Nepal Flood Aftermath: ମୃତଦେହ ମିଳିଲାନି, ତଥାପି ଆଖିରେ ଲୁହ ନେଇ ହେଲା ଶେଷକୃତ୍ୟ

Sep 03, 2026 - 20:12
Nepal Flood Aftermath: ମୃତଦେହ ମିଳିଲାନି, ତଥାପି ଆଖିରେ ଲୁହ ନେଇ ହେଲା ଶେଷକୃତ୍ୟ

ପାଣିର ସୁଅ ସବୁ ଭସାଇ ନେଇଛି, ଦୁଇ ମହଲା ଯାଏଁ ମାଟି ଜମି ଯାଇଛି। ଯେଉଁଠି ଦିନେ ଘର ଥିଲା ଆଜି ତାହା ରାସ୍ତା। ଆଉ ଏଇ ମାଟି ତଳେ ଯେ କେତେ ଘର କେତେ ବାସ ପୋତି ରହିଛି ତା ହିସାବ କରିବା ସମ୍ଭବ ନୁହେଁ। ତ୍ରିଶୁଳି ଓ ଭୋଟେକୋଶୀ ନଦୀ ଏବେ ଗୋଟିଏ ପାଲଟିଛି। ଅଲଗା ଅଲଗା ଥିବା ଦୁଇଟି ନଦୀ ଏବେ ଗୋଟିଏ ପାଲଟିଛି। ନଦୀର କୂଳ କହିଲେ ଏବେ କଣ ତାହା ଜାଣିବା ବି କଷ୍ଟକର। ହଁ ଅଛି ତ ଖାଲି ଏଇ କିଛି ଖାଲି ପଡ଼ିଥିବା ଅଧା ଭଙ୍ଗା ଘର। ପର୍ଯ୍ୟଟକଙ୍କ ଗହଳିଚହଳିରେ ଫାଟି ପଡ଼ୁଥିବା ନେପାଳର ଦେବୀଘାଟ ଅଞ୍ଚଳ ଏବେ ଖାଁ ଖାଁ। ସତେ ଯେମିତି ଅନ୍ଧାର ଏଠି ରାଜୁତି କରୁଛି, ଭୂତ ଯେମିତି ଏସବୁକୁ ଅକ୍ତିଆର କରିଛି। ଏଠି ବି ଥିଲା ମନ୍ଦିର, ସ୍କୁଲ, ଖେଳପଡ଼ିଆ ଆଉ ହସ ଖୁସିର ସଂସାର। ହେଲେ ଏବେ ଖାଲି କାନ୍ଦ ଆଉ କଷ୍ଟର ବୁକୁ ଫଟା ଚିତ୍କାରେ ଫାଟି ପଡ଼ୁଛି ଏଇ ଅଞ୍ଚଳ। ଘରର ଅନ୍ୟ ସଦସ୍ୟଙ୍କ ପତ୍ତା ନାହିଁ। ଘର ଭିତରେ ମାଟି ପଶିଛି, ବଡ଼ ଗଛ ପଶି ଯାଇଛି। ୨୬ ତାରିଖର ପ୍ରଳୟ ସମସ୍ତଙ୍କୁ ସବୁ କିଛିକୁ ଉଜାଡ଼ି ଦେଇଛି।  

କିଏ ସ୍ବାମୀଙ୍କୁ ହରାଇଛନ୍ତି, କିଏ ବାପା, କିଏ ପୁଅ ତ ଆଉ କିଏ ସବୁ କିଛି। ଫଟୋରେ ମାଳ ଚଢ଼ିଛି, ପୂଜା ହେଉଛି। କାରଣ ଗଲା ସପ୍ତାହେ ହେଲା ଏମାନଙ୍କ ପତ୍ତା ମିଳିନି। ଘର ଲୋକେ ଖୋଜିଲେ, ସରକାରଙ୍କୁ ଜଣାଇଲେ ତଥାପି ନମିଳିବାରୁ ଶେଷରେ ନିଜ ପ୍ରୀୟଜନଙ୍କ ମୃତ୍ୟୁ ହୋଇଥିବା ନିଷ୍ପତ୍ତି କରି କ୍ରିୟାକର୍ମ ସାରିଛନ୍ତି। ଏ ପ୍ରଳୟ ଅନେକ ନିଷ୍ପାପ ଶିଶୁଙ୍କୁ ଛଡ଼ାଇ ନେଇଛି। ମାଆ କୋଳ ଖାଲି କରିଛି। ଦୁନିଆ କଣ ଜାଣିବା, ବୁଝିବା ଆଗରୁ ସେମାନେ ସେଇ ମାଟି ତଳେ ଚାପି ହୋଇ ତ ପୁଣି ପାଣିର ସୁଅରେ ଭାସି କେଉଁ ଆଡ଼େ ଚାଲି ଯାଇଛନ୍ତି।…ପ୍ରାର୍ଥନା ସଭାରେ ଚୁପ୍  ହୋଇ ଶାନ୍ତିରେ ବସିବା କଥା ହେଲେ ଏ ମନ କଣ ମାନୁଛି, କୋହଭରା ଛାତି ଫାଟି ଯାଉଛି ତା କଥା ଭାବିଲା ବେଳକୁ। ଆଜି ଧନଟା ପାଖରେ ଥିଲେ ବିସ୍କୁଟ ଖାଇଥାନ୍ତା, ଥଣ୍ଡା ଟିକେ ପିଇଥାନ୍ତା ବାସ୍  ସେଇ ଆଶାରେ ମାଆ, ବାପା, ଭାଇ ତା ଫଟୋ ଆଗରେ ଥୋଇଛନ୍ତି ସେ ସବୁ। ଜାଣିଛନ୍ତି ସେ ଫେରିବନି ହେଲେ କଣ ହେବ ଆଖିକୁ ନିଦ ନାହିଁ, ରୁଦ୍ଧି ହେଇଯାଉଛି ଆଖି। 

ନେପାଳର ପ୍ରତିଟି ଦୃଶ୍ୟ ଶୁଆଇ ଦେଉନି, ବିଚଳିତ କରୁଛି। ମଣିଷ ଆଜି ଉପାୟଶୂନ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।