MP-MLA Coordination In Focus: ସାଂସଦଙ୍କୁ ନିମନ୍ତ୍ରଣ ବାଧ୍ୟତାମୂଳକ, PMGSY ପ୍ରକଳ୍ପ ନେଇ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ
PMGSY ପ୍ରକଳ୍ପ ଉଦଘାଟନରେ ସାଂସଦଙ୍କ ଉପସ୍ଥିତି ବାଧ୍ୟତାମୂଳକ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଗାଇଡଲାଇନ୍ ଜାରି ପରେ ରାଜ୍ୟ ସରକାରଙ୍କ ତତ୍ପରତା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା- PMGSY ଅଧୀନରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ବା ଉଦଘାଟନୀ ଉତ୍ସବ ହେଉ। ସବୁଥିରେ ସାଂସଦମାନଙ୍କୁ ନିମନ୍ତ୍ରଣ କରାଯିବା ବାଧ୍ୟତାମୂଳକ ରହିବ।
କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ନଜରକୁ ଆସିଛି ଯେ ବହୁ ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି। ଯେଉଁଥିପାଇଁ ସାଂସଦମାନଙ୍କ ପକ୍ଷରୁ ମନ୍ତ୍ରାଳୟ ପାଖରେ ବହୁ ସମୟରେ ଅଭିଯୋଗ କରାଯାଉଛି। କେନ୍ଦ୍ରର ଏହି ନିର୍ଦ୍ଦେଶାବଳୀ ପରେ ରୁରାଲ୍ ୱାର୍କସ ବିଭାଗ ପକ୍ଷରୁ ସବୁ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।
ରୁରାଲ ୱାର୍କସ ବିଭାଗର ଇଞ୍ଜିନିୟର-ଇନ୍-ଚିଫଙ୍କ କାର୍ଯ୍ୟାଳୟରୁ ସମସ୍ତ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଓ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କୁ ଜାରି ଚିଠିରେ କୁହାଯାଇଛି ଯେ, PMGSY ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ ସମୟରେ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ ସଂପର୍କିତ କେନ୍ଦ୍ରର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କର। କୌଣସି ଅନୁମୋଦିତ PMGSY ପ୍ରକଳ୍ପର ଉଦଘାଟନ ସ୍ଥାନୀୟ ସାଂସଦଙ୍କ ସହଭାଗିତା ବିନା କରାଯାଇପାରିବ ନାହିଁ। ବିଧାୟକ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ରହିବ।
କିଛି ଦିନ ତଳେ ଆସ୍କାରେ ବିଧାୟକ ଓ ସାଂସଦଙ୍କ କଳି ଏତେ ତୀବ୍ର ହୋଇଥିଲା ଯେ ଫଳକ ଉନ୍ମୋଚନ ପୂର୍ବରୁ ଭାଙ୍ଗି ଦିଆଯାଇଥିଲା। ସେହିପରି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ରାସ୍ତା କାମକୁ ନେଇ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବାଲେଶ୍ବର ସାଂସଦ ଓ ତାଙ୍କ ସଂସଦୀୟ କ୍ଷେତ୍ରର କିଛି ବିଧାୟକଙ୍କ ଭିତରେ ବି ସମନ୍ବୟ ନରହି ବିବାଦ ବଢୁଛି।
ବରଗଡ଼ ସାଂସଦଙ୍କ ନାଁ କୁ ନଲେଖିବା ପ୍ରତିବାଦରେ ବି ସାଂସଦ ପ୍ରଦୀପ ପୁରୋହିତ ସଭାମଞ୍ଚରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ସେପଟେ ସାଂସଦଙ୍କୁ ନିମନ୍ତ୍ରଣ ସଂପର୍କିତ ସରକାରୀ ନିର୍ଦ୍ଦେଶକୁ ନେଇ ତେଜିଛି ରାଜନୀତି।
ଏବେ ଦେଖିବାର କଥା ସରକାରୀ ନିର୍ଦ୍ଦେଶ ପରେ ସାଂସଦ ଓ ବିଧାୟକଙ୍କ ଭିତରେ ଦେଖାଦେଉଥିବା ବିବାଦର ସମାଧାନ ହେଉଛି ନା ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।