର ଦରପୋଡ଼ା ମୃତଦେହ ଜବତ କରିଥିଲା ଛତିଶଗଡ଼ ବନ୍ୟପ୍ରାଣୀ ବିଭାଗ।
ସୀମାନ୍ତ ଅଞ୍ଚଳରେ ଓଡ଼ିଶା ସ୍ପେସାଲ ଟାକ୍ସଫୋର୍ସ (ଏସ୍ଟିଏଫ୍) ଅନେକ ସ୍ଥାନରେ ଚଢ଼ଉ କରି ବାଘ ଛାଲ, ନଖ ଆଦି ଜବତ କରୁଛି।
ଅଭୟାରଣ୍ୟରେ ବାଘ ଶିକାର ବୃଦ୍ଧି ପାଉଥିବାବେଳେ ଅନ୍ୟ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି।
ଶିକାରୀ ଏବଂ ବନ୍ୟଜନ୍ତୁ ତସ୍କରଙ୍କ ଉପରେ ତୁରନ୍ତ ଅଙ୍କୁଶ ନ ଲାଗିଲେ ଉଭୟ ଅଭୟାରଣ୍ୟରୁ ବାଘ ବଂଶ ଲୋପ ପାଇଯିବ ବୋଲି ବନ୍ୟପ୍ରେମୀ ଆଶଙ୍କା କଲେଣି।
4,000-km-long cloud: ମହାକାଶରୁ ଦେଖାଗଲା ୪ ହଜାର କିମି ମେଘମାଳା, ଭାରତରୁ ଚୀନ୍ ଯାଏଁ ଲମ୍ବିଛି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।