ଜ୍ଞାନେଶ କୁମାର ‘ରାଜସାକ୍ଷୀ’ ହୁଅନ୍ତୁ: ରାହୁଲ ଗାନ୍ଧୀ

Oct 12, 2026 - 18:43
ଜ୍ଞାନେଶ କୁମାର ‘ରାଜସାକ୍ଷୀ’ ହୁଅନ୍ତୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ପୁଣି ବର୍ଷିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଜ୍ଞାନେଶ କୁମାରଙ୍କ ପାଖରେ ଏବେ ରାଜସାକ୍ଷୀ ହେବା ଛଡ଼ା ଆଉ କୌଣସି ରାସ୍ତା ନାହିଁ ବୋଲି ସେ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଆୟୋଜିତ ପଦଯାତ୍ରା ପୂର୍ବରୁ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଏହି ଅଭିଯୋଗ ଆଣିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ, ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ତାଙ୍କୁ କୌଣସି ବାର୍ତ୍ତା ମିଳିଛି କି? ଏହାର ଉତ୍ତରରେ ରାହୁଲ କହିଥିଲେ ଯେ, ତାଙ୍କ ପାଖକୁ ବାର୍ତ୍ତା ଆସୁଛି ଏବଂ ଜ୍ଞାନେଶ କୁମାର ଏହି ସାମ୍ବାଦିକ ସମ୍ମିଳନୀ ମଧ୍ୟ ଦେଖୁଛନ୍ତି । ରାହୁଲ କହିଛନ୍ତି, ଜ୍ଞାନେଶ କୁମାରଙ୍କୁ ସେ ପୂର୍ବରୁ ରାଜସାକ୍ଷୀ ହେବାକୁ ପରାମର୍ଶ ଦେଇଥିଲେ । ସେ ଭୁଲ୍ କରିଛନ୍ତି, କିନ୍ତୁ ଏହି ଭୁଲ୍ ପଛରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନୁହନ୍ତି ବୋଲି ରାହୁଲ  କହିଛନ୍ତି । ତେବେ କେଉଁ ମାଧ୍ୟମରେ ବାର୍ତ୍ତା ମିଳିଛି, ସେନେଇ ସେ ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ଏହାସହ ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ପଦରୁ ହଟାଇବାକୁ ଦାବି କରିଛନ୍ତି ରାହୁଲ। ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ନହେବା ପର୍ଯ୍ୟନ୍ତ ଏବଂ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ପ୍ରସଙ୍ଗରେ ‘ଇଣ୍ଡିଆ’ ମେଣ୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ମଧ୍ୟ ରାହୁଲ ଘୋଷଣା କରାଯାଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି, କେନ୍ଦ୍ର ସରକାରଙ୍କ ପ୍ରାୟ ୨୦୦ରୁ ଅଧିକ ଅଧିକାରୀ ବିରୋଧୀଙ୍କ ସମ୍ପର୍କରେ ଥିବା ଦାବି କରିଛନ୍ତି ରାହୁଲ । ଏଥିରେ ଇଡି, ସିବିଆଇ ଏବଂ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି । ଏହି ଅଧିକାରୀମାନେ ବିରୋଧୀଙ୍କୁ ସରକାରୀ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିବା ସେ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ ଉଠାଇଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା  ଅଜିତ ଡୋଭାଲ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ଚାପରେ ଜ୍ଞାନେଶ କୁମାର କାମ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।