UPPSC topper Neha Panchal: ଭାଇଙ୍କ ଶେଷ ଇଚ୍ଛା ପୂରଣ କଲେ ନେହା, ୯ ଥର ବିଫଳତା ପରେ ୟୁପିପିଏସସିରେ ହେଲେ ଟପ୍ପର

Oct 16, 2026 - 15:04
UPPSC topper Neha Panchal: ଭାଇଙ୍କ ଶେଷ ଇଚ୍ଛା ପୂରଣ କଲେ ନେହା, ୯ ଥର ବିଫଳତା ପରେ ୟୁପିପିଏସସିରେ ହେଲେ ଟପ୍ପର

"ନୂଆଦିଲ୍ଲୀ:  ଦିଲ୍ଲୀର ଏକ ସାଧାରଣ ପରିବାରରୁ ଆସିଥିବା ନେହା ପାଞ୍ଚାଲଙ୍କ ସଫଳତାର କାହାଣୀ ସଂଘର୍ଷ, ଅଦମ୍ୟ ସଂକଳ୍ପ ଓ ଭାଇ ପ୍ରତି ଥିବା ଭଲପାଇବାର ଏକ ଭାବପ୍ରବଣ ଯାତ୍ରା ଚର୍ଚ୍ଚାରେ ରହିଛି।

ମସ୍ତିଷ୍କ ଟ୍ୟୁମର ଯୋଗୁଁ ଅଳ୍ପ ବୟସରେ ସେ ନିଜ ଭାଇ ବିନୀତଙ୍କୁ ହରାଇ ଦେଇଥିଲେ।

ଭାଇଙ୍କ ଶେଷ ଇଚ୍ଛା ଥିଲା ଯେ, ନେହା ଜଣେ ଅଧିକାରୀ ହୁଅନ୍ତୁ।

ଏହି ଇଚ୍ଛା ହିଁ ତାଙ୍କ ଜୀବନର ଲକ୍ଷ୍ୟ ପାଲଟିଗଲା।Advertisment ବିବାହ, ଘରସଂସାର, ଝିଅର ଦାୟିତ୍ୱ ଓ ଲକ୍ଷ ଲକ୍ଷ ଟଙ୍କାର ଋଣ ମଧ୍ୟରେ ସେ ପାଠପଢ଼ା ଜାରି ରଖିଥିଲେ।

UPSCଓ UPPSC ପରୀକ୍ଷାରେ କ୍ରମାଗତ ୯ ଥର ବିଫଳ ହେବା ପରେ ମଧ୍ୟ ସେ ହାର ମାନି ନଥିଲେ।

ଶେଷରେ ତାଙ୍କର ବର୍ଷ ବର୍ଷର ପରିଶ୍ରମ ସଫଳ ହେଲା ଏବଂ ୟୁପିପିଏସସି ୨୦୨୪ ପରୀକ୍ଷାରେ ପ୍ରଥମ ରାଙ୍କ୍ ହାସଲ କରି ସେ ଟପ୍ପର ହେଲେ।

ବର୍ତ୍ତମାନ ସେ ଜଣେ ଡେପୁଟି କଲେକ୍ଟର।

କିପରି ସଂଘର୍ଷକୁ ପଛରେ ପକାଇ  ସଫଳତାର ଶିଖରରେ ପହଞ୍ଚିଲେ ନେହା ପାଞ୍ଚାଲଙ୍କ ସଫଳତାର କାହାଣୀ ସଂଘର୍ଷର ଏକ ନିଆରା ଉଦାହରଣ।

ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଦିଲ୍ଲୀର ଏକ ସାଧାରଣ ପରିବାରରେ ମୋ ଜନ୍ମ।

୨୦୧୩ ମସିହାରେ ମୋତେ ଲାଗିଥିବା ସବୁଠାରୁ ବଡ଼ ଝଟକା ।ସେତେବେଳେ ମୋର ୧୭ ବର୍ଷୀୟ ଭାଇ ଠାରେ ଚିହ୍ନଟ ହୋଇଥିଲା ମସ୍ତିଷ୍କ ଟ୍ୟୁମର।

ଚିକିତ୍ସା ପାଇଁ ପରିବାର ଉପରେ ୪୦ ଲକ୍ଷ ଟଙ୍କାର ଋଣ ବୋଝ ଲଦି ହୋଇଯାଇଥିଲା।

ଅର୍ଥ ଅଭାବ ହେତୁ ଭାଇର ଠିକ ଭାବେ ଚିକିତ୍ସା କରାଇ ହୋଇ ନଥିଲା।

ଚିକିତ୍ସା ଅଭ‌ାବରୁ ଭ‌ାଇର  ମୃତ୍ୟୁ  ହୋଇଯାଇଥିଲା।

ପରିବାରର ଆର୍ଥିକ ସଙ୍କଟ ଓ ଭାଇକୁ ହରାଇବାର ଦୁଃଖ ମୋର ସ୍ୱପ୍ନକୁ ଭାଙ୍ଗିଦେବା ଭଳି ପରିସ୍ଥିତି ସୃଷ୍ଟି କରିଥିଲା।

