Andhra mafia: ‘ସୀମାନ୍ତ’ ଏବେ ଆନ୍ଧ୍ର ମାଫିଆଙ୍କ କରିଡର୍: କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବେଧଡ଼କ ଗଞ୍ଜେଇ ଚାଷ
"ଭବାନୀପାଟଣା: କଳାହାଣ୍ଡି-କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ଚାଲିଛି ଖୋଲାଖୋଲି ଗଞ୍ଜେଇ ଚାଷ।
ମାଫିଆଙ୍କ କରିଡର୍ରେ ପଶିବାକୁ କେହି ସାହସ କୁଳେଇ ପାରୁନାହାନ୍ତି।
କାରଣ ସୀମାନ୍ତ ଆଭ୍ୟନ୍ତରୀଣ ଇଲାକାର ସବୁଠୁ ଦୁର୍ଦ୍ଦାନ୍ତ ଗଞ୍ଜେଇ ମାଫିଆ ଦୁର୍ଗମ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରି ସେମାନଙ୍କ କଳା ସାମ୍ରାଜ୍ୟକୁ ବିସ୍ତାର କରିଛନ୍ତି।
ନିରୀହ ଆଦିବାସୀଙ୍କୁ ହାତ କରି ଗଞ୍ଜେଇ ଚାଷରୁ କୋଟି କୋଟି ଟଙ୍କା ମୁନାଫା ଅର୍ଜନ କରୁଛନ୍ତି।
ପୁଲିସ ଓ ଅବକାରୀ ବିଭାଗ ବି ଏହି ଅସାଧୁ ମେଣ୍ଟର ଅଂଶୀଦାର।
ପୁଲିସ-ଅବକାରୀ ବାବୁ ଅଞ୍ଚଳଗୁଡ଼ିକୁ ଯିବାକୁ ଭୟ କରନ୍ତି।
ଯଦି ବି ଗଲେ ଅଧାରୁ ଫେରି ଆସନ୍ତି।
ଏହାର ଫାଇଦା ନେଇ ଗଞ୍ଜେଇ ମାଫିଆମାନେ ସୀମାନ୍ତରେ ନିଶା କାରବାରକୁ ବ୍ୟାପକ କରିବାରେ ଲାଗିଛନ୍ତି।
ଗଞ୍ଜେଇ ସିଣ୍ଡିକେଟ୍ ଏତେ ଶକ୍ତ ଯେ ରାଜ୍ୟ ଓ ରାଜ୍ୟ ବାହାରେ ସେମାନଙ୍କର ନେଟୱର୍କ ରହିଛି।
ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ସହ ବିହାର ଭଳି ବିଭିନ୍ନ ରାଜ୍ୟକୁ ଲମ୍ବିଛି ଗଞ୍ଜେଇ ଯୋଗସୂତ୍ର।
ପୁଳାପୁଳା ଗଞ୍ଜେଇ ମିଳେ, ଚାଲାଣକାରୀ ବି ଗିରଫ ହୁଅନ୍ତି।
ହେଲେ ଆଜି ଯାଏଁ ଗଞ୍ଜେଇ ଆସୁଥିବା ଅଞ୍ଚଳ ଓ ଏହାର ଅସଲ କାର୍ପଟଦାରଙ୍କୁ ପୁଲିସ-ଅବକାରୀ ବିଭାଗ ଠାବ କରିପାରିନି।
Advertisment Saras Rasa: ସରସ ରସ: ମ୍ୟାନେଜମେଣ୍ଟ ଗୁରୁ ଶ୍ରୀକୃଷ୍ଣ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବେଧଡ଼କ ଗଞ୍ଜେଇ ଚାଷମାଓବାଦୀ ଦେଉଥିଲେ ସୁରକ୍ଷା, ଏବେ ଆନ୍ଧ୍ର ମାଫିଆଙ୍କ ଦବଦବା କଳାହାଣ୍ଡି ଜିଲ୍ଲାର ମଦନପୁର ଥାନା ଦେଢ଼ଶୁଲି ପଞ୍ଚାୟତର ବିରିପୋଡ଼ି, ରାକ୍ଷାସବନ୍ଧ, କୁର୍ତ୍ତେଲ, ପାଢ଼େଲ, ଗୋସକା, ପଟାଙ୍ଗୀ, ମାତାକୁପା, ପୋଖାରୀ, ବୁଢାଦରିଂ ସମେତ କନ୍ଧମାଳ ସୀମାନ୍ତରେ ପ୍ରାୟ ୨ଶହ ଏକରରୁ ଊର୍ଦ୍ଧ୍ବ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଛି।
କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ଲାଗିଥିବା ବୌଦ୍ଧ ଜିଲ୍ଲାର ମନମୁଣ୍ଡା-କଣ୍ଟାମାଳ ଓ ଘଣ୍ଟାପଡ଼ା ଥାନା ଅଞ୍ଚଳରେ ଆସୁଥିବା କନ୍ଧମାଳ ସୀମାନ୍ତର ଏକ ବଡ଼ ଅଞ୍ଚଳରେ ଏହି ଗଞ୍ଜେଇ ସିଣ୍ଡିକେଟ୍ ଚାଲିଛି।
କନ୍ଧମାଳ ଜିଲ୍ଲାର ସୁନାଗାଁ, ମୁଣ୍ଡିଗଡ଼, ଗୁମୁଡ଼ମୁହାଁ ସମେତ ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ ପାଇଁ କୁଖ୍ୟାତ।
କଳାହାଣ୍ଡି ଜିଲ୍ଲାର ଲୁବେନଗଡ଼ରୁ ଦେଢ଼ଶୁଲି ମଝିରେ ଟାପରେଙ୍ଗ, ପାଜିକେରି, ପିଡ଼େଲ, ରୁବେଟ ଅଞ୍ଚଳରେ ଗଞ୍ଜେଇ ଚାଷ କରି ମାଫିଆମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି।
ଏହି ଅଞ୍ଚଳଗୁଡ଼ିକ ପୂର୍ବରୁ ମାଓପ୍ରବଣ ହୋଇଥିବା ଯୋଗୁଁ ଉଭୟ ପୁଲିସ ଓ ଅବକାରୀ ଏହି ଅଞ୍ଚଳରେ ଚଢ଼ଉ କରିବା ପାଇଁ ଭୟ କରୁଥିଲେ।
ଏପରିକି ମାଓବାଦୀମାନେ ଏହି ଗଞ୍ଜେଇ କାରବାରରୁ ସିଂହଭାଗ ରାଜସ୍ବ ପାଉଥିବାରୁ ମାଫିଆଙ୍କୁ ସେମାନେ ସୁରକ୍ଷା ଦେଉଥିଲେ।
ମାଓ ଦମନ ଅଭିଯାନ ପରେ ରାଜ୍ୟରେ ମାଓବାଦୀଙ୍କ ଦବଦବା ଆଉ ନାହିଁ ବୋଲି କୁହାଯାଉଛି।
ତେବେ ମାଓ ଭୟ ନଥିଲେ ହେଁ ଆନ୍ଧ୍ର, ତେଲେଙ୍ଗାନାର ଗଞ୍ଜେଇ ସର୍ଦ୍ଦାର ଏବେ ଏହି ଅଞ୍ଚଳର ନେତୃତ୍ବ ନେଉଛନ୍ତି।
Education: ଜର୍ଜରିତ ଅବସ୍ଥାରେ ନନ୍ଦିନୀଗୁଡ଼ା ବିଦ୍ୟାଳୟ ଓ ଛାତ୍ରାବାସ ସେମାନେ ଆଦିବାସୀଙ୍କୁ ନେଇ ନିଜର "ଆପ୍ନା" ସରକାର ଗଢ଼ିଛନ୍ତି।
ଯାହାକୁ ଭେଦ କରିବା ପୁଲିସ-ଅବକାରୀ ବିଭାଗ ପାଇଁ ସହଜ ହେଉନି।
କେବଳ ରାଜ୍ୟ ନୁହେଁ, କିଛି ରାଜ୍ୟର ଡ୍ରପିଂ ପଏଣ୍ଟ ମଧ୍ୟ ନିର୍ଦ୍ଧାରିତ ହୋଇଛି।
ଏଇ ଯେମିତି ମହାରାଷ୍ଟ୍ରର ନାଗପୁର, ଗୁଜରାଟର ଅହମଦାବାଦ, କଚ୍ଛ, ଛତିଶଗଡ଼ର ରାୟପୁର, ରାଜସ୍ଥାନର ଜୟସେଲମେର ସମେତ ଦେଶର ବିଭିନ୍ନ ସହରକୁ ଗଞ୍ଜେଇ ନେଟୱର୍କ ଲମ୍ବିଛି।
ପଡ଼ୋଶୀ କନ୍ଧମାଳ, ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଷ ହୋଇଥିବା ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଗଛକୁ ପୋଡ଼ିଦେଇ ନଷ୍ଟ କରି ଦେଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଦେଇଛି।
କଳାହାଣ୍ଡି ଜିଲ୍ଲାର ସୀମାନ୍ତ କୋକସରା ଥାନା ଅଧୀନ ତେଣ୍ଡାପାଲି, ପଲସାପଡ଼ା, ମୁଷାପାଲି, ସାନପୋଡ଼ାଗୁଡ଼ା, ଟେମରା, ଡେଙ୍ଗାଗୁଡ଼ା, ଆଇଲି, ଚିକିଲି, ଲଡୁଗାଁ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦୂରଦୂରାନ୍ତକୁ ଗଞ୍ଜେଇ ଚାଲାଣ ହେଉଛି।
ଗଞ୍ଜେଇ କାରବାରରେ ବେପାରୀମାନେ ମାଲାମାଲ ହେଉଥିବାବେଳେ ଏହି କାମରେ ନିୟୋଜିତ ଯୁବକମାନେ ଟଙ୍କା ଲୋଭରେ ସମ୍ପୃକ୍ତ ହେଉଛନ୍ତି।
ଗଞ୍ଜେଇ ମାଫିଆମାନେ ଉଭୟ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ମୋଟା ରକମର ଅର୍ଥ ଦେଇ ସେମାନଙ୍କୁ ସୁରକ୍ଷା ଦେବା କାମରେ ଲଗାଇଛନ୍ତି।
ଯେଉଁଠି କେଁ ସେଇଠି ଧରପଗଡ଼, ଗଞ୍ଜେଇ ଜବତ।
ବେପାରୀଙ୍କ ସହିତ ସଲାସୁତୁରା ଯୋଗୁଁ ଅନାୟାସରେ ଏହି କଳାକାରନାମା ଚାଲି ଆସିଛି।
ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କଫୋର୍ସ ସହ ୩ ଜିଲ୍ଲାରୁ ଡ୍ରୋନ୍ ଜରିଆରେ ସର୍ଭେ କରାଇ ଗଞ୍ଜେଇ ଦମନ ଅଭିଯାନକୁ କାର୍ଯ୍ୟକାରୀ କଲେ ଗଞ୍ଜେଇ ସିଣ୍ଡିକେଟ୍ର ଶିଙ୍ଗ ଭାଙ୍ଗିଯାଆନ୍ତା ବୋଲି କାରବାର ସଂପର୍କରେ ଅଭିଜ୍ଞତା ରଖିଥିବା କିଛି ପୂର୍ବ ମାଫିଆ ମତ ଦେଉଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।