Uruguay won the match: ଉରୁଗୁଏ ମ୍ୟାଚ୍ ଜିତିଲା, ଭାରତ ଅଭିଜ୍ଞତା ସାଉଣ୍ଟିଲା
"ସଲ୍ଟଲେକ୍ ଷ୍ଟାଡିୟମରୁ ଦେବାଶିଷ ସୁନ୍ଦରାୟ କୋଲକାତା: ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ଓ ଉରୁଗୁଏ ଫୁଟ୍ବଲ୍ ମଇଦାନରେ ମୁହାଁମୁହିଁ ହେଉଥିଲେ।
ଦୁଇ ଥର ବିଶ୍ବବିଜେତା ଉରୁଗୁଏ ପାରମ୍ପରିକ ଭାବେ ତା"ର ପଡ଼ିଆ ଭିତର ପତିଆରା ପୁଣି ଥରେ ଦେଖାଇବ ବୋଲି ସମସ୍ତେ ସ୍ଥିର ନିଶ୍ଚିତ ଥିଲେ।
ତେବେ ପାନାମା ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମୁକାବିଲାକୁ ଅମୀମାଂସିତ ରଖିବା ଏବଂ ପାଞ୍ଚ ଥର ବିଶ୍ବବିଜେତା ବ୍ରାଜିଲ ବିପକ୍ଷରେ ଲଢ଼ୁଆ ଖେଳ ଖେଳିବା ପରେ ଭାରତର ଆତ୍ମବିଶ୍ବାସ ଆକାଶ ଛୁଇଁଥିବ ବୋଲି ଘରୋଇ ପ୍ରଶଂସକ ଆଶା ରଖିଥିଲେ।
ସେଥିପାଇଁ ଉରୁଗୁଏର ଦୋଷ ଦୁର୍ବଳତାକୁ ଉଜାଗର କରି ଭାରତ ନିଜ ଫୁଟ୍ବଲ୍ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବାର ସ୍ବପ୍ନ ସେମାନେ ଦେଖିଥିଲେ।
ଭାରତୀୟ ଖେଳାଳିମାନେ ବି ଏହି ଐତିହାସିକ ମୁକାବିଲାର ପ୍ରଥମ କିଛି ମିନିଟ୍ରେ ପ୍ରତିଶ୍ରୁତିଭରା ଫୁଟ୍ବଲ୍ ଖେଳିଥିଲେ।
ଏପରିକି ପ୍ରଥମାର୍ଦ୍ଧରେ ଏକ ସୁନ୍ଦର ଗୋଲ୍ ଲଦି ଉରୁଗୁଏକୁ ହଠାତ୍ ଚକିତ କରି ଦେଇଥିଲେ।
ଜବରଦସ୍ତ ଖେଳ ଖେଳି ସ୍ଥିତି ୧-୧ କରି ନେଇଥିଲେ।
ବର୍ଷା ବ୍ୟାଘାତ ପରେ କିନ୍ତୁ ଲଗାତାର ଆଉ ପାଞ୍ଚଟି ଗୋଲ୍ ଖାଇ ମ୍ୟାଚ୍କୁ ଏକତରଫା ଭାବେ ୧-୬ରେ ହାରିଥିଲେ।
କିନ୍ତୁ ଉରୁଗୁଏ ଭଳି ଦଳ ବିପକ୍ଷରେ ଖେଳିବାର ଅଭିଜ୍ଞତା ସାଉଣ୍ଟିବା ସହ କିଛି କିଛି ମହୂର୍ତ୍ତରେ କରିଥିବା ଲଢ଼ୁଆ ପ୍ରଦର୍ଶନରେ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ।
ଅନ୍ୟପକ୍ଷରେ ୧୯୮୨ ମସିହାରେ କୋଲକାତାରେ ପ୍ରଥମ ଥର ଖେଳି ଭାରତକୁ ୩-୧ ଗୋଲ୍ରେ ହରାଇଥିବା ଲାଟିନ ଆମେରିକୀୟ ଶକ୍ତି ଉରୁଗୁଏ ପୁଣି ଥରେ ଏଠାରେ ବିଜୟୀ ହୋଇଛି।
ବରଂ ଏଥରର ବିଜୟ ବ୍ୟବଧାନକୁ ଯଥେଷ୍ଟ ବଢ଼ାଇଛି।
Advertisment ମଙ୍ଗଳବାର ମ୍ୟାଚ୍ ଆରମ୍ଭରୁ ଉରୁଗୁଏ ଆକ୍ରମଣାତ୍ମକ ଫୁଟବଲ୍ ଖେଳି ଭାରତୀୟ ରକ୍ଷଣଭାଗ ଉପରେ ଚାପ ସୃଷ୍ଟି କରିଥିଲା।
ଫଳରେ ପ୍ରଥମ ଗୋଲ୍ ଦେଇ ୧-୦ରେ ଆଗୁଆ ହୋଇଯାଇଥିଲା।
ଦ୍ବାଦଶ ମିନିଟ୍ରେ ଭାରତୀୟ ଡିଫେଣ୍ଡର୍ ପରମବୀରଙ୍କ ଫାଉଲ୍ ପାଇଁ ଉରୁଗୁଏକୁ ପେନାଲ୍ଟି କିକ୍ ମିଳିଥିଲା।
ଏହାକୁ ସଫଳତାର ସହ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଡାରୱିନ ନୁନେଜ ନିଜ ଦଳକୁ ଆଗୁଆ କରିଥିଲେ।
ଗୋଲ୍ ଖାଇବା ପରେ କିନ୍ତୁ ଭାରତୀୟ ଦଳ ହାର ମାନି ନଥିଲା।
ଭାରତୀୟ ଖେଳାଳିମାନେ ଆକ୍ରମଣର ହାରକୁ ବଢ଼ାଇ ଉରୁଗୁଏର ରକ୍ଷଣଭାଗ ଉପରେ ଚାପ ସୃଷ୍ଟି କରିଥିଲେ।
ଶେଷରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଗୋଲ୍ କରି ମ୍ୟାଚ୍କୁ ସମାନ ସ୍ଥିତିକୁ ନେଇଆସିଥିଲା।
କେବଳ ୧୦ ମିନିଟ୍ ପରେ ଅର୍ଥାତ୍ ୨୨ତମ ମିନିଟ୍ରେ ଉନ୍ନତ ସମନ୍ବୟ ଓ ଅତୁଳନୀୟ ପାସିଂ କଳାରେ ଉରୁଗୁଏକୁ ସ୍ତବ୍ଧ କରି ଦେଇଥିଲା ଭାରତ।
ଅନିରୁଦ୍ଧ ଥାପା ଉରୁଗୁଏ ଗୋଲରକ୍ଷକ ଥିଏଗୋ କାର୍ଡୋଜୋଙ୍କୁ ଚକ୍ମା ଦେଇ ଭାରତ ପାଇଁ ପ୍ରଥମ ଗୋଲ୍ କରିବା ପରେ ଷ୍ଟାଡିୟମ କରତାଳିରେ କମ୍ପି ଉଠିଥିଲା।
ଭାରତ ଅପ୍ରତ୍ୟାଶିତ ସଫଳତାର ସ୍ବାଦ ଚାଖି ସ୍ଥିତି ୧-୧ କରି ନେଇଥିଲା।
ଅନିରୁଦ୍ଧ ମଧ୍ୟ ଉରୁଗୁଏ ବିପକ୍ଷରେ ଗୋଲ୍ ଦେବାରେ ଦ୍ବିତୀୟ ଭାରତୀୟ ହୋଇଥିଲେ।
ମାନସ ଭଟ୍ଟାଚାର୍ଯ୍ୟ ୪୪ ବର୍ଷ ତଳେ ଅର୍ଥାତ୍ ୧୯୮୨ରେ ଖେଳାଯାଇଥିବା ସର୍ବପ୍ରଥମ ଭାରତ-ଉରୁଗୁଏ ମ୍ୟାଚ୍ରେ ଭାରତ ପାଇଁ ଏକମାତ୍ର ଗୋଲ୍ ଦେଇଥିଲେ।
ସେହି ମ୍ୟାଚ୍କୁ ଭାରତ ୧-୩ ଗୋଲ୍ରେ ହାରିଥିଲା।
ପ୍ରଥମାର୍ଦ୍ଧର ୨୬ ମିନିଟ୍ ସୁଦ୍ଧା ଉଭୟ ଦଳ ୧-୧ ସ୍ଥିତିରେ ଥିଲା ବେଳେ ଘଡ଼ଘଡ଼ି ଓ ବର୍ଷା ପାଇଁ ଖେଳ ଅଧ ଘଣ୍ଟାଏରୁ ଅଧିକ ସମୟ ବନ୍ଦ ରହିଥିଲା।
ବର୍ଷା ବ୍ୟାଘାତ ପରେ କିନ୍ତୁ ଉରୁଗୁଏ ମାତ୍ର ଦୁଇ ମିନିଟ୍ ଭିତରେ ଗୋଲ୍ କରି ୨-୧ରେ ଆଗୁଆ ହୋଇଯାଇଥିଲା।
ଏହି ଗୋଲ୍ଟିକୁ ମ୍ୟାକ୍ସିମିଲିଆନୋ ଅରାଉଜୋ (୨୮ ମିନିଟ୍)ରେ ଦେଇଥିଲେ।
ପ୍ରଥମାର୍ଦ୍ଧରେ ୨-୧ରେ ଆଗୁଆ ରହିବା ପରେ ଦ୍ବିତୀୟାର୍ଦ୍ଧରେ ଉରୁଗୁଏ ଆଉ ଚାରିଟି ଗୋଲ୍ କରିଥିଲା।
ଏହି ଗୋଲ୍ଗୁଡ଼ିକ ମ୍ୟାକ୍ସିମିଲିଆନୋ ଆରାଉଜୋ (୫୯), ରୋଡ୍ରିଗୋ ଜଲଜାର (୫୩), ଜୁଆନ ମାନୁଏଲ ସାନାବ୍ରିୟା (୭୧ ମିନିଟ୍) ଓ ରଡ୍ରିଗୋ ଆଗୁରେ (୮୬ ମିନିଟ୍) ଦେଇଥିଲେ।
ମ୍ୟାକ୍ସିମିଲିଆନୋ ଉଭୟାର୍ଦ୍ଧରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ନିଜ ଭାରତ ଗସ୍ତକୁ ସ୍ମରଣୀୟ କରିଥିଲେ।
ଏହି ମ୍ୟାଚ୍ର ଟିକେଟ ଦର କମିବା ସତ୍ତ୍ବେ ଷ୍ଟାଡିୟମ୍ ସାମାନ୍ୟ ଖାଲିଖାଲି ଲାଗୁଥିଲା।
ବ୍ରାଜିଲ ମ୍ୟାଚ୍ ଭଳି ଦର୍ଶକ ନଥିଲେ।
ଏ ସବୁ ସତ୍ତ୍ବେ ସଲ୍ଟଲେକ୍ ଷ୍ଟାଡିୟମ୍ ଏକ ଅନ୍ତର୍ଜାତୀୟ ଫୁଟବଲ୍ ମ୍ୟାଚ୍ର ମାହୋଲକୁ ଜାବୁଡ଼ି ରଖିବାରେ ଏକପ୍ରକାର ସକ୍ଷମ ହୋଇଥିଲା।
ସବୁଜ ପଡ଼ିଆ, ଝଲମଲ କରୁଥିବା ଫ୍ଲଡ୍ଲାଇଟ୍ ଏବଂ ଭାରତୀୟ ଦଳର ଜୟଗାନ ସଲ୍ଟଲେକ୍ ପାଇଁ ସୁଖଦ ସ୍ମୃତି ପାଲଟି ଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।