‘ଠିକ୍ ଭାବେ ପୋଷାକ ପିନ୍ଧନ୍ତୁ, ହାଫପ୍ୟାଣ୍ଟ ପିନ୍ଧିଥିବା ଆପ୍‌ ବିଧାୟକଙ୍କୁ ରେଖା ଗୁପ୍ତାଙ୍କ ତାଗିଦ

Aug 11, 2026 - 14:31
‘ଠିକ୍ ଭାବେ ପୋଷାକ ପିନ୍ଧନ୍ତୁ,  ହାଫପ୍ୟାଣ୍ଟ ପିନ୍ଧିଥିବା ଆପ୍‌ ବିଧାୟକଙ୍କୁ ରେଖା ଗୁପ୍ତାଙ୍କ ତାଗିଦ

ନୂଆଦିଲ୍ଲୀ: ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ କାଗଜପତ୍ରରେ ଦସ୍ତଖତ କରୁଥିବା ସମୟରେ ହାଫ୍‌ପ୍ୟାଣ୍ଟ ଏବଂ ଗଞ୍ଜି ପିନ୍ଧିଥିବା ଜଣେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତର-ପଶ୍ଚିମ ଦିଲ୍ଲୀର କିରାରୀ ନିର୍ବାଚନମଣ୍ଡଳୀର ଆପ୍‌ ବିଧାୟକ ଅନିଲ ଝା ବତ୍ସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଝାଙ୍କୁ ଗଞ୍ଜି ଓ ହାଫ୍ ପ୍ୟାଣ୍ଟ ପିନ୍ଧି ନିଜ ଚେୟାରରେ ଗୋଡ଼ ଉପରେ ଗୋଡ଼ ରଖି ବସିଥିବା ଦେଖାଯାଉଛି। ତାଙ୍କ କୋଳ ଉପରେ ଏକ ଗେରୁଆ କପଡ଼ା ପଡ଼ିଥିଲା। ରିପୋର୍ଟ ଅନୁସାରେ, ଦିଲ୍ଲୀ ସରକାରଙ୍କ ମହିଳାମାନଙ୍କୁ ଆର୍ଥିକ ସହାୟତା ଦେବା ଯୋଜନାର ଆବେଦନପତ୍ରରେ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ପାଇଁ ଦସ୍ତଖତ କରୁଥିବା ସମୟରେ ଏହି ଭିଡିଓ ରେକର୍ଡ କରାଯାଇଥିଲା। ଭିଡିଓରେ ଝା କାଗଜପତ୍ରରେ ଦସ୍ତଖତ କରୁଥିବା ବେଳେ ତାଙ୍କ ଟେବୁଲ ସାମ୍ନାରେ ଅନେକ ଲୋକ, ଯେଉଁଥିରେ କିଛି ମହିଳା ମଧ୍ୟ ଥିଲେ ଯେଉଁମାନେ ଧାଡ଼ିରେ ଠିଆ ହୋଇଥିବା ଦେଖାଯାଉଛି। ବିଧାନସଭାରେ ବିଧାୟକଙ୍କ ଅନୁଚିତ ପୋଷାକକୁ ନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବତ୍ସଙ୍କୁ କଡ଼ା ସମାଲୋଚନା କରି ତାଙ୍କ ଆଚରଣକୁ ଲଜ୍ଜାଜନକ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ’ଆପଣଙ୍କ ଆଚରଣ ଲଜ୍ଜାଜନକ। ମହିଳାମାନେ ଯେତେବେଳେ ନିଜ କାଗଜପତ୍ରରେ ଦସ୍ତଖତ କରାଇବା ପାଇଁ ଆପଣଙ୍କ ପାଖକୁ ଆସୁଛନ୍ତି, ସେତେବେଳେ ଅନ୍ତତଃ ଆପଣ ଠିକ୍ ଭାବେ ପୋଷାକ ପିନ୍ଧିବା ଉଚିତ।’ ମହିଳାମାନଙ୍କ ସାମ୍ନାରେ ଏପରି ଆଚରଣ କରିଥିବାରୁ ବତ୍ସଙ୍କ ବିଧାନସଭା ସଦସ୍ୟତା ବାତିଲ କରିବାକୁ ମଧ୍ୟ ରେଖା ଗୁପ୍ତା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ’ଜଣେ ବିଧାୟକଙ୍କ ଏପରି ଅଶୋଭନୀୟ ଆଚରଣକୁ ସହ୍ୟ କରାଯାଇପାରିବ ନାହିଁ। ତାଙ୍କ ବିଧାନସଭା ସଦସ୍ୟତା ବାତିଲ କରାଯିବା ଉଚିତ।’ ଏହି ସମୟରେ ଆପ୍‌ ବିଧାୟକମାନେ ବିରୋଧ କରିଥିଲେ। ରେଖା ଗୁପ୍ତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଧାନସଭା ଅଧିବେଶନ ସମୟରେ ଆପ୍‌ ବିଧାୟକ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏହା ବିରୋଧରେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଆପ୍‌ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି ତାଙ୍କ ଦ୍ୱାରା କୌଣସି ଇଙ୍ଗିତ କରାଯାଇଥିବା ଭିଡିଓ ପ୍ରମାଣ ଦେଖାଇବାକୁ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।