11 OCTOBER 2026

Welcome!

Unlock your personalized experience.
Sign Up

Supremecourt: ମେଟ୍ରୋ ଚଳାଚଳ ସ୍ୱାଭାବିକ କର, ଇଣ୍ଟରନେଟ୍‌ ବନ୍ଦ କରନାହିଁ: ସୁପ୍ରିମ୍‌କୋର୍ଟ

Oct 11, 2026 - 20:20
Supremecourt: ମେଟ୍ରୋ ଚଳାଚଳ ସ୍ୱାଭାବିକ କର, ଇଣ୍ଟରନେଟ୍‌ ବନ୍ଦ କରନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ସିଜେପି ପ୍ରତିବାଦକୁ ନେଇ ଲାଗୁ ହୋଇଥିବା କଟକଣା ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ୍‌କୋର୍ଟ। ମେଟ୍ରୋ ଓ ରେଳ ଚଳାଚଳ ସ୍ୱାଭାବିକ କରିବା, ଲୋକଙ୍କ ଯାତାୟାତ ଉପରେ ଅନାବଶ୍ୟକ କଟକଣା ନ ଲଗାଇବା, ଇଣ୍ଟରନେଟ୍‌ ସେବା ବନ୍ଦ ନ କରିବା ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ବେଆଇନ ଭାବେ ଅଟକ ନ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଦିଲ୍ଲୀରେ ଏ ସମ୍ପର୍କିତ ଆବେଦନର ଜରୁରୀ ଶୁଣାଣି କରି ବିଚାରପତି ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢନ୍ତୁ: Jantarmantar: ଯନ୍ତରମନ୍ତର ପ୍ରତିବାଦ ଉଦ୍ୟମକୁ ନେଇ ୨୦ରୁ ଅଧିକ ଏଫ୍‌ଆଇଆର୍‌

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରତିବାଦ କରିବାକୁ ଯୋଜନା ହୋଇଥିଲା। ଏହାକୁ ରୋକିବା ପାଇଁ ଦିଲ୍ଲୀରେ ପ୍ରାୟ ୪୧ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ପୁଲିସ ପ୍ରାୟ ୭ ହଜାର ଲୋକଙ୍କୁ ଅଟକ ରଖିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏଥିସହ ଅନେକ ମେଟ୍ରୋ ଓ ରେଳ ଷ୍ଟେସନ୍‌ ବନ୍ଦ ରଖାଯାଇଥିବାରୁ ଲୋକମାନେ ଯାତାୟାତରେ ଅସୁବିଧା ଭୋଗିଥିଲେ। ଏହି ଘଟଣାକୁ ନେଇ ଦାଏର ଆବେଦନରେ ଅଭିଯୋଗ କରାଯାଇଥିଲା ଯେ ସୁପ୍ରିମ୍‌କୋର୍ଟ ଅକ୍ଟୋବର ୯ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଅଧିକାରୀମାନେ ଅଣଦେଖା କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମେଟ୍ରୋ ଓ ରେଳ ସେବା ବନ୍ଦ ରହିଥିଲା, ଯାତାୟାତ ପାଇଁ ଆବଶ୍ୟକ ସୂଚନା ଦିଆଯାଇନଥିଲା ଏବଂ ନିଷେଧାଦେଶ ଲାଗୁ ହୋଇଥିବା ଅଞ୍ଚଳ ବାହାରେ ମଧ୍ୟ ଲୋକଙ୍କୁ ଅଟକ ରଖାଯାଇଥିଲା।

ଆହୁରି ପଢନ୍ତୁ: GenZ: ଜେନ୍‌-ଜି ଆନ୍ଦୋଳନରେ ବିଦେଶୀ ହସ୍ତକ୍ଷେପ ଅଭିଯୋଗର ତଦନ୍ତ ଦାବି

ଖଣ୍ଡପୀଠ କହିଥିଲେ ଯେ ଶାନ୍ତିପୂର୍ଣ୍ଣ ଓ ନିରସ୍ତ୍ର ଲୋକଙ୍କୁ ଆଇନ ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟା ବ୍ୟତୀତ ଅଟକ ରଖାଯାଇପାରିବ ନାହିଁ। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ କଟକଣା ଲାଗୁ ହୋଇନଥିବା ଅଞ୍ଚଳରେ ଏଭଳି ଅଟକକୁ ଅଦାଲତ ବିଶେଷ ଭାବେ ଗୁରୁତ୍ୱ ଦେଇଥିଲେ। ସହରରେ ବ୍ୟାରିକେଡ୍‌ ଲଗାଇବା ପ୍ରସଙ୍ଗରେ ଖଣ୍ଡପୀଠ କହିଥିଲେ ଯେ ଆଇନଶୃଙ୍ଖଳା ଓ ଯାତାୟାତର ପରିସ୍ଥିତିକୁ ଦେଖି ଏହାର ସମୀକ୍ଷା କରାଯିବା ଆବଶ୍ୟକ। ଏଥିସହ ଓକିଲ, ସାମ୍ବାଦିକ ଓ ଅନ୍ୟ ପେସାଦାର ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ କରିବାରେ ବାଧା ନ ଦେବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ନିଶ୍ଚିତ କରିବାକୁ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।