Woman Gets Period On Honeymoon: ‘ମୋ ମୁଡ୍ ଖରାପ କରିଦେଲ’, ହନିମୁନ୍ରେ ସ୍ତ୍ରୀଙ୍କୁ ଅକଥନୀୟ ନିର୍ଯାତନା ଦେଲା ସ୍ୱାମୀ
ହନିମୁନ୍ରେ ମାସିକ ଋତୁସ୍ରାବ ହେବାରୁ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କଲା ସ୍ୱାମୀ। ଉତ୍ତରପ୍ରଦେଶର ଗୋରଖପୁରର ଜଣେ ମହିଳା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ୨୦୨୩ ରେ ଏହି ଘଟଣା ଘଟିଥିବା ବେଳେ, ପରିବାର ମଧ୍ୟରେ ସମାଧାନ ପାଇଁ ଚାଲିଥିବା ଉଦ୍ୟମ ବିଫଳ ହେବା ପରେ ଏବେ ଏତଲା ରୁଜୁ ହୋଇଛି।
ମହିଳା ଜଣକ ୨୦୨୩ ରେ ଦିଲ୍ଲୀର ବାସିନ୍ଦା ନିଖିଲ ମିଶ୍ରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ତାଙ୍କ ବାପା ପ୍ରାୟ ୨୦ ଲକ୍ଷ ନଗଦ ଟଙ୍କା, ଗୋଟିଏ କାର୍ ଏବଂ ପ୍ରାୟ ୪୦ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଦେଇଥିବା ସେ ଦାବି କରିଛନ୍ତି। ପରେ ଏହି ସାମଗ୍ରୀକୁ ନେଇ ଶାଶୂଘର ଲୋକେ ତାଙ୍କୁ ଟାହିଟାପରା କରିବା ଓ ଅପମାନିତ କରୁଥିବା ଅଭିଯୋଗ ହୋଇଛି।
ବିବାହର ପ୍ରାୟ ଏକ ମାସ ପରେ, ଜୁଲାଇ ୪ ତାରିଖରେ ଦମ୍ପତି ଆଣ୍ଡାମାନ ଓ ନିକୋବରକୁ ହନିମୁନ୍ରେ ଯାଇଥିଲେ। ସେଠାରେ ମହିଳାଙ୍କ ମାସିକ ଋତୁସ୍ରାବ ହେବା ସହ ତୀବ୍ର ପେଟ ଯନ୍ତ୍ରଣା ଓ ଅଧିକ ରକ୍ତସ୍ରାବ ହୋଇଥିଲା ବୋଲି ଅଭିଯୋଗରେ କୁହାଯାଇଛି।
ମହିଳାଙ୍କ ଦାବି, ଏହାକୁ ନେଇ ସ୍ୱାମୀ ରାଗିଯାଇଥିଲେ। ପୂର୍ବରୁ କାହିଁକି ତାଙ୍କୁ ପିରିଅଡ୍ ବିଷୟରେ କହିନଥିଲେ ବୋଲି ପ୍ରଶ୍ନ କରିବା ସହ, ‘ତୁମେ ମୋ ମୁଡ୍ ଖରାପ କରିଦେଲ’ ବୋଲି କହିଥିବା ଅଭିଯୋଗ ରହିଛି। ଏହାପରେ ସେ ଚାପୁଡ଼ା, ଗୋଇଠା ଓ ମୁଥ ମାରିବା ସହ ତଣ୍ଟି ଚିପିଥିବା ମହିଳା ଅଭିଯୋଗ କରିଛନ୍ତି। ତାଙ୍କ ଚିତ୍କାର ଶୁଣି ହୋଟେଲ କର୍ମଚାରୀମାନେ ଆସି ତାଙ୍କୁ ଉଦ୍ଧାର କରିଥିବା ଦାବି କରାଯାଇଛି।
ଦିଲ୍ଲୀ ଫେରିବା ପରେ ମହିଳା ଶାଶୂ ଓ ନଣନ୍ଦଙ୍କୁ ଘଟଣା ସମ୍ପର୍କରେ କହିଥିଲେ। କିନ୍ତୁ ସେମାନେ ସହାୟତା କରିବା ବଦଳରେ ମାନସିକ ନିର୍ଯାତନା ଦେଇଥିବା ଏତଲାରେ ଅଭିଯୋଗ ହୋଇଛି।
ଏପରିକି ସ୍ୱାମୀ ତାଙ୍କ ବାପାଙ୍କୁ ଫୋନ୍ କରି ଝିଅକୁ ଦିଲ୍ଲୀରୁ ଗୋରଖପୁର ନେଇଯିବାକୁ କହିଥିବା ଅଭିଯୋଗ। ୨୦୨୩ ଜୁଲାଇ ୧୪ ତାରିଖରେ, ଅର୍ଥାତ୍ ବିବାହର ମାତ୍ର ପ୍ରାୟ ୪୫ ଦିନ ପରେ, ତାଙ୍କୁ ଶାଶୂଘରୁ ବାହାର କରିଦିଆଯାଇଥିବା ମହିଳା ଦାବି କରିଛନ୍ତି। ଝିଅକୁ ନେବା ଓ ପରିବାର ମଧ୍ୟରେ ସମାଧାନ କରିବାକୁ ଦିଲ୍ଲୀ ଯାଇଥିବା ତାଙ୍କ ବାପାଙ୍କୁ ମଧ୍ୟ ଅପମାନିତ କରାଯାଇଥିବା ଅଭିଯୋଗ ରହିଛି।
ମହିଳାଙ୍କ ଆଉ ଏକ ଅଭିଯୋଗ ହେଉଛି, ବିବାହ ସମୟରେ ଦିଆଯାଇଥିବା ସାମଗ୍ରୀ ଶାଶୂଘର ପକ୍ଷରୁ ଫେରାଇ ଦିଆଯାଇନାହିଁ। ଏହା ସହ ସ୍ୱାମୀ ତାଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଏହି ମାମଲାରେ ଏତଲା ରୁଜୁ କରିବା ପାଇଁ ମହିଳାଙ୍କ ପରିବାର ବାରମ୍ବାର ପୁଲିସ ନିକଟକୁ ଯାଇଥିଲେ ମଧ୍ୟ ପ୍ରାରମ୍ଭରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଶେଷରେ ଗୋରଖପୁର ଏସ୍ଏସ୍ପି ଡାକ୍ତର କୌସ୍ତୁଭଙ୍କ ହସ୍ତକ୍ଷେପ ପରେ ଅଗଷ୍ଟ ୧୫ ତାରିଖରେ ଏତଲା ରୁଜୁ ହୋଇଛି। ଏବେ ପୋଲିସ ଅଭିଯୋଗର ତଦନ୍ତ କରୁଛି। ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।