ଦୁବାଇରୁ ତେଲ୍ ଅଭିଭ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଦୁଇଜଣ ପାଇଲଟ୍ଙ୍କ ମଧ୍ୟରେ ମାଡ଼ପିଟ
ରିୟାଧ: ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରୁ ଇସ୍ରାଏଲ୍ ଯାଉଥିବା ଏକ ବାଣିଜ୍ୟିକ ବିମାନକୁ ଆଜି ହାଇଜାକ୍ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ସାର୍ବଜନୀନ ଭାବେ ଉପଲବ୍ଧ ବିମାନ ଟ୍ରାକିଂ ତଥ୍ୟ ଅନୁସାରେ, ଉଡ଼ାଣର କିଛି ସମୟ ପରେ ଫ୍ଲାଇଦୁବାଇ ବିମାନ ଏକ ଆାପତ୍କାଳୀନ ସଙ୍କେତ ପଠାଇଥିଲା। ଏହାପରେ ଇସ୍ରାଏଲ୍ ଯୁଦ୍ଧବିମାନ ଉଡ଼ାଇଥିଲା। ତେବେପରେ ଇସ୍ରାଏଲୀ ଗଣମାଧ୍ୟମ ସୁରକ୍ଷା ଅଧିକାରୀଙ୍କୁ ଉଦ୍ଧୃତ କରି ରିପୋର୍ଟ କରିଥିଲା ଯେ ଏହି ଘଟଣା ବିମାନର ଦୁଇ ପାଇଲଟ୍ଙ୍କ ମଧ୍ୟରେ ହୋଇଥିବା ବିବାଦରୁ ଆରମ୍ଭ ହୋଇଥିଲା। ବିମାନରେ ଥିବା ସମସ୍ତେ ସୁରକ୍ଷିତ ଥିବା କୁହାଯାଇଛି। ବିମାନଟି ସାଉଦି ଆରବର ତାବୁକ୍ରେ ଅବତରଣ କରିଥିଲା। ତାବୁକ୍ରେ ଏକ ବେସାମରିକ ଓ ସାମରିକ ବିମାନ ଘାଟି ରହିଛି। ବୋଇଂ ୭୩୭ ମ୍ୟାକ୍ସ ୮ ବିମାନରେ ପ୍ରାୟ ୧୮୦ ଜଣ ଯାତ୍ରୀ ଥିଲେ। ବିମାନଟି ପ୍ରଥମେ ୭୭୦୦ ଆପତ୍କାଳୀନ କୋଡ୍ ପଠାଇଥିଲା। ଏହା ସାଧାରଣ ଆପତ୍କାଳୀନ ପରିସ୍ଥିତିର ଆନ୍ତର୍ଜାତୀୟ ସଙ୍କେତ। ଏହାର କିଛି ସେକେଣ୍ଡ ପରେ ବିମାନଟି ୭୫୦୦ କୋଡ୍ ପଠାଇଥିଲା। ଏହି କୋଡ୍ ସାଧାରଣତଃ ବିମାନରେ ଅବୈଧ ହସ୍ତକ୍ଷେପ କିମ୍ବା ସମ୍ଭାବ୍ୟ ହାଇଜାକ୍ ହୋଇଥିବାର ସଙ୍କେତ ଦିଏ। ଏହା ପରେ ଇସ୍ରାଏଲ୍ କର୍ତ୍ତୃପକ୍ଷ ସତର୍କ ହୋଇଥିଲେ ଏବଂ ଇସ୍ରାଏଲ୍ ଯୁଦ୍ଧବିମାନ ମଧ୍ୟ ଉଡ଼ାଯାଇଥିଲା। କିଛି ସମୟ ପାଇଁ ଇସ୍ରାଏଲ୍ର ଆକାଶପଥ ମଧ୍ୟ ବନ୍ଦ କରାଯାଇଥିଲା। ବିମାନଟି ଜୋର୍ଡାନ୍ର ଆକାଶସୀମାକୁ ପ୍ରବେଶ କରି କିଛି ସମୟ ପରେ ଦିଗ ବଦଳାଇ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ଅବତରଣ କରିଥିଲା। ଜଣେ ଯାତ୍ରୀ କହିଥିଲେ ଯେ ସେ କକ୍ପିଟ୍ ଭିତରୁ ଚିତ୍କାର ଶୁଣିଥିଲେ। ପରେ ଦ୍ୱାର ଖୋଲିବା ପରେ ସେ ଜଣେ ଆହତ ପାଇଲଟ୍ଙ୍କୁ ଦେଖିଥିଲେ ଏବଂ ସେଠାରେ ବହୁତ ରକ୍ତ ଥିବା କହିଥିଲେ। ଜଣେ ଇସ୍ରାଏଲୀ ଅଧିକାରୀ କହିଛନ୍ତି, ୨ ପାଇଲଟ୍ଙ୍କ ମଧ୍ୟରେ ମାଡ଼ପିଟ ହେବା ପରେ ଆପତ୍କାଳୀନ ସଙ୍କେତ ପଠାଯାଇଥିଲା। ତେବେ, ୭୫୦୦ କୋଡ୍ ଦିଆଯିବା ମାତ୍ରରୁ ହାଇଜାକ୍ ଘଟିଛି ବୋଲି ପ୍ରମାଣ ହୁଏ ନାହିଁ।ଳପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଥିଲା ଯେ ଏହା ହାଇଜାକ୍ ଘଟଣା ନୁହେଁ। ଫ୍ଲାଇଦୁବାଇ କହିଛି ଯେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଓ ଉପସ୍ଥିତ ଅଛନ୍ତି। ଯାତ୍ରୀମାନଙ୍କୁ ତେଲ୍ ଆଭିଭ୍କୁ ନେଇଯିବା ପାଇଁ ଫ୍ଲାଇଦୁବାଇ ଅନ୍ୟ ଏକ ବିମାନ ପଠାଇବାକୁ ଯୋଜନା କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।