ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର, ପ୍ରଭାବିତଙ୍କୁ ୫୦ କେଜି ଚାଉଳ,ନଗଦ…

Nov 01, 2026 - 20:57
ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର, ପ୍ରଭାବିତଙ୍କୁ ୫୦ କେଜି ଚାଉଳ,ନଗଦ…

ଭୁବନେଶ୍ୱର,୧।୧୧: ରାଜ୍ୟରେ ସାମ୍ପ୍ରତିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ଭାଙ୍ଗିଯାଇଥିବା ଘର, ନଷ୍ଟ ହୋଇଥିବା ଫସଲ ଏବଂ ପ୍ରଭାବିତ ବ୍ୟବସାୟୀଙ୍କ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ସରକାରୀ ଘୋଷଣା ଅନୁଯାୟୀ, ବନ୍ୟା ଯୋଗୁ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି, ସେମାନଙ୍କୁ ନୂତନ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯିବ। ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ଏବଂ ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ମିଳିବ। ଏହାସହ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ତୁରନ୍ତ ରିଲିଫ୍ ସ୍ୱରୂପ ୫୦ କେଜି ଚାଉଳ ଏବଂ ନଗଦ ୨୫୦୦ ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଚାଷୀମାନଙ୍କ ଫସଲ କ୍ଷୟକ୍ଷତି ପାଇଁ ମଧ୍ୟ ବିଶେଷ ସହାୟତା ରାଶି ଘୋଷଣା କରାଯାଇଛି। ଅଣଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୮,୫୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କାର କ୍ଷତିପୂରଣ ଦିଆଯିବ। ସେହିପରି ବାରମାସୀ ଫସଲ (ପରିବା ଓ ବଗିଚା ଚାଷ) କ୍ଷତିଗ୍ରସ୍ତ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ଯୋଗାଇ ଦିଆଯିବ।

ବନ୍ୟାରେ ଜୀବିକା ହରାଇଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ଉଠା ଦୋକାନୀ ଓ ଅସ୍ଥାୟୀ ଷ୍ଟଲ୍ ମାଲିକମାନଙ୍କୁ ୧୦,୦୦୦ ଟଙ୍କା ଲେଖାଏ ଦିଆଯିବ। ସେହିପରି କ୍ଷତିଗ୍ରସ୍ତ ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ୨୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ ଯେ, ବନ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ। କ୍ଷୟକ୍ଷତି ଆକଳନ ସମ୍ପୂର୍ଣ୍ଣ ହେବା ପରେ ପ୍ରଭାବିତଙ୍କୁ ଆହୁରି ଅଧିକ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।