Yami Gautam National Award: ‘କେବେ ନା କେବେ ଏମିତି ଦିନ ଆସିବ...; ଜାତୀୟ ପୁରସ୍କାର ପାଇ ଭାବବିହ୍ୱଳ ହେଲେ ୟାମି ଗୌତମ

Sep 23, 2026 - 15:14
Yami Gautam National Award: ‘କେବେ ନା କେବେ ଏମିତି ଦିନ ଆସିବ...; ଜାତୀୟ ପୁରସ୍କାର ପାଇ ଭାବବିହ୍ୱଳ ହେଲେ ୟାମି ଗୌତମ

ସ୍ୱପ୍ନ ଦେଖିଥିଲେ, ସଂଘର୍ଷ କରିଥିଲେ ଏବଂ ଶେଷରେ ସେହି ଅପେକ୍ଷାର ମୁହୂର୍ତ୍ତର ଅନ୍ତ ଘଟିଲା। ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କ ପାଇଁ ମଙ୍ଗଳବାର ଦିନଟି ପାଲଟିଗଲା ଜୀବନର ଏକ ସ୍ମରଣୀୟ ଦିନ। ‘ଆର୍ଟିକଲ୍ ୩୭୦’ରେ ଦମଦାର ଅଭିନୟ ପାଇଁ ତାଙ୍କୁ ୨୦୨୪ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ଗୁଜରାଟର ଏକତା ନଗରରେ ଆୟୋଜିତ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ୟାମି ଏହି ସମ୍ମାନ ଗ୍ରହଣ କରିଥିଲେ। ପ୍ରଥମ ଥର ଜାତୀୟ ପୁରସ୍କାର ପାଇବା ପରେ ଖୁସି ସହ ଭାବବିହ୍ୱଳ ହୋଇପଡ଼ିଥିଲେ ଅଭିନେତ୍ରୀ।

ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର, ମୁହଁରେ ଖୁସି

ପୁରସ୍କାର ସମାରୋହରେ ୟାମି ମଞ୍ଚ ଉପରକୁ ଯିବା ସମୟରେ ତାଙ୍କ ମୁହଁରେ ଖୁସି ସ୍ପଷ୍ଟ ଦେଖାଯାଉଥିଲା। ମଞ୍ଚରେ ପହଞ୍ଚି ପ୍ରଥମେ ପାରମ୍ପରିକ ଢଙ୍ଗରେ ନମସ୍କାର କରିଥିଲେ। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ।

ଏହି ବିଶେଷ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ୟାମିଙ୍କ ସ୍ୱାମୀ ତଥା ଫିଲ୍ମମେକର ଆଦିତ୍ୟ ଧର। ଦର୍ଶକଙ୍କ ମଧ୍ୟରେ ବସି ସେ ୟାମିଙ୍କୁ ଏହି ସମ୍ମାନ ଗ୍ରହଣ କରୁଥିବା ଦେଖିଥିଲେ।

‘ଏବେ ବି ବହୁତ କିଛି ଶିଖିବା ବାକି’

ଏତେ ବଡ଼ ସମ୍ମାନ ମିଳିଥିଲେ ମଧ୍ୟ ୟାମି ନିଜ ଆଗାମୀ ଯାତ୍ରାକୁ ନେଇ ବେଶ୍ ବିନମ୍ର ରହିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଯାତ୍ରାରେ ଏବେ ବି ବହୁତ କିଛି ଶିଖିବାକୁ ବାକି ଅଛି। ଆଗକୁ ଆହୁରି ଅନେକ କାମ କରିବାକୁ ଅଛି ବୋଲି ସେ କହିଥିଲେ।

ଜାତୀୟ ପୁରସ୍କାର ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ହୋଇଥିବା ବେଳେ ଏକ ଐତିହାସିକ ସ୍ଥାନରେ ଏହି ସମ୍ମାନ ପାଇବା ମୁହୂର୍ତ୍ତକୁ ସେ ଆହୁରି ବିଶେଷ ବୋଲି କହିଥିଲେ।

ମୁମ୍ବାଇ ଆସୁଥିବା ସ୍ୱପ୍ନବାଦୀଙ୍କୁ ୟାମିଙ୍କ ବଡ଼ ବାର୍ତ୍ତା

ଜାତୀୟ ପୁରସ୍କାର ପାଇବା ପରେ ୟାମି ସେହି ଯୁବପିଢ଼ିଙ୍କ କଥା ମଧ୍ୟ ମନେ ପକାଇଥିଲେ, ଯେଉଁମାନେ ଅଭିନେତା ହେବାର ସ୍ୱପ୍ନ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ମୁମ୍ବାଇ ଆସିଥାନ୍ତି।

ୟାମିଙ୍କ କହିବା କଥା, ମଣିଷ ନିଜର ପ୍ରୟାସ କେବେ ବନ୍ଦ କରିବା ଉଚିତ ନୁହେଁ। ଦିନେ ନା ଦିନେ ନିଶ୍ଚୟ ପରିଶ୍ରମର ଫଳ ମିଳିବ। ତାଙ୍କର ଏହି ବାର୍ତ୍ତା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ତିଆରି କରିବାକୁ ସଂଘର୍ଷ କରୁଥିବା ଅନେକ ଯୁବ କଳାକାରଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି।

‘ଆର୍ଟିକଲ୍ ୩୭୦’ ପାଇଁ ମିଳିଲା ସମ୍ମାନ

୨୦୨୪ରେ ରିଲିଜ୍ ହୋଇଥିବା ‘ଆର୍ଟିକଲ୍ ୩୭୦’ ପାଇଁ ୟାମିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଜାତୀୟ ପୁରସ୍କାର ମିଳିଛି। ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏକ ପଲିଟିକାଲ୍ ଆକ୍ସନ୍ ଥ୍ରିଲର୍। ଫିଲ୍ମରେ ୟାମି ଜଣେ ଇଣ୍ଟେଲିଜେନ୍ସ ଅଫିସରଙ୍କ ଭୂମିକାରେ ନଜର ଆସିଥିଲେ। ଫିଲ୍ମର କାହାଣୀ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ର ବ୍ୟବସ୍ଥା ହଟାଯିବା ସହ ଜଡ଼ିତ ଘଟଣାକ୍ରମରୁ ପ୍ରେରିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।