ଭାଇର ମୃତ୍ୟୁର ମାତ୍ର ୩ ମାସ ପରେ ୨୦୧୫ ଏପ୍ରିଲରେ ମୋର ବିବାହ ହୋଇ ଯାଇଥିଲା।

ଘରସଂସାରର ଦାୟିତ୍ୱ ସମ୍ଭାଳିବା ସହ ଶାଶୂଘରର ପରିବେଶରେ ନିଜକୁ ଖାପ ଖୁଆଇବା ମୋ ପାଇଁ ସହଜ ନଥିଲା।

୨୦୧୬ ମସିହାରେ ଝିଅକୁ ଜନ୍ମ ଦେବା ପରେ ପରିବାରର ଦାୟିତ୍ୱ ଓ ନିଜ ଭବିଷ୍ୟତ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସେ ସମୟରେ ମୋ ପାଇଁ ଏକ ବଡ଼ ଆହ୍ୱାନ ଥିଲା।

ତଥାପି ମୋ ମନରେ ଅଧିକାରୀ ହେବାର ସ୍ୱପ୍ନ କେବେ ମରି ନଥିଲା।"୨୦୧୮ ମସିହାରୁ ନେହା ପୁଣିଥରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

କ୍ରମାଗତ ୩ ଥର ପ୍ରାରମ୍ଭିକ ପରୀକ୍ଷାରେ ସେ ବିଫଳ ହୋଇଥିଲେ।

୨୦୨୧ ମସିହାରେ ମାତ୍ର ୨ ନମ୍ବର ପାଇଁ ସେ ଚୟନରୁ ବଞ୍ଚିତ ହୋଇଥିଲେ।

ଏହି ବିଫଳତା ତାଙ୍କୁ ଗଭୀର ଭାବେ ନିରାଶ କରିଥିଲା।

ଏହା ସହ ଲୋକଙ୍କ ଟାହିଟାପରା ମଧ୍ୟ ଶୁଣିବାକୁ ପଡ଼ିଥିଲା।

ଏହା ପରେ ୨୦୨୨ ଓ ୨୦୨୩ ମସିହାରେ UPPSC ପରୀକ୍ଷାରେ ମଧ୍ୟ ସେ ବିଫଳ ହୋଇଥିଲେ।

ଏତେଥର ବିଫଳ ହେବା ପରେ ମଧ୍ୟ ସେ ନିଜ ଲକ୍ଷ୍ୟରୁ ଓହରି ନଥିଲେ।

ନେହାଙ୍କ ଏହି କଠିନ ଯାତ୍ରାରେ ତାଙ୍କ ସ୍ୱାମୀ ଓ ମାଆ ତାଙ୍କୁ ଦୃଢ଼ ସମର୍ଥନ ଦେଇଥିଲେ।ଶେଷରେ ୨୦୨୪ ମସିହାରେ UPPSC ପରୀକ୍ଷାରେ ନେହା ନିଜ ପରିଶ୍ରମର ପ୍ରମାଣ ଦେଇଥିଲେ।

ରାତି ପ୍ରାୟ ୧ଟା ୩୦ ମିନିଟ୍‌ରେ ତାଙ୍କ ସ୍ୱାମୀ ତାଙ୍କୁ ପ୍ରଥମ ରାଙ୍କ୍ ହାସଲ କରିଥିବା ଖବର ଦେଇଥିଲେ।

ଏହି ଖବର ଶୁଣି ନେହାଙ୍କ ଆଖିରୁ ଖୁସିର ଲୁହ ଝରିପଡ଼ିଥିଲା।ଏହି ପରୀକ୍ଷାରେ ପ୍ରଥମ ରାଙ୍କ୍ ହାସଲ କରିବା ସହ ଡେପୁଟି କଲେକ୍ଟର ହୋଇ ନେହା ନିଜର ଓ ନିଜ ଭାଇଙ୍କ ସ୍ୱପ୍ନ ପୂରଣ କରିଛନ୍ତି।

ନେହାଙ୍କ ସଫଳତା ସେହି ସମସ୍ତ ମହିଳାଙ୍କ ପାଇଁ ଏକ ପ୍ରେରଣା, ଯେଉଁମାନେ ବିବାହ ଓ ଘରୋଇ ଦାୟିତ୍ୱ ପରେ ନିଜ ସ୍ୱପ୍ନକୁ ଅଧୁରା ବୋଲି ଭାବି ନିଅନ୍ତି।

ସେ ପ୍ରମାଣ କରିଛନ୍ତି ଯେ, ବୟସ କିମ୍ବା ପରିସ୍ଥିତି ସଫଳତାର ପଥରେ ବାଧା ହୋଇପାରେ ନାହିଁ।

ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପରିଶ୍ରମ ଥିଲେ ପ୍ରତିକୂଳ ପରିସ୍ଥିତିକୁ ପରାସ୍ତ କରି ସଫଳତାର ଶିଖରରେ ପହଞ୍ଚିହେବ।

ଅଜଣା ନମ୍ବରରୁ କଲ୍‌ ଆସିଲେ ନାଁ ଦେଖାଯିବ: ନଭେମ୍ବର ୧ରୁ ଲାଗୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।