No Charges for UPI Users: UPI ପେମେଣ୍ଟ ରହିବ ମାଗଣା, କିଛି ବ୍ୟାବସାୟିକ କାରବାରରେ ଲାଗିପାରେ ଶୁଳ୍କ

Aug 08, 2026 - 20:21
No Charges for UPI Users: UPI ପେମେଣ୍ଟ ରହିବ ମାଗଣା, କିଛି ବ୍ୟାବସାୟିକ କାରବାରରେ ଲାଗିପାରେ ଶୁଳ୍କ

କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, UPI ଜରିଆରେ କରାଯାଉଥିବା କାରବାର ମାଗଣା ରହିବ ଏବଂ ଏଥିପାଇଁ କୌଣସି ଶୁଳ୍କ ଲାଗିବ ନାହିଁ। ଚଳିତ ସପ୍ତାହରେ ଲୋକସଭାରେ ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭ ପାରିତ ହେବା ପରେ UPI ଶୁଳ୍କକୁ ନେଇ ଏହି ଆଶଙ୍କା ସୃଷ୍ଟି ହୋଇଥିଲା।

ଏହା ପୂର୍ବରୁ ବିଭିନ୍ନ ରିପୋର୍ଟରେ କୁହାଯାଇଥିଲା ଯେ, ଏହି ବିଲ୍ ଭବିଷ୍ୟତରେ UPI ଏବଂ ଅନ୍ୟ ଡିଜିଟାଲ୍ ପେମେଣ୍ଟ ଉପରେ ବ୍ୟାଙ୍କ ଓ ପେମେଣ୍ଟ କମ୍ପାନୀଗୁଡ଼ିକୁ ଶୁଳ୍କ ଲଗାଇବାକୁ ସରକାରଙ୍କୁ ଅନୁମତି ଦେଇପାରେ।
ତେବେ କେନ୍ଦ୍ର ସରକାର ଏକ ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ଅଧିକାଂଶ କାରବାର ଗ୍ରାହକ ଏବଂ ବ୍ୟବସାୟୀ—ଉଭୟଙ୍କ ପାଇଁ ମାଗଣା ରହିବ। ତେବେ କିଛି ସୀମିତ ବ୍ୟାବସାୟିକ କାରବାର ଉପରେ ସାମାନ୍ୟ ଶୁଳ୍କ ଲାଗିପାରେ ବୋଲି ସରକାର କହିଛନ୍ତି।

ସରକାର କହିଛନ୍ତି, “ପେମେଣ୍ଟ କରୁଥିବା ଗ୍ରାହକଙ୍କ ଉପରେ କୌଣସି କାରବାର ଶୁଳ୍କ ଲାଗିବ ନାହିଁ।” ଏହା ସହିତ ସମସ୍ତ ପର୍ସନ୍-ଟୁ-ପର୍ସନ୍ (P2P) କାରବାର ମଧ୍ୟ ପୂର୍ବଭଳି ମାଗଣା ରହିବ।
ସରକାର ଆହୁରି କହିଛନ୍ତି ଯେ, ଯଦି MDR (Merchant Discount Rate) ଲାଗୁ କରାଯାଏ, ତେବେ ଏହା କେବଳ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ମୂଲ୍ୟର କିଛି ସୀମିତ ବ୍ୟାବସାୟିକ କାରବାର ଉପରେ ଲାଗୁ ହେବ। ଏହାର ହାର ମଧ୍ୟ ନାମମାତ୍ର ରହିବ ଏବଂ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର MDR ତୁଳନାରେ ବହୁତ କମ୍ ହେବ।

Merchant Discount Rate (MDR) ହେଉଛି କୌଣସି ବ୍ୟବସାୟୀଙ୍କୁ ଡିଜିଟାଲ୍ କିମ୍ବା କାର୍ଡ ପେମେଣ୍ଟ କରାଯିବା ସମୟରେ ଲାଗୁଥିବା ଶୁଳ୍କ। ବର୍ତ୍ତମାନ ପର୍ଯ୍ୟନ୍ତ UPI କାରବାରରେ MDR ଶୂନ ରହିଛି। ଅର୍ଥାତ୍ UPI ପେମେଣ୍ଟ ଗ୍ରହଣ କରିବା ପାଇଁ ସାଧାରଣତଃ ବ୍ୟବସାୟୀଙ୍କୁ କୌଣସି କାରବାର ଶୁଳ୍କ ଦେବାକୁ ପଡ଼ୁନାହିଁ।

ସରକାର ଦୋହରାଇ କହିଛନ୍ତି ଯେ, ଅଧିକାଂଶ ପେମେଣ୍ଟ ମାଗଣା ରହିବ। ଯଦି MDR ଲାଗୁ ହୁଏ, ତେବେ ଏହା କେବଳ ନିର୍ଦ୍ଦିଷ୍ଟ ସୀମା ଆଧାରରେ ଲାଗୁ ହେବ ଏବଂ ସମସ୍ତ କାରବାର ଉପରେ ବାଧ୍ୟତାମୂଳକ ଭାବେ ଲାଗୁ ହେବ ନାହିଁ।

ସରକାର ଆହୁରି ସ୍ପଷ୍ଟ କରିଛନ୍ତି ଯେ, ସଂସଦ Taxation and Other Laws (Amendment) Bill, 2026 ପାରିତ କରିବା ପରେ Payment and Settlement Systems Act, 2007ର ଧାରା ୧୦Aରେ ସଂଶୋଧନ ହେବ। ଏହା ପରେ NPCIର ଅଧୀନରେ ଥିବା ‘UPI and Services Steering Committee’ MDR ଲାଗୁ ହେବ କି ନାହିଁ ଏବଂ ହେଲେ ଏହାର ହାର କେତେ ରହିବ, ସେନେଇ ନିଷ୍ପତ୍ତି ନେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।