Couple Dies Within a Day: ଗୁରୁବାର ସ୍ତ୍ରୀ, ଶୁକ୍ରବାର ସ୍ବାମୀ, ଆଗ ପଛ ହୋଇ ଚାଲିଗଲେ ପତି-ପତ୍ନୀ; ଉଭୟଙ୍କ ମୃତ୍ୟୁର ସମାନ ଲକ୍ଷଣ

Sep 05, 2026 - 20:21
Couple Dies Within a Day: ଗୁରୁବାର ସ୍ତ୍ରୀ, ଶୁକ୍ରବାର ସ୍ବାମୀ, ଆଗ ପଛ ହୋଇ ଚାଲିଗଲେ ପତି-ପତ୍ନୀ; ଉଭୟଙ୍କ ମୃତ୍ୟୁର ସମାନ ଲକ୍ଷଣ

ସ୍ତ୍ରୀ ମୃତ୍ୟୁର କିଛି ଘଣ୍ଟା ପରେ ଚାଲିଗଲେ ସ୍ବାମୀ। ପତି-ପତ୍ନୀଙ୍କ ସମାନ ଲକ୍ଷଣ, ସମାନ ମୃତ୍ୟୁ। ଯାହା ସାଧାରଣତଃ ବିଷଧର ସାପ କାମୁଡିଲେ ହୁଏ। ତେଣୁ ସାପ କାମୁଡାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପୋତିଦେଇଥିବା ସ୍ତ୍ରୀଙ୍କ ମରଶରୀରକୁ ପୁଣି ମାଟି ଖୋଳି ବାହାର କରାଯାଇଛି। ସ୍ପଷ୍ଟ ହେବାକୁ ଅପେକ୍ଷା ରହିଛି ବ୍ୟବଚ୍ଛେଦ ରିପୋର୍ଟର। ସେପଟେ ଘର ଭିତରୁ ମିଳିଛି ବିଷଧର ଚିତି। 

ଖୋଳା ଚାଲିଛି ମାଟି। ସମ୍ପର୍କୀୟ, ଗ୍ରାମବାସୀ ଲାଗି ପଡିଛନ୍ତି ମୃତଦେହ କାଢିବାରେ। ଦିନକ ତଳେ ପୋତିଥିଲେ, ଆଜି ମାଟି ଖୋଳି ବାହାର କରିଛନ୍ତି ମରଶରୀର। ପରେ ବ୍ୟବଚ୍ଛେଦ ପାଇଁ ନିଆଯାଇଛି ଭଦ୍ରକ ହସପିଟାଲ। ହେଲେ କାହିଁକି ? ପୋତି ଦେଇଥିବା ଡେଡବଡିକୁ ବାହାର କରିବାକୁ ଆବଶ୍ୟକତା କାହିଁକି ପଡିଲା ? କାରଣ ଜାଣିବା ପୂର୍ବରୁ ନଜର ପକାନ୍ତୁ ପୁରା କାହାଣୀ ଉପରେ। 

୨ ତାରିଖ, ଗୁରୁବାର ରାତି। ଭଦ୍ରକ ତିହିଡି ବ୍ଲକ ମଧୁପୁର ଗାଁର ପ୍ରମିଳା ବାରିକ ହଠାତ୍ ଅସୁସ୍ଥ ହୋଇପଡିଲେ। ଲଗାତର ମୁଣ୍ଡ ବୁଲାଉଥିଲା, ଆଖିକୁ ଠିକରେ ଦେଖାଗଲାନି। ତଣ୍ଟି ଶୁଖି ଶୁଖି ଯାଉଥିଲା ଆଉ ଛାତିରେ ଅସମ୍ଭାଳ ବ୍ୟଥା। ଗାଁଲୋକ ତୁରନ୍ତ ହସପିଟାଲ ନେଇଥିଲେ ବି ବଞ୍ଚି ପାରିଲାନି ପ୍ରମିଳାଙ୍କ ଜୀବନ। ସ୍ବାଭାବିକ ମୃତ୍ୟୁ ଭାବି ଶବକୁ ପୋତି ଦେଇଥିଲେ ସମ୍ପର୍କୀୟ। 

୩ ତାରିଖ ଗୁରୁବାର ସକାଳ। ହଠାତ୍ ଗୁରୁତର ହୋଇପଡିଥିଲେ ପ୍ରମିଳାଙ୍କ ସ୍ବାମୀ ପରମାନନ୍ଦ ବାରିକ। ଲକ୍ଷଣ ବି ଠିକ୍ ପତ୍ନୀଙ୍କ ଭଳି। ସଙ୍କଟାପନ୍ନ ଅବସ୍ଥାରେ ତିହିଡିରୁ ଭଦ୍ରକ ଓପରେ କଟକ ଏସସିବି ନେବା ବାଟରେ ଆଖି ବୁଜିଦେଲେ ପରମାନନ୍ଦ। ଦିନକ ମଧ୍ୟରେ ଦୁଇ ପତି-ପତ୍ନୀଙ୍କ ସମାନ ଲକ୍ଷଣ ଥାଇ ମୃତ୍ୟୁ ହେବା ପରେ, ସାପ କାମୁଡାରେ ଉଭୟଙ୍କ ଜୀବନ ଯାଇଥିବା ଆଶଙ୍କା କରିଛନ୍ତି ସମ୍ପର୍କୀୟ। ... 

ଉଭୟଙ୍କ ପାଖରେ ରହିଛି ସାପ କାମୁଡା ଜନିତ ମୃତ୍ୟୁର ଲକ୍ଷଣ। ସ୍ପଷ୍ଟ କରିବା ପାଇଁ ସ୍ବାମୀ ପରମାନନ୍ଦଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପତ୍ନୀ ପ୍ରମିଳାଙ୍କ ମୃତ୍ୟୁ ବି ସାପ କାମୁଡାରେ ହୋଇଛି କି ନାହିଁ ଜାଣିବାକୁ ମାଟି ତଳୁ କଢାଯାଇଥିଲା ମୃତଦେହ। ସିଡିଏମଓ କହିଛନ୍ତି, ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ଉଭୟଙ୍କ ମୃତ୍ୟୁର କାରଣ। 

ଦୁଇ ଦୁଇଟି ଜୀବନ ଚାଲିଗଲା। ବାପା-ମାଆ ଛେଉଣ୍ଡ ହୋଇଗଲେ ପୁଅ-ଝିଅ। ଏହାପରେ ପରମାନନ୍ଦଙ୍କ ଘରେ ପହଁଚିଥିଲେ ସାପ ଧରାଳୀ। ଆରମ୍ଭ ହୋଇଥିଲା ସାପ ଖୋଜା। ଘରର ବିଭିନ୍ନ ସ୍ଥାନରୁ ସାପ କାତି ମିଳିବା ପରେ ସାପ ରହିଥିବା ସ୍ପଷ୍ଟ ହୋଇଥିଲା। ପରେ ଘର ଭିତରୁ ଉଦ୍ଧାର ହୋଇଛି ସାଢେ ୩ ଫୁଟର ବିଷଧର ଚିତି। ସାପ ସିନା ଛୋଟ ହେଲେ ସାଂଘାତିକ ବିଷ। କାମୁଡିଲେ, ମଣିଷ ଜୀବନ ଚାଲିଯିବା ନିଶ୍ଚିତ। 

ସାପ କାମୁଡିଲେ ସାଧାରଣତ ପେଟ କାଟିବା, ଛାତିରେ ବ୍ୟଥା, ମୁଣ୍ଡ ବୁଲେଇହେବା, ଆଖିକୁ ନଦିଶିବା, ତଣ୍ଟି ଶୁଖିଯିବା ଏବଂ ପାଟିରୁ ଫେଣ ବାହାରିବା ଭଳି ଲକ୍ଷଣ ଦେଖାଯାଏ। ଚିକିତ୍ସାରେ ବିଳମ୍ବ ହେଲେ ମୃତ୍ୟୁ ନିଶ୍ଚିତ। ତେଣୁ ସାପ କାମୁଡିବା ନେଇ ସନ୍ଦେହ ହେଲେ ଏବଂ ଏଭଳି କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।