09 OCTOBER 2026

Welcome!

Unlock your personalized experience.
Sign Up

Crop insurance: ଚାଷୀଙ୍କୁ ଲୁଟୁଛନ୍ତି ଫସଲ ବୀମା କମ୍ପାନି: ବୀମା ବାବଦରେ ଦିଆଯାଇଛି ୫୩୧ କୋଟି

Oct 09, 2026 - 03:16
Crop insurance: ଚାଷୀଙ୍କୁ ଲୁଟୁଛନ୍ତି ଫସଲ ବୀମା କମ୍ପାନି: ବୀମା ବାବଦରେ ଦିଆଯାଇଛି ୫୩୧ କୋଟି

କେନ୍ଦୁଝର: ‘ଫସଲ ବୀମା ବ୍ୟବସ୍ଥାରେ ଚାଷୀ, ସମବାୟ ସମିତି, ଲ୍ୟାମ୍ପସ୍‌, କୃଷି ବିଭାଗ ଓ ବୀମା କମ୍ପାନିର ଭୂମିକା ରହିଛି। ହେଲେ ଯେତିକି ବୀମା ଅର୍ଥ ଦିଆଯାଉଛି ସେ ତୁଳନାରେ କ୍ଷତିପୂରଣ ବହୁତ କମ୍‌ ରହୁଛି, ଏହା ପଛର ପ୍ରକୃତ କାରଣ କ’ଣ? ତାହାର ନିରପେକ୍ଷ ଯାଞ୍ଚ ହେବା ଆବଶ୍ୟକ। ଚାଷୀଙ୍କୁ ସଚେତନ କରାଯାଉନାହିଁ, ସେମାନେ ଫସଲ କ୍ଷତିର ଦାବି ନ କରିଥିଲେ କାହିଁକି କରିନାହାନ୍ତି, ଦାବି କରିଥିଲେ କାହିଁକି ମଞ୍ଜୁର ହୋଇନାହିଁ, ଫସଲ କ୍ଷତି କିପରି ଆକଳନ ହୋଇଛି ଓ କେଉଁ ଆଧାରରେ କ୍ଷତିପୂରଣ ନିର୍ଦ୍ଧାରଣ ହୋଇଛି, ଏ ସବୁର ସ୍ପଷ୍ଟ ଉତ୍ତର ମିଳିବା ଦରକାର ବୋଲି କୃଷକ ନେତା ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି।

Election: ଛାତ୍ର ସଂସଦ ନିର୍ବାଚନରେ ଭାଗ ନେବେ ୧୦ହଜାର ଛାତ୍ରଛାତ୍ରୀ

ବୀମା ବାବଦରେ ଦିଆଯାଇଛି ୫୩୧ କୋଟି
ଚାଷୀ ପାଇଛନ୍ତି ୧.୬୭ କୋଟି

ଚାଷୀଙ୍କ ଫସଲ ନଷ୍ଟ ହେଲେ ଆର୍ଥିକ ସୁରକ୍ଷା ଦେବା ପାଇଁ ରହିଛି ଫସଲ ବୀମା ବ୍ୟବସ୍ଥା। ସରକାର ଚାଷୀଙ୍କ ସୁରକ୍ଷା ପାଇଁ ଏଭଳି ମହତ ଯୋଜନା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ କାରଣରୁ ଫସଲ ନଷ୍ଟ ହେଲେ ବୀମା ରାଶି ମିଳିବ, ଚାଷୀ ପୁଣି କିଭଳି ଚାଷକୁ ଫେରିବେ ସେଥିପାଇଁ ଏ ପ୍ରକାର ବ୍ୟବସ୍ଥା ହୋଇଛି। ହେଲେ ବୀମା କଂପାନିଗୁଡ଼ିକ ଏଥିରେ ମନମାନି କରୁଛନ୍ତି। ସରକାର ପ୍ରତିବର୍ଷ ଏ ବାବଦରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ। କେନ୍ଦୁଝର ଜିଲ୍ଲାରେ ଗତ ଦୁଇ ଖରିଫ ଋତୁର ତଥ୍ୟ ଏହି ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଚାଷୀଙ୍କଠାରୁ ବୀମା ବାବଦରେ ଶତାଧିକ କୋଟି ଟଙ୍କା କମ୍ପାନି ନେଇଥିବା ବେଳେ କ୍ଷତିପୂରଣ ଅତି ନଗଣ୍ୟ ରହିଛି। ଗତ ଦୁଇ ଆର୍ଥିକ ବର୍ଷରେ ଫସଲବୀମା ବାବଦରେ କେନ୍ଦୁଝର ଜିଲ୍ଲା ପାଇଁ ମୋଟ ୫୩୧ କୋଟି ୩୧ ଲକ୍ଷ ଟଙ୍କା ଦିଆଯାଇଛି, ହେଲେ କ୍ଷତିପୂରଣ ବାବଦରେ ମିଳିଛି ମାତ୍ର ୧ କୋଟି ୬୭ ଲକ୍ଷ ଟଙ୍କା। ଯାହା ମୋଟ ରାଶିର ମାତ୍ର ୦.୩୧ ପ୍ରତିଶତ। ଅର୍ଥାତ ୧୦୦ ଟଙ୍କା ବୀମା ଦିଆଯାଉଥିବାବେଳେ କ୍ଷତିପୂରଣ ବାବଦ‌ରେ ୩୧ ପଇସା ମିଳିଛି।

Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ ‘ସହରୀ ଗତିଶୀଳତା ଭାରତ ସମ୍ମିଳନୀ

କେବଳ କେନ୍ଦୁଝର ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟରେ ଫସଲବୀମା ନାମରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ଏକ ବଡ଼ ଲୁଟ୍‌ ବୋଲି ଅଭି‌ଯୋଗ ହୋଇଛି। 
ତଥ୍ୟ ମୁତାବକ ଜିଲ୍ଲାର ସମସ୍ତ ଲ୍ୟାମ୍ପସ୍‌ ଏବଂ ସମବାୟ ସମିତିରେ ୨୦୨୪ ଖରିଫ ଋତୁରେ ମୋଟ ୭୩ ହଜାର ୭୬୨ ଜଣ ଚାଷୀ ଫସଲ ବୀମା କରାଇଥିଲେ। ବୀମା ବାବଦରେ ୨୫୬ କୋଟି ୩୮ ଲକ୍ଷ ଟଙ୍କା ଦିଆଯାଇଥିଲା। ମାତ୍ର ଏହି ଖରିଫ ଋତୁ ପାଇଁ ଜଣେ ହେଲେ ଚାଷୀଙ୍କୁ ଫସଲନଷ୍ଟ ବାବଦରେ କ୍ଷତିପୂରଣ ମିଳିନାହିଁ। ୨୦୨୫ ମସିହା ଖରିଫ ଋତୁରେ ମୋଟ ୭୬ ହଜାର ୮୭୮ ଜଣ ଚାଷୀ ସେମାନଙ୍କ ଫସଲ ବୀମା କରାଇଥିଲେ। ଏଥିପାଇଁ ୨୭୪ କୋଟି ୯୩ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହି ବର୍ଷରେ ୧୭ ହଜାର ୭୦୫ ଜଣ ଚାଷୀଙ୍କୁ କ୍ଷତିପୂରଣ ମିଳିଥିଲେ ମଧ୍ୟ ରାଶି ମାତ୍ର ୧ କୋଟି ୬୭ ଲକ୍ଷ ଟଙ୍କାରେ ସୀମିତ ରହିଛି। ବୀମା କରିଥିବା ଚାଷୀଙ୍କ ସଂଖ୍ୟା ତୁଳନାରେ କ୍ଷତିପୂରଣ ପାଇଥିବା ଚାଷୀଙ୍କ ସଂଖ୍ୟା ଅତ୍ୟନ୍ତ କମ୍‌। କ୍ଷତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟରେ ସୂଚନା ଦେବା, ଦାବି ଦାଖଲ କରିବା, କ୍ଷୟକ୍ଷତିର ଆକଳନ ଓ ଯାଞ୍ଚ ଭଳି ବିଭିନ୍ନ ପ୍ରକ୍ରିୟା ଦେଇ ଚାଷୀଙ୍କୁ ଯିବାକୁ ପଡ଼ୁଛି। ଏ ସବୁ ବିଷୟରେ ଅନେକ ଚାଷୀ ଅଜ୍ଞ। ବାସ୍ତବ ଏବଂ ଆକଳନ କ୍ଷୟକ୍ଷତି ମଧ୍ୟରେ ଅନେକ ତାରତମ୍ୟ ରହୁଛି। ବୀମା କମ୍ପାନିଗୁଡ଼ିକ କେଉଁ ଆଧାରରେ ଫସଲ କ୍ଷତିର ଆକଳନ କରୁଛନ୍ତି, କେତେ ଦାବି ଆସିଛି, କେତେ ଦାବି ଖାରଜ ହୋଇଛି ଓ ଦାବି ଖାରଜର କାରଣ କ’ଣ ଏସବୁ ତଥ୍ୟ ସାର୍ବଜନୀନ ହେବା ଆବଶ୍ୟକ ବୋଲି ଚାଷୀମାନେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।