Manipur Violence Escalates Nine People Die: ମଣିପୁରରେ ପୁଣି ରକ୍ତପାତ, କୁକି-ନାଗା ସଂଘର୍ଷରେ ୯ ମୃତ

Oct 11, 2026 - 15:24
Manipur Violence Escalates Nine People Die: ମଣିପୁରରେ ପୁଣି ରକ୍ତପାତ, କୁକି-ନାଗା ସଂଘର୍ଷରେ ୯ ମୃତ

ମଣିପୁରରେ ପୁଣି ରକ୍ତାକ୍ତ ସଂଘର୍ଷ । କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ଓ ଶନିବାର କାମଜୋଙ୍ଗ, ଉଖରୁଲ ଓ କାଙ୍ଗପୋକପି ଜିଲ୍ଲାରେ ଏହି ହିଂସା ଘଟିଛି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

ଶୁକ୍ରବାର ରାତିରେ କାମଜୋଙ୍ଗ ଜିଲ୍ଲାର ଚାସାଦ ଗାଁରେ ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେ ପାଞ୍ଚ ଜଣ ପିଲାଙ୍କ ମା’ ଥିଲେ । ଏହି ଘଟଣା ପରେ କୁକି ଓ ନାଗା ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୧୦ଟି ଘର ଜଳିଯାଇଥିବା ସୂଚନା ମିଳିଛି ।

ସେହିପରି କାଙ୍ଗପୋକପି ଜିଲ୍ଲାର ଟାପୋନ୍ ଓ ମାକୁଇ ଗାଁରେ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । କାମଜୋଙ୍ଗ ଜିଲ୍ଲାର ନିଙ୍ଗଚୌ ଗାଁରେ ଗୁଳିମାଡ଼ରେ ଆଉ ଦୁଇ ଜଣ ପ୍ରାଣ ହରାଇଛନ୍ତି । 
ଉଖରୁଲ ଜିଲ୍ଲାରେ ଏକ କାର୍‌ ଉପରେ ଗୁଳିମାଡ଼ ହେବାରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାଗୁଡ଼ିକ ପରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।

ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ୱାଇ. ଖେମଚାନ୍ଦ ସିଂହ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ଓ ସାଧାରଣ ଲୋକଙ୍କ ହତ୍ୟାକୁ ନିନ୍ଦା କରିବା ସହ ସମସ୍ତ ସମ୍ପ୍ରଦାୟକୁ ଶାନ୍ତି ବଜାୟ ରଖିବାକୁ ସେ ଅପିଲ୍‌ କରିଛନ୍ତି । ଚାସାଦ ଗାଁରେ ଆହୁରି ହିଂସା ରୋକିବା ପାଇଁ ନିଷେଧାଦେଶ ଲାଗୁ ହୋଇଛି ।

ସୂଚନା ଅନୁସାରେ, ଚଳିତ ବର୍ଷ ଫେବ୍ରୁଆରୀରୁ କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷରେ ୪୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏହା ପୂର୍ବରୁ ମଣିପୁରରେ ମେଇତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସାରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।