Teen Tortured, Starved and Forced to Work: ଦିନକୁ ୨୦ ଘଣ୍ଟା କାମ, ଗରମ ଆଇରନରେ ଚେଙ୍କ, ବର୍ଷେ ଧରି ବନ୍ଦୀ; ସାମୀ ଟପିଲା ବର୍ବରତା

Nov 08, 2026 - 16:56
Teen Tortured, Starved and Forced to Work: ଦିନକୁ ୨୦ ଘଣ୍ଟା କାମ, ଗରମ ଆଇରନରେ ଚେଙ୍କ, ବର୍ଷେ ଧରି ବନ୍ଦୀ; ସାମୀ ଟପିଲା ବର୍ବରତା

ନିର୍ଯାତନାର ସୀମା ଟପିଗଲା ମାଲିକ।

ଅନବରତ କାମ କରାଇଲେ।

ଶରୀରେ ଚେଙ୍କ ମାରିଲେ।

ଏଭଳି ଏକ ଅକଥନୀୟ ନିର୍ଯାତନାର ଘଟଣା ସାମନାକୁ ଆସିଛି ଦିଲ୍ଲୀରୁ।

ଦିଲ୍ଲୀରେ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ଉପରେ ଅମାନବୀୟ ନିର୍ଯାତନାର ଅଭିଯୋଗ ସାମନାକୁ ଆସିଛି।

Advertisment ଦିନକୁ ପ୍ରାୟ ୨୦ ଘଣ୍ଟା କାମ କରାଇବା ସହ ଗରମ ଲୁହାରେ ଚେଙ୍କ ଦିଆଯାଉଥିଲା।

ଏପରିକି ଅନେକ ଦିନ ଧରି ଖାଇବାକୁ ମଧ୍ୟ ଦିଆଯାଉନଥିଲା।

ଦକ୍ଷିଣ-ପୂର୍ବ ଦିଲ୍ଲୀର ଶାହିନବାଗ ଅଞ୍ଚଳରୁ ପୁଲିସ ଓ ଏକ ସ୍ୱେଚ୍ଛାସେବୀ ସଂଗଠନ ମିଳିତ ଭାବେ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ, ଅବୁଲ ଫଜଲ ଏନକ୍ଲେଭ୍‌-୨ର ଏକ ଘରେ ନାବାଳିକା ଜଣକ ଘରୋଇ ସହାୟିକା ଭାବେ କାମ କରୁଥିଲେ।

ପ୍ରାୟ ଏକ ବର୍ଷ ଧରି ତାଙ୍କୁ ପରିବାରଠାରୁ ଦୂରେଇ ରଖାଯାଇଥିଲା।

ଆସୋସିଏସନ୍ ଫର୍ ଭଲ୍ୟୁଣ୍ଟାରୀ ଆକ୍ସନ୍ ନାମକ ସଂଗଠନର ଅଭିଯୋଗ ପରେ ନଭେମ୍ବର ୩ ଓ ୪ ତାରିଖରେ ଶ୍ରମ ବିଭାଗ, ଦିଲ୍ଲୀ ପୁଲିସ ଏବଂ ସଂଗଠନର ସଦସ୍ୟମାନେ ମିଳିତ ଭାବେ ଉଦ୍ଧାର ଅଭିଯାନ କରିଥିଲେ।

Advertisment ନାବାଳିକାଙ୍କ ବୟାନ ଅନୁସାରେ, ସକାଳ ୬ଟାରୁ ରାତି ୨ଟା ପର୍ଯ୍ୟନ୍ତ ତାଙ୍କୁ ଘର ସଫା, ପୋଛା, ବାସନ ମାଜିବା ଆଦି କାମ କରିବାକୁ ପଡ଼ୁଥିଲା।

ଦିନ ପ୍ରାୟ ୧୧ଟାରେ ଚା' ଦିଆଯାଉଥିବା ବେଳେ ଅନେକ ସମୟରେ ବଳକା ଖାଦ୍ୟ ଖାଇବାକୁ ମିଳୁଥିଲା।

ଏପରିକି ଥରେ ତାଙ୍କୁ ଲଗାତାର ତିନି ଦିନ ଧରି ଖାଦ୍ୟ ଓ ପାଣି ନଦେଇ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏହାସହ ଗରମ ଆଇରନରେ ପିଠି, ହାତ ଓ ଅଣ୍ଟାରେ ଚେଙ୍କ ଦିଆଯାଉଥିଲା।

ଗରମ ଛୁରୀରେ ମଧ୍ୟ ଆଘାତ କରାଯାଉଥିବା ଅଭିଯୋଗ ହୋଇଛି।

ତାଙ୍କ ଶରୀରରେ ପୁରୁଣା ଦାଗ, ପୋଡ଼ା କ୍ଷତ ଓ ମୁଣ୍ଡରେ ଗଭୀର ଆଘାତ ଚିହ୍ନ ରହିଥିବା ସଂଗଠନ ପକ୍ଷରୁ କୁହାଯାଇଛି।

ନାବାଳିକାଙ୍କୁ ମାଡ଼ ମରାଯିବା ସହ ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ନନେଇ ଔଷଧ ଦୋକାନରୁ ଔଷଧ ଆଣି ଦିଆଯାଉଥିଲା।

ପ୍ରାୟ ଏକ ବର୍ଷ ମଧ୍ୟରେ ତାଙ୍କୁ ମାତ୍ର ଦୁଇରୁ ତିନି ଥର ବାପାମାଆଙ୍କ ସହ ଫୋନ୍‌ରେ କଥା ହେବାକୁ ଦିଆଯାଇଥିଲା।

ସେହି ସମୟରେ ମଧ୍ୟ ତାଙ୍କ ମୁହଁ ଘୋଡ଼ାଇ ଦିଆଯାଉଥିଲା, ଯାହାଫଳରେ ପରିବାର ଲୋକେ ତାଙ୍କ ଶରୀରର କ୍ଷତ ଦେଖିପାରିବେ ନାହିଁ।

ନିର୍ଯାତନା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବାରୁ ପ୍ରଥମେ ନାବାଳିକା ଜଣକ ଭୟରେ କିଛି କହିପାରିନଥିଲେ।

ପରେ ଶିଶୁ ମଙ୍ଗଳ କମିଟି (CWC) ଆଗରେ ନିଜ ଉପରେ ହୋଇଥିବା ନିର୍ଯାତନା ବିଷୟରେ କହିଥିଲେ।

ମାଜିଷ୍ଟ୍ରେଟଙ୍କ ଆଗରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯାଇଛି।

ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରିବାକୁ CWC ନିର୍ଦ୍ଦେଶ ଦେଇଛି।

ଏହି ଘଟଣାରେ ଶାହିନବାଗ ଥାନାକୁ ଶିଶୁ ଶ୍ରମ ନିଷେଧ ଆଇନ ଏବଂ ଜୁଭେନାଇଲ୍ ଜଷ୍ଟିସ୍ ଆଇନ ଅନୁସାରେ ମାମଲା ରୁଜୁ କରିବାକୁ ଏସଡିଏମ୍ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ।

ସଂଗଠନର ସୂଚନା ଅନୁସାରେ, ଅନ୍ୟ ଜଣେ ମହିଳା ନାବାଳିକାଙ୍କୁ ଏହି ଘରେ କାମରେ ଲଗାଇଥିଲେ।

ପ୍ରାୟ ଏକ ବର୍ଷ କାମ ପାଇଁ ତାଙ୍କୁ ମାତ୍ର ୧୮ ହଜାର ଟଙ୍କା ଦିଆଯାଇଥିଲା।

ତେବେ ସବୁଠୁ ବଡ଼ କଥା ହେଉଛି, ଏତେ ନିର୍ଯାତନା ସହିବା ପରେ ମଧ୍ୟ ନାବାଳିକାଙ୍କ ସ୍ୱପ୍ନ ଭାଙ୍ଗିନାହିଁ।

ସେ ପୁଣିଥରେ ପାଠପଢ଼ି ଶିକ୍ଷୟିତ୍ରୀ ହେବାକୁ ଚାହୁଁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।