ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

Sep 04, 2026 - 11:06
ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ ଉପରେ ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ରାଜସ୍ବ, ବନ ଓ ପୋଲିସ ବିଭାଗର ମିଳିତ ଅଭିଯାନରେ ପ୍ରାୟ ୩୪ ଏକର ୬୦୦ ଡିସମିଲ ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି।

ସୂଚନା ଅନୁସାରେ, ଦାଦରପାଲି ଗ୍ରାମର ନାଗେଶ୍ୱର ମେଣ୍ଡିଲି ଦୀର୍ଘବର୍ଷ ଧରି ସୁରଧାପାଲି ଜଙ୍ଗଲ ମୌଜାର ଉକ୍ତ ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଥିଲା। ଜବରଦଖଲ ଜମିରେ କପା ଓ ଧାନ ଚାଷ କରାଯିବା ସହ ବିଭିନ୍ନ ସମୟରେ ଅନ୍ୟମାନଙ୍କୁ ଚାଷ ପାଇଁ ଜମି ଦିଆଯାଉଥିବା ମଧ୍ୟ ଅଭିଯୋଗ ରହିଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ କେନଝିରିଆପାଲି ରାଜସ୍ବ ନିରୀକ୍ଷକଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା। ଏହି ଘଟଣାରେ ଗତବର୍ଷ ନାଗେଶ୍ୱର ମେଣ୍ଡିଲିଙ୍କ ନାମରେ (କେସ ନଂ. ୨୮୭/୨୫) ରୁଜୁ ହୋଇଥିଲା। ଜମି ଛାଡ଼ିବା ଓ ସେଠାକୁ ନଯିବା ପାଇଁ ତହସିଲ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଅବମାନନା କରି ଚାଷ ଜାରି ରଖିଥିବା କୁହାଯାଇଛି।

ବୀରମହାରାଜପୁର ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ଜମି ଛାଡ଼ିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗତ ଜାନୁଆରୀ ମାସରେ ନୋଟିସ ଜାରି କରାଯାଇଥିଲା। ଉଚ୍ଛେଦ ପୂର୍ବରୁ ମଧ୍ୟ ତାଙ୍କୁ ପୁନର୍ବାର ନୋଟିସ ଦିଆଯାଇଥିଲା। ମାତ୍ର ତାଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଥିଲା।

ଗୁରୁବାର ପ୍ରଶାସନର ନିର୍ଦ୍ଦେଶକ୍ରମେ ରାଜସୱ, ବନ ଓ ପୋଲିସ ବିଭାଗର ମିଳିତ ଉପସ୍ଥିତିରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ **ଗୋଟିଏ ଜେସିବି ଓ ୩ଟି ଟ୍ରାକ୍ଟର** ବ୍ୟବହାର କରାଯାଇଥିଲା। ଜବରଦଖଲ ଜମିରେ ହୋଇଥିବା କପା ଓ ଧାନ ଚାଷକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା।

ଉଚ୍ଛେଦ ପରେ ସରକାରୀ ଜମିରେ ପୁନର୍ବାର ଅନଧିକାର ପ୍ରବେଶ ରୋକିବା ପାଇଁ ସେଠାରେ ନାଲିବାନା ଲଗାଯାଇଛି। ଏଥିସହ ‘ସରକାରୀ ଜମିରେ ଅନଧିକାର ପ୍ରବେଶ ନିଷେଧ’ ଲେଖାଥିବା ବ୍ୟାନର ଓ ସତର୍କତାମୂଳକ ବୋର୍ଡ ମଧ୍ୟ ଲଗାଯାଇଛି।

ରାଜ୍ୟରେ ଜବରଦଖଲମୁକ୍ତ ସରକାରୀ ଜମି ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ଉଚ୍ଛେଦ ଅଭିଯାନ କରାଯାଇଥିବା ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ କହିଛନ୍ତି।

ଅଭିଯାନ ସମୟରେ ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ସୱାଗତ କୁମାର ପଣ୍ଡା, ରାଜସୱ ପରିଦର୍ଶକ ଜାରା ସିଂ ବରିହା, କେନଝିରିଆପାଲି ଆର୍‌ଆଇ ନରେନ୍ଦ୍ର କୁମାର ଧାରୁଆ, ଏଆର୍‌ଆଇ ମୋହିତ କୁମାର ମିଶ୍ର, ହାତିଲିମୁଣ୍ଡା ବନପାଳ ଶଙ୍କର ବାଗଙ୍କ ସମେତ ରାଜସ୍ବ ଓ ବନ ବିଭାଗର କର୍ମଚାରୀ, ମେଡିକାଲ ଟିମ, ବୀରମହାରାଜପୁର ଥାନା ଓ ହରିହରଯୋର (ଠେଙ୍ଗୋ ଡ୍ୟାମ) ଫାଣ୍ଡିର ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।