Gloves Found in Abdomen: ସିଜରିଆନ୍ ପରେ ପେଟରେ ରହିଗଲା ଗ୍ଲୋଭ୍ସ ଓ କାଗଜ ରୁମାଲ! ଗୁରୁତର ଅବସ୍ଥାରେ ୧୯ ବର୍ଷୀୟା ମହିଳା
ମାଆ ହେବାର ଖୁସି ପରେ ହଠାତ୍ ହୋଇଥିଲା ଯନ୍ତ୍ରଣା। ସିଜରିଆନ୍ ଅପରେସନ୍ର ମାତ୍ର କିଛି ଦିନ ପରେ ଆରମ୍ଭ ହେଲା ପ୍ରବଳ ପେଟ ଯନ୍ତ୍ରଣା। ତଦନ୍ତ ପରେ ପେଟ ଭିତରେ ଅଜଣା ବସ୍ତୁ ଥିବା ଜଣାପଡ଼ିଲା। ପେଟରୁ ଗ୍ଲୋଭ୍ସ ଏବଂ କାଗଜ ରୁମାଲ ବାହାରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣା ମହାରାଷ୍ଟ୍ରର ବୀଡ୍ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଅବହେଳାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।
୧୯ ବର୍ଷୀୟା ମହିଳାଙ୍କ ସହ ଘଟିଲା କ'ଣ?
ସୂଚନା ଅନୁସାରେ, ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାୟକୱାଡଙ୍କର ଗତ ୧ ଅଗଷ୍ଟରେ ବୀଡ୍ ଜିଲ୍ଲା ହସ୍ପିଟାଲରେ ସିଜେରିଆନ୍ ଅପରେସନ୍ ହୋଇଥିଲା। ଅପରେସନ୍ର ଚାରି ଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା।
କିନ୍ତୁ ଘରକୁ ଫେରିବା ପରେ ସନ୍ଧ୍ୟାଙ୍କର ପ୍ରବଳ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଯନ୍ତ୍ରଣା ନ କମିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ପେଟ ଭିତରେ କୌଣସି ଅଜଣା ବସ୍ତୁ ଥିବା ସନ୍ଦେହ ପ୍ରକାଶ ପାଇଥିଲା।
ପରେ ସନ୍ଧ୍ୟାଙ୍କୁ ପୁଣେର ସସୁନ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ପୁଣି ଅପରେସନ୍ କରାଯାଇଥିଲା। ପରିବାରର ଦାବି ଅନୁସାରେ, ଅପରେସନ୍ ସମୟରେ ତାଙ୍କ ପେଟରୁ ଗ୍ଲୋଭ୍ସ ଏବଂ କାଗଜ ରୁମାଲ ବାହାର କରାଯାଇଥିଲା।
' ଝିଅକୁ କୋଳରେ ଧରିବାକୁ ବି ସକ୍ଷମ ନୁହେଁ'
ସନ୍ଧ୍ୟାଙ୍କ ସ୍ୱାମୀ ସୂରଜ ଗାୟକୱାଡ ଅଭିଯୋଗ କରିଛନ୍ତି ଯେ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ତାଙ୍କ ପତ୍ନୀଙ୍କ ଅବସ୍ଥା ଏପରି ହୋଇଛି। ସେପଟେ ସନ୍ଧ୍ୟାଙ୍କ ମାଆଙ୍କ କହିବା ଅନୁସାରେ, ତାଙ୍କ ଝିଅ ନିଜ ଶିଶୁକୁ ଜନ୍ମ ଦେଇଥିଲେ ମଧ୍ୟ ଏବେ ତାଙ୍କ ପାଖରେ ଶିଶୁଟିକୁ କୋଳରେ ଧରିବା ପାଇଁ ମଧ୍ୟ ଶକ୍ତି ନାହିଁ।
ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ
ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତତ୍ପର ହୋଇଛି। ଜିଲ୍ଲା ସର୍ଜନ୍ଙ୍କ ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଡାକ୍ତର ଏବଂ କର୍ମଚାରୀମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଘଟଣାର ତଦନ୍ତ କରାଯିବ ଏବଂ ଯଦି କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।