Child marriage: ଘରେଘରେ ବାଲ୍ୟ ବିବାହ; ୩୩ ବର୍ଷରେ ଆଈ, ଜେଜେମାଆ
"କାଳିଆପାଣି (ରବି ନାରାୟଣ କର): ନଗଡ଼ା ଓ ଏହାର ପାରିପାର୍ଶିକ ଅଞ୍ଚଳରେ ବସବାସ କରୁଥିବା ଅଧିକାଂଶ ଜୁଆଙ୍ଗ ଜନଜାତି ପରିବାରରେ ମହିଳାମାନେ ୩୩ରୁ ୩୫ ବର୍ଷ ବୟସରେ ଆଈ କିମ୍ବା ଜେଜେମାଆ ହୋଇଥିବା ଦେଖାଯାଉଛି।
ଯୌବନରେ ସେମାନେ ବାର୍ଦ୍ଧକ୍ୟ ଜଞ୍ଜାଳ ଭୋଗୁଛନ୍ତି।
କୋଳରେ ବଢ଼ୁଥିବା ନିଜ ପିଲାଛୁଆ ସହିତ ସେମାନଙ୍କ ଉପରେ ନାତିନାତୁଣୀ ଲାଳନପାଳନର ଅତିରିକ୍ତ ବୋଝ ରହୁଛି।Advertisment ତଳନଗଡ଼ାର ମୁନି(୩୬) ଓ କୃପା ପ୍ରଧାନ(୩୭)ଙ୍କ ୭ ସନ୍ତାନ।
ସେମାନଙ୍କ ୨ ସାନ ଝିଅ ରେବତୀ ଓ ପୂଜାଙ୍କ ବୟସ ୪ ଓ ୨ ବର୍ଷ।
୨୦୨୧ ମସିହାରେ ନାବାଳକ ବୟସରେ ବଡ଼ପୁଅ ମୁଖିଆ ସପ୍ତମଶ୍ରେଣୀ ପାଠପଢ଼ା ପରେ ସମ ବୟସ୍କା ସୁଚିତ୍ରାଙ୍କୁ ବାହା ହୋଇଥିଲେ।
ଏବେ ଏହି ଦମ୍ପତିଙ୍କ ଝିଅ ଶିବାନୀଙ୍କୁ ୪ ବର୍ଷ ଓ ପୁଅ ଆଦିତ୍ୟକୁ ୯ ମାସ।
ମୁନି ନାତି ଖେଳାଉଥିବା ଦେଖି ପଚାରିବାରେ ବୋହୂ ଭଲରେ ଛୁଆ କଥା ବୁଝି ପାରୁନି ବୋଲି ୨ଟା ଛୁଆଙ୍କୁ ସେ ଘଷିମାଜି ବଡ଼ କରିଥିବା କହିଥିଲେ।
ନଗଡ଼ା ସରକାରୀ ଉପ୍ରା ସ୍କୁଲ ପରିଚାଳନା କମିଟି ସଭାପତି ପଦବିରେ ଥିବା କୃପା ପ୍ରଧାନଙ୍କୁ ପୁଅବୋହୂଙ୍କ ବାଲ୍ୟବିବାହ ପ୍ରସଙ୍ଗରେ ପଚାରିବାରେ "ଆମେ କ"ଣ ମଲା ବେଳେ ପୁଅ ବାହାଘର କରି ନାତିନାତୁଣୀ ଦେଖିବୁ" ବୋଲି କହି ପରାମର୍ଶକୁ ହସରେ ଉଡ଼ାଇ ଦେଇଥିଲେ।
ମୁନି ଓ କୃପାଙ୍କ ସମ ବୟସ୍କ ଦମ୍ପତି ଗାଲେ ଓ ମଙ୍ଗୁଳୁ ପ୍ରଧାନ ୮ ସନ୍ତାନ।
୨ ସାନପୁଅ ମହେଶ୍ବର(୩) ଓ ଦେବେନ୍ଦ୍ର(୧୯ ମାସ) ମାଆ କୋଳ ଛାଡ଼ି ନାହାନ୍ତି।
ନାବାଳକ ବଡ଼ପୁଅ ବୁଟୁ ଓ ବୋହୂ ମାମୁନିଙ୍କର ଝିଅ ପ୍ରୀତି(୪ମାସ)କୁ ନେଇ ଏହି ଦମ୍ପତିଙ୍କ ପରିବାର ସଦସ୍ୟ ସଂଖ୍ୟା ୧୨।
କ୍ଷୀର ଛାଡ଼ିନଥିବା ପୁଅ ସହ ନାତୁଣୀ ଦାୟିତ୍ବ ତାଙ୍କୁ ସମ୍ଭାଳିବାକୁ ପଡ଼ୁଥିବା ଗାଲେ କହନ୍ତି।
ସୀତା(୫୨) ଓ ସ୍ବର୍ଗତ ଜେନା ପ୍ରଧାନଙ୍କର ପୁଅ ଦେଶ ପ୍ରଧାନଙ୍କ ପୁଅ କୃଷ୍ଣ(୧୭) ଏବେ ଦଶମ ଶ୍ରେଣୀ ଛାତ୍ର।
ନାତି କୃଷ୍ଣ ଓ ସମବୟସ୍କା ସାନଝିଅ ଜିପି ଅଷ୍ଟମରୁ ପାଠ ଛାଡ଼ି ଦାଦନ ଖଟିବାକୁ ଯାଇଛନ୍ତି।
ଉପର ନଗଡ଼ାର ମଙ୍ଗୁଳି(୪୫) ଓ ମଣିଆ ପ୍ରଧାନ(୪୭)ଙ୍କ ବଡ଼ଝିଅ ଗୁହିଆଶାଳ ଗାଁର ଅଙ୍ଗନବାଡ଼ି ସହାୟିକା ବୁଦୁଲି(୩୦)ଙ୍କର ୩ ବର୍ଷ ତଳୁ ମୃତ୍ୟୁ ହୋଇଛି।
ତାଙ୍କର ୩ ଝିଅ ରୁଇ(୧୨), ମଲ୍ଲିକା(୧୦) ଓ ନନ୍ଦିନୀ(୭)ଙ୍କ ବୋଝ ଆଈଙ୍କ ଉପରେ ପଡ଼ିଛି।
ସେହିପରି ତଳ ନଗଡ଼ାର କ୍ଷୀରମାଈ ଓ ପଦୁ ପ୍ରଧାନ, ସୁନେଇ ଓ ରଘୁଆ ପ୍ରଧାନ, ଚୁକେଇ ଓ ବଦୁଆ ପ୍ରଧାନ, ଲକ୍ଷ୍ମୀ ଓ ବଦୁଆ ପ୍ରଧାନ, ମଝି ନଗଡ଼ାର ଲକ୍ଷ୍ମୀ(୪୮) ଓ ସ୍ବର୍ଗତ କଟିକିଆ ପ୍ରଧାନ, ଠୁଳୁ ଓ ସୁନା ପ୍ରଧାନ ଏବଂ ଉପର ନଗଡ଼ାର ଇରା ଓ କଟିକିଆ ପ୍ରଧାନ ଦମ୍ପତି ୩୩ ରୁ ୩୫ ବର୍ଷ ବୟସରେ ଜେଜେ ହୋଇଛନ୍ତି।
ଅଳ୍ପ ବୟସରେ ଏଭଳି ଅତିରିକ୍ତ ଦାୟିତ୍ବ ବୋଝକୁ ମୁଣ୍ଡାଉଥିବା ଏହି ଦମ୍ପତିମାନେ ବଡ଼ ପରିବାରକୁ ନେଇ ବ୍ୟସ୍ତ କିମ୍ବା ବିବ୍ରତ ନୁହଁନ୍ତି।
ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଉଛନ୍ତି ଜେଜେମାଆ: ୬୮ ବର୍ଷ ବୟସରେ ଜିମ୍ ଯାଇ ନିଜକୁ ରଖୁଛନ୍ତି ଫିଟ୍ ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ପଚାରିବାରେ ନଗଡ଼ାର ଏହି ସମସ୍ୟା ବାବଦରେ ସେ ଅବଗତ ଥିବା କହିଥିଲେ।
ସେଠାରେ ନିୟମିତ ବାଲ୍ୟ ବିବାହ ସଚେତନତା ଓ ପରିବାର ନିୟୋଜନ କାର୍ଯ୍ୟକ୍ରମର ଆବଶ୍ୟକ ଥିବା ଦର୍ଶାଇ ଯଥାଶୀଘ୍ର ଏ ଦିଗରେ ପୁଣି ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।