ଇସ୍ପାତ ନଗରୀର ଦୁର୍ଗାପୂଜା

Oct 20, 2026 - 13:04
ଇସ୍ପାତ ନଗରୀର ଦୁର୍ଗାପୂଜା

 

ଓଡ଼ିଶାର ଅନ୍ୟ ସହର ଭଳି ରାଉରକେଲାରେ ଖୁବ ଧୁମଧାମରେ ପାଳନ ହୋଇଥାଏ ମାଆ ଦୁର୍ଗାଙ୍କର ଦଶହରା ପୂଜା । ଏଠାରେ ଥିବା ବିଭିନ୍ନ ଛୋଟବଡ ମଣ୍ଡପରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଆନ୍ତି । ପୁରା ସହର ମାଆଙ୍କର ଭକ୍ତିରେ ପୁରିଉଠେ ।

ସ୍ୱାମୀନାରାୟଣ ମନ୍ଦିର ଢାଞ୍ଚାରେ ମଣ୍ଡପ

ଇସ୍ପାତ ନଗରୀ ରାଉରକେଲାରେ ଦୁର୍ଗାପୂଜାକୁ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି । ପ୍ରତିବର୍ଷ ଏଠାରେ ଖୁବ ଧୁମଧାମରେ ଦୁର୍ଗାପୂଜା ପାଳନ ହୋଇଥାଏ ।  ସହରର ସେକ୍ଟର-୨ ଜୟଦେବ ନଗରସ୍ଥିତ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏହାର ବଜେଟ୍ ୩୦ ଲକ୍ଷ ହୋଇଥିବାବେଳେ, ଚାନ୍ଦି ମୁକୁଟ, କଟକୀ ବୁଲିୟନ ମେଢ଼ ସହ ମୀନାବଜାର, ରାମଦୋଳି ଓ ଫୁଡ୍ କୋର୍ଟ ଏହାର ଆକର୍ଷଣ ପାଲଟିବ । ୧୯୫୮ ମସିହାରୁ ଏହି କମିଟି ପକ୍ଷରୁ ଦୁର୍ଗାପୂଜା ଆୟୋଜିତ ହୋଇଆସୁଥିବାବେଳେ, ୨୦୨୬ ମସିହାର ପୂଜା ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କାର ବଜେଟ୍ ନିର୍ଦ୍ଧାରଣ କରାଯାଇଛି । ଚଳିତ ବର୍ଷର ପ୍ରମୁଖ ଆକର୍ଷଣ ହେଉଛି ଗୁଜରାଟର ପ୍ରସିଦ୍ଧ ସ୍ୱାମୀନାରାୟଣ ମନ୍ଦିରର ଢାଞ୍ଚାରେ ନିର୍ମାଣ ହେଉଥିବା ମଣ୍ଡପ । ମଣ୍ଡପର ଆକର୍ଷଣୀୟ କାରୁକାର୍ଯ୍ୟ ସହ ମା’ ଦୁର୍ଗା ଓ ଅନ୍ୟ ଦେବାଦେବୀଙ୍କ ମସ୍ତକରେ ଚାନ୍ଦିର ମୁକୁଟ ଶୋଭା ପାଇବ । ଏହା ସହ କଟକର ବୁଲିୟନ ମେଢ଼ ମଣ୍ଡପର ଶୋଭାକୁ ଆହୁରି ବଢ଼ାଇବ । ମୂର୍ତ୍ତି ଓ ମେଢ଼ ନିର୍ମାଣ ଦାୟିତ୍ୱରେ ବାପି ବିନ୍ଧାଣୀ ରହିଥିବାବେଳେ, ସାଜସଜ୍ଜା ଦାୟିତ୍ୱ ମୁନ୍ନା ଡେକୋରେଟର ନେଇଛନ୍ତି । ପୂଜା କମିଟିର ସଭାପତି ଦୁର୍ଗାଚରଣ ଜେନା, ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ୱାଇଁ, କୋଷାଧ୍ୟକ୍ଷ ରଞ୍ଜନ ବାରିକ ଏବଂ କାର୍ଯ୍ୟକାରୀ ସଭାପତି ଆଦିତ୍ୟ ବାରିକଙ୍କ ନେତୃତ୍ୱରେ ପୂଜା ପ୍ରସ୍ତୁତି ଚାଲିଛି । କାର୍ଯ୍ୟକର୍ତ୍ତା ସନାତନ ସୁନାନୀ, ପି.କେ. ବିହାରୀ, ପ୍ରତାପ ସେଠି, ମନୋଜ ଦୋରା, ଜଗତ ବଲ୍ଲଭ ସାହୁ, ସିପୁ, ବାନା, ପ୍ରକାଶ, ବାଟାଙ୍କ ସମେତ ଅନ୍ୟ ସଦସ୍ୟମାନେ ଆୟୋଜନରେ ସହଯୋଗ କରୁଛନ୍ତି । କମିଟିରେ ପ୍ରାୟ ୨୦୦ ଜଣ ସଦସ୍ୟ ଅଛନ୍ତି । କେବଳ ମଣ୍ଡପ ଓ ପୂଜା ନୁହେଁ, ଦର୍ଶକଙ୍କ ମନୋରଞ୍ଜନ ପାଇଁ ମଧ୍ୟ ଏଠାରେ ବିଭିନ୍ନ ଆୟୋଜନ ରହିଛି । ମୀନାବଜାର, ରାମଦୋଳି ଓ ଫୁଡ୍ କୋର୍ଟ ପୂଜା ପରିସରକୁ ଅଧିକ ଆକର୍ଷଣୀୟ କରିବ । ମୀନାବଜାରରେ ବିଭିନ୍ନ ସାମଗ୍ରୀ ଓ ମନୋରଞ୍ଜନର ସୁଯୋଗ ମିଳିବା ସହ ରାମଦୋଳି ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାର ଆଶା ରହିଛି । ଅନ୍ୟପଟେ, ଫୁଡ୍ କୋର୍ଟରେ ବିଭିନ୍ନ ପ୍ରକାର ଖାଦ୍ୟର ସୁଯୋଗ ମିଳିବା ଫଳରେ ପରିବାର ସହ ପୂଜା ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ଏହା ଏକ ମନୋରଞ୍ଜନମୟ ପରିବେଶ ସୃଷ୍ଟି କରିବ । ଏହି ସବୁ ଆୟୋଜନ ପୂଜା ମଣ୍ଡପକୁ କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ମିଳନ ଓ ମନୋରଞ୍ଜନର ଏକ ସ୍ଥାନ ଭାବେ ଗଢ଼ିତୋଳିବାରେ ସହାୟକ ହେବ । ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଚାରୁଅନ୍ନ, ମିଠା ଓ ହାଲୁଆ ଆଦି ପ୍ରସାଦ ବଣ୍ଟନ କରାଯିବ । ବିଶେଷକରି ଅଷ୍ଟମୀ ଦିନକୁ କମିଟି ପକ୍ଷରୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ, ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମଣ୍ଡପ ପରିସରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବାବେଳେ ଘରୋଇ ସୁରକ୍ଷାକର୍ମୀ ମୁତୟନର ବ୍ୟବସ୍ଥା କରାଯାଇଛି । କମିଟିର ସଦସ୍ୟମାନେ ମଧ୍ୟ ଭିଡ଼ ପରିଚାଳନା, ଶୃଙ୍ଖଳା ରକ୍ଷା ଓ ଦର୍ଶକଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବାରେ ସାମିଲ ହେବେ । ଦୀର୍ଘ ୬୮ ବର୍ଷର ପରମ୍ପରାକୁ ଆଗକୁ ବଢ଼ାଇ ସେକ୍ଟର-୨ ଦୁର୍ଗାପୂଜା କମିଟି ଚଳିତ ବର୍ଷ ଧାର୍ମିକ ଆସ୍ଥା, ଆକର୍ଷଣୀୟ ମଣ୍ଡପ, ମନୋରଞ୍ଜନ ଓ ସୁରକ୍ଷାର ସମନ୍ୱୟ ରଖିବାକୁ ଉଦ୍ୟମ କରିଛି । ଏହି ଆୟୋଜନ ରାଉରକେଲାବାସୀଙ୍କ ପାଇଁ ଦୁର୍ଗାପୂଜାର ଆନନ୍ଦକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି ।

 ପରୀମହଲ ପାଲଟିଛି ସେକ୍ଟର-୧୬

ରାଧାନାଥ ନଗର ପଡ଼ିଆରେ ଭବ୍ୟ ଦୁର୍ଗାପୂଜା ପ୍ରସ୍ତୁତି, ବଜେଟ୍ ୩୦ରୁ ୩୨ ଲକ୍ଷ ଟଙ୍କା । ମା’ ଦୁର୍ଗାଙ୍କ ଆଗମନକୁ ନେଇ ଇସ୍ପାତ ନଗରୀ ରାଉରକେଲା ଏବେ ପାର୍ବଣମୟ । ସହରର ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି କ୍ରମରେ ସେକ୍ଟର-୧୬ ପୂଜା କମିଟି ପକ୍ଷରୁ ରାଧାନାଥ ନଗର ଅଞ୍ଚଳର ପଡ଼ିଆରେ ଚଳିତବର୍ଷ ଏକ ଆକର୍ଷଣୀୟ ଓ ଭବ୍ୟ ପୂଜାମଣ୍ଡପ ପ୍ରସ୍ତୁତ କରାଯାଇଛି । ମା’ଙ୍କ ଆଗମନରେ ଏଠାକାର ମଣ୍ଡପ ଏବେ ସତେ ଯେମିତି ଏକ ସୁନ୍ଦର ପରୀମହଲର ରୂପ ନେଇଛି । ମଣ୍ଡପର ଆକର୍ଷଣୀୟ ସାଜସଜ୍ଜା ଓ ମନୋରମ ପରିବେଶ ଶ୍ରଦ୍ଧାଳୁଙ୍କ ମନ ମୋହିବ ବୋଲି ଆଶା ରହିଛି । ପ୍ରାୟ ୬୭ ବର୍ଷର ପରମ୍ପରା ବହନ କରୁଥିବା ଏହି ପୂଜାକୁ ଆହୁରି ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି । ଚଳିତବର୍ଷର ମଣ୍ଡପକୁ ପରୀମହଲ ଶୈଳୀରେ ନିର୍ମାଣ କରାଯାଇଛି । ମା’ ଦୁର୍ଗାଙ୍କୁ ଏକ ମନୋରମ ପରିବେଶରେ ବିରାଜମାନ କରାଇବା ସହ ଶ୍ରଦ୍ଧାଳୁଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ କମିଟିର ସଦସ୍ୟମାନେ ନିଜର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ, ମଣ୍ଡପ ନିର୍ମାଣ ଓ ସାଜସଜ୍ଜା କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି । ମା’ଙ୍କ ପ୍ରତିମା ନିର୍ମାଣ ପାଇଁ କୋଲକାତାରୁ ମୂର୍ତ୍ତିକାରଙ୍କୁ ଡକାଯାଇଥିବା ବେଳେ ମଣ୍ଡପର ଆକର୍ଷଣୀୟ ସାଜସଜ୍ଜା ଓ ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ କୋଲକାତାରୁ ସଜସଜ୍ଜା କାରିଗରଙ୍କୁ ଅଣାଯାଇଛି । କାରିଗରମାନଙ୍କ କଳାକୌଶଳ ଓ କମିଟିର ଯୋଜନାବଦ୍ଧ ଉଦ୍ୟମରେ ପୂଜାମଣ୍ଡପ ଏକ ନୂଆ ରୂପ ପାଇଛି । ମା’ଙ୍କ ଆଗମନ ପୂର୍ବରୁ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ କମିଟି ସଦସ୍ୟମାନେ ଲାଗିପଡ଼ିଛନ୍ତି । ପୂଜାର ଆୟୋଜନକୁ ସୁଚାରୁ ରୂପେ ସମ୍ପନ୍ନ କରିବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ମଣ୍ଡପ ଅଞ୍ଚଳରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖିବା ସହ ପୋଲିସ ପ୍ରଶାସନର ସହଯୋଗରେ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ଚାଲିଛି । ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସହଜ କରିବା ପାଇଁ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। କେବଳ ଧାର୍ମିକ ଆୟୋଜନ ନୁହେଁ, ଛୋଟ ପିଲା ଓ ପରିବାର ସହ ଆସୁଥିବା ଦର୍ଶକଙ୍କ ମନୋରଞ୍ଜନ ପାଇଁ ମଧ୍ୟ ଦୋଳିର ବ୍ୟବସ୍ଥା କରାଯାଇଛି । ଏହା ଫଳରେ ପୂଜାମଣ୍ଡପ ଦର୍ଶନ ସହ ପରିବାର ସଦସ୍ୟମାନେ ମନୋରଞ୍ଜନର ସୁଯୋଗ ପାଇପାରିବେ । ଚଳିତବର୍ଷ ପୂଜା ଆୟୋଜନ ପାଇଁ ପ୍ରାୟ ୩୦ରୁ ୩୨ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି । ପ୍ରାୟ ଛଅ ଦଶନ୍ଧି ଧରି ଚାଲିଆସୁଥିବା ଏହି ପୂଜା ପରମ୍ପରା ଆଜି ମଧ୍ୟ ସ୍ଥାନୀୟ ଅଞ୍ଚଳର ଧାର୍ମିକ ଆସ୍ଥା ଓ ସାମୂହିକ ଏକତାର ପ୍ରତୀକ ହୋଇ ରହିଛି । କମିଟିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ମିଳିତ ପ୍ରୟାସରେ ଏବର୍ଷର ପରୀମହଲ ଶୈଳୀର ମଣ୍ଡପ ଦର୍ଶକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ପାଲଟିବ ବୋଲି ଆଶା କରାଯାଉଛି । ସାଧାରଣଲୋକ ମଧ୍ୟ ଏହାର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

 

ସେକ୍ଟର-୧୬ ପୂଜା କମିଟିର କର୍ମକର୍ତ୍ତା

- ସଭାପତି: ଶ୍ରୀନିବାସ ପ୍ରଧାନ

- ସମ୍ପାଦକ: ଅନ୍ୟୁରୁଦ୍ଧ ଖଣ୍ଡୁଆଳ

- କୋଷାଧ୍ୟକ୍ଷ: ସଞ୍ଜୟ ମହାନ୍ତି

- ମୁଖ୍ୟ ସଂଯୋଜକ: ଅବିନାଶ ପ୍ରଧାନ

- ମୁଖ୍ୟ ଉପଦେଷ୍ଟା: ଶୁକୃ ବିଭାର

- କାର୍ଯ୍ୟକାରୀ ସଭାପତି: ଅନିଲ ସିଂ

- ଉପସଭାପତି: ଅଶିମ ପରିଡ଼ା

- ଯୁଗ୍ମ କୋଷାଧ୍ୟକ୍ଷ: ପଙ୍କଜ ସାମଲ

- ଯୁଗ୍ମ ସମ୍ପାଦକ: ପ୍ରଦୀପ ନାୟକ ଓ ପ୍ରିୟରଞ୍ଜନ ଗୌଡ଼

- ଉପଦେଷ୍ଟା: ନରହରି ସୁତାର ଓ ସତ୍ୟବ୍ରତ ମହାପାତ୍ର

ଏହା ସହିତ କମିଟିରେ ୭୦ରୁ ଅଧିକ ସଦସ୍ୟ ରହି ପୂଜାର ସମସ୍ତ ଆୟୋଜନକୁ ସଫଳ କରିବା ପାଇଁ ସହଯୋଗ କରୁଛନ୍ତି ।

ପ୍ରସ୍ତୁତି

ଶିବ ଶଙ୍କର ସାମଲ, ସମୟ ପ୍ରତିନିଧି

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।