Uttarakhand Bride Viral Video: ଲେହେଙ୍ଗା ପିନ୍ଧି ୧୮ କି.ମି. ଚାଲିଲେ ନବବଧୂ, ଗାଁକୁ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ
ବିବାହ ଦିନରେ ନବବଧୂଙ୍କ ମନରେ ଥାଏ ଅନେକ ସ୍ୱପ୍ନ।
ସଜବାଜ ହୋଇ ନୂଆ ଜୀବନ ଆରମ୍ଭ କରିବାର ଉତ୍ସାହ।
ହେଲେ ଉତ୍ତରାଖଣ୍ଡର ଜଣେ ନବବଧୂଙ୍କ ପାଇଁ ଏହି ଖାସ୍ ଦିନ ପାଲଟିଗଲା ସଂଘର୍ଷର ଯାତ୍ରା।
ବିବାହ ପୋଷାକ ପିନ୍ଧି ପାହାଡ଼ିଆ ରାସ୍ତାରେ ପ୍ରାୟ ୧୮ କିଲୋମିଟର ଚାଲି ଶାଶୂଘରେ ପହଞ୍ଚିଲେ ନବବଧୂ ଶର୍ମିଲା।
ହେଲେ ଏହି ଯାତ୍ରା କେବଳ ତାଙ୍କ ବିବାହର କାହାଣୀ ନୁହେଁ, ବରଂ ଗାଁକୁ ରାସ୍ତା ନିର୍ମାଣ ପାଇଁ ଏକ ଦୃଢ଼ ନିବେଦନ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଥିବା ତାଙ୍କର ଭିଡିଓ ଏବେ ଚର୍ଚ୍ଚାରେ।
Advertisment ବିବାହ ପୋଷାକରେ ୧୮ କି.ମି.ର ଦୁର୍ଗମ ଯାତ୍ରା ଏହି ଘଟଣା ଉତ୍ତରାଖଣ୍ଡର ଦେହରାଦୁନ ନିକଟସ୍ଥ ଚକ୍ରତା ଅଞ୍ଚଳର।
ଶର୍ମିଲା ବୁଲହାର ଗାଁରୁ ବରଯାତ୍ରୀଙ୍କ ସହ ଉଣ୍ଡାୱା ଗାଁକୁ ଯାଉଥିଲେ।
କିନ୍ତୁ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ତାଙ୍କୁ ଲୋଖଣ୍ଡିଠାରୁ ପ୍ରାୟ ୧୮ କିଲୋମିଟର ପାହାଡ଼ିଆ ଓ ଅସମତଳ ରାସ୍ତାରେ ଚାଲିବାକୁ ପଡ଼ିଥିଲା।
ଦେହରେ ଭାରୀ ବ୍ରାଇଡାଲ୍ ଲେହେଙ୍ଗା, ମନରେ ନୂଆ ସଂସାରର ସ୍ୱପ୍ନ ଆଉ ଆଗରେ ଦୁର୍ଗମ ପଥ।
ଗୃହପ୍ରବେଶର ଶୁଭ ମୁହୂର୍ତ୍ତରେ ଶାଶୂଘରେ ପହଞ୍ଚିବାକୁ ଚାହୁଁଥିବା ଶର୍ମିଲା କଷ୍ଟକୁ ଖାତିର ନକରି ଚାଲିଥିଲେ।
ଗୋଟିଏ ପଟେ ବିବାହର ଖୁସି, ଅନ୍ୟପଟେ ମୌଳିକ ସୁବିଧାର ଅଭାବ ଏହି ଦୃଶ୍ୟ ଏବେ ଅନେକଙ୍କୁ ଭାବିବାକୁ ବାଧ୍ୟ କରିଛି।
Advertisment ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ନବବଧୂଙ୍କ ନିବେଦନ ଏହି ଯାତ୍ରା ସମୟରେ ଗ୍ରାମବାସୀ ଶର୍ମିଲାଙ୍କ ଭିଡିଓ ରେକର୍ଡ କରିଥିଲେ।
ଭିଡିଓରେ ସେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ନିଜ ଗାଁକୁ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।
ଭବିଷ୍ୟତରେ ଯେପରି ଅନ୍ୟ କାହାକୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ନପଡ଼େ, ସେଥିପାଇଁ ଗାଁକୁ ରାସ୍ତା ସଂଯୋଗ କରିବାକୁ ସେ ନିବେଦନ କରିଛନ୍ତି।
ସୋସିଆଲ୍ ମିଡିଆରେ ଭିଡିଓଟି ପ୍ରସାରିତ ହେବା ପରେ ଉଣ୍ଡାୱା ଗାଁର ସମସ୍ୟା ପୁଣି ଥରେ ସାମ୍ନାକୁ ଆସିଛି।
ବିଶେଷକରି ବୟସ୍କ ବ୍ୟକ୍ତି, ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଡାକ୍ତରଖାନାରେ ପହଞ୍ଚିବା ଏକ ବଡ଼ ଚ୍ୟାଲେଞ୍ଜ।
ଏବେ ନବବଧୂଙ୍କ ଏହି ନିବେଦନ ପରେ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